ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି: ଟ୍ୱିଟ୍ କରି ପିଏମଓ ପକ୍ଷରୁ ସୂଚନା; ଲକଡାଉନ ନେଇ କରିପାରନ୍ତି ବଡ ଘୋଷଣା

620

କନକ ବ୍ୟୁରୋ: ତାଲାବନ୍ଦ ଅବଧି ପୁଣି ବଢିବ କି? ଆସନ୍ତା ମେ ୧୭ତାରିଖରେ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଶେଷ ହେଉଛି । ଏସବୁ ଚର୍ଚ୍ଚା ଆଲୋଚନା ଭିତରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧିତ କରିବେ । ରାତି ୮ଟାରେ ମୋଦି ଦେଶବାସୀଙ୍କୁ କଣ କହିବେ ତାକୁ ନେଇ ଅନେକ ଉକ୍ରଣ୍ଠା ରହିଛି । ପୁଣି ତାଲାବନ୍ଦ ବଢାଇବାକୁ କେନ୍ଦ୍ର ସରକାର ନିଷ୍ପତି ନେବେ କି, ଏଭଳି ପ୍ରଶ୍ନ ଏବେ ଚାରିଆଡେ ଉଙ୍କି ମାରୁଛି । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ମାନଙ୍କ ସହ କଥା ହୋଇଛନ୍ତି । ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ତାଲାବନ୍ଦ ଅବଧି ବଢାଇବା ସପକ୍ଷରେ ଯୁକ୍ତି ବାଢିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ତାଲାବନ୍ଦ ଅବଧି ବଢାଇ ପାରନ୍ତି କେନ୍ଦ୍ର ସରକାର । ତେବେ କିଛି କଟକଣା କୋହଳ ହୋଇପାରେ । ପ୍ରଧାନମନ୍ତ୍ରି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା ବେଳେ ଏଭଳି ସଙ୍କେତ ଦେଇଥିବା ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ବାରମ୍ବାର ତାଲାବନ୍ଦ ବଢାଇବା ସପକ୍ଷରେ ଯୁକ୍ତି ବାଢିଛି । ଯେଉଁ ଦେଶ ଗୁଡିକ ତାଲାବନ୍ଦ ହଟାଇବାକୁ ନିଷ୍ପତି ନେଉଛନ୍ତି ସେମାନେ ସତର୍କ ରହିବାର ଆବଶ୍ୟକତା ଅଛି ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଗୋଟିଏ ପଟେ ତାଲାବନ୍ଦ ସାରା ଦେଶରେ ରୋଜଗାର ଓ ଅର୍ଥନୀତିର ଅବସ୍ଥାକୁ ସାଙ୍ଘାତିକ କରିଦେଇଥିବା ବେଳେ ଏବେ ପୁଣି କେନ୍ଦ୍ର ସରକାର କଣ ନିଷ୍ପତି ନେବେ ତା ଉପରେ ସମସ୍ତଙ୍କ ନଜର ରହିଛି ।