ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିରେ ଉତ୍ସାହ । ସମ୍ବଲପୁରରେ ଓଡିଶା ପାଇଁ ୨୪ ନିର୍ବାଚନୀ ବିଗୁଲ ବଜାଇବେ ମୋଦୀ

154

କନକ ବ୍ୟୁରୋ: ନିର୍ବାଚନ ଋତୁ ପାଖେଇ ଆସିଲାଣି । ଆଉ କେନ୍ଦ୍ରୀୟ ନେତାଙ୍କ ରାଜ୍ୟ ଗସ୍ତ ବି ଆରମ୍ଭ ହେଲାଣି । ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡିଶା ଆସିଥିଲେ, ଆସନ୍ତା ଶନିବାର ଦିନ ଓଡିଶା ଆସିବେ ମୋଦି । କୁହାଯାଉଛି ଏଠାରେ ଓଡିଶା ପାଇଁ ବିଜେପିର ନିର୍ବାଚନୀ ବିଗୁଲ ଫୁଙ୍କିବେ ପ୍ରଧାନମନ୍ତ୍ରୀ ।

  • ଆସିବେ ମୋଦୀ, ବାଜିବ ବିଗୁଲ୍
  • ଗସ୍ତ ସମ୍ବଲପୁର, ଲକ୍ଷ୍ୟ ଓଡ଼ିଶା !
  • ଦୁଇ ଗୁଣିତ ବିଜେପିର ଉତ୍ସାହ

ଯଦିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବଲପୁର ଗସ୍ତ ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ କାର୍ଯ୍ୟକ୍ରମ, ତଥାପି ଜନସଭାରେ ମୋଦୀଙ୍କ ସାମିଲ ହେବା କାର୍ଯ୍ୟସୂଚୀ ବିଜେପି ଶିବିରକୁ ଆହୁରି ଉତ୍ସାହିତ କରି ଦେଇଛି । କୁହାଯାଉଛି, ଓଡ଼ିଶା ପାଇଁ ୨୪ ନିର୍ବାଚନୀର ବିଗୁଲ ସମ୍ବଲପୁରରୁ ବାଜିବ!

୩ ତାରିଖରେ ସମ୍ବଲପୁର କାର୍ଯ୍ୟକ୍ରମ

  • ପ୍ରଧାନମନ୍ତ୍ରୀ ‘ସମ୍ବଲପୁର ଆଇଆଇଏମ୍’ ସ୍ଥାୟୀ କ୍ୟାମ୍ପସର ଉଦଘାଟନ କରିବେ
  • ୨୫ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ
  • ରେମେଡ୍ ଛକରେ ଆୟୋଜିତ ଜନସଭାରେ ଜନତାଙ୍କୁ ଉଦବୋଧନ ଦେବେ
  • ଏଥିରେ ପ୍ରାୟ ଦେଢ଼ ଲକ୍ଷ ଦଳୀୟ କର୍ମୀ, ନେତା ଓ ଜନତା ସାମିଲ ହେବେ !
  • ଏହି ଅବସରରେ ବିଜେପି ଓଡ଼ିଶା ଶାଖାର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ

ଯଦିଓ ଗସ୍ତ ସମ୍ବଲପୁର ପାଇଁ ରହିଛି, ତଥାପି ଆଗକୁ ନିର୍ବାଚନ ଥିବାରୁ ସାରା ଓଡ଼ିଶାର ନିର୍ବାଚନ ରାଜନୀତିକୁ ପ୍ରଭାବିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ଓଡ଼ିଶା ବିଜେପି ।
ଅନ୍ୟପଟେ ସମ୍ବଲପୁର ଗସ୍ତର ଠିକ୍ ଗୋଟିଏ ସପ୍ତାହ ପରେ ୧୦ ତାରିଖରେ ଭୁବନେଶ୍ୱର ଗସ୍ତରେ ପୁଣି ଥରେ ଆସିବେ ପ୍ରଧାନମନ୍ତ୍ରୀ । ଏହି ଗସ୍ତରେ ଦେଶର ମହିଳା ଭୋଟର ଲକ୍ଷ୍ୟରେ ବିଜେପି କରୁଥିବା ମହିଳା ସମାବେଶରେ ସାମିଲ ହେବେ ମୋଦୀ । ଦେଶରେ ଦୁଇଟି ବିଶାଳ ମହିଳା ସମାବେଶ କରୁଛି ବିଜେପି । ଗୋଟିଏ ଓଡ଼ିଶାରେ ଏବଂ ଦ୍ୱିତୀୟଟି ମଧ୍ୟପ୍ରଦେଶରେ ।

ଭୁବନେଶ୍ୱର କାର୍ଯ୍ୟକ୍ରମ

  • ଭୁବନେଶ୍ୱର ମହିଳା ସମାବେଶରେ ସାମିଲ ହେବେ ପ୍ରଧାନମନ୍ତ୍ରୀ
  • ୨୦ ରାଜ୍ୟର ୫୦ ହଜାରରୁ ଅଧିକ ମହିଳାଙ୍କୁ ଉଦବୋଧନ ଦେବେ
  • ଓଡ଼ିଶା ଶାଖାର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ବିଜେପି ଉତ୍ସାହିତ ଥିବା ବେଳେ ନିର୍ବାଚନ ଆସିଲେ ଓଡ଼ିଶା କଥା ମନେପଡ଼େ ବୋଲି ସମାଲୋଚନା କରିଛି ବିଜେଡି । ହେଲେ ଏସବୁ ଭିତରେ ସମ୍ବଲପୁର ଗସ୍ତ ସମୟରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ପାଇଁ ବିଜେପି ନେତା ଓ କର୍ମୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି । ସେହିପରି ଭୁବନେଶ୍ୱର ଗସ୍ତ ସମୟରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିପାରନ୍ତି ନରେନ୍ଦ୍ର ମୋଦୀ ।