ମୋଦୀ ବନାମ ରାହୁଲ। କିଏ ଅଧିକ ଲୋକପ୍ରିୟ? କଂଗ୍ରେସ-ବିଜେପି ତଥ୍ୟଯୁଦ୍ଧ…

773

କନକ ବ୍ୟୁରୋ: କଂଗ୍ରେସର ନୂଆ ଦାବି । ସାମାଜିକ ଗଣମାଧ୍ୟମରେ ଦଳର ସାଂସଦ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା କୁଆଡ଼େ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଅଧିକ । ଲୋକସଭାରେ ରାହୁଲ ଗାନ୍ଧୀ ଭାଷଣ ଦେବା ସମୟରେ ସଂସଦ ଟିଭି ୟୁଟ୍ୟୁବ ଚ୍ୟାନେଲକୁ କେତେଜଣ ଲୋକ ଦେଖିଥିଲେ ତାହାର ତଥ୍ୟ ପ୍ରଦାନ କରିଛି ଦଳ । ଏଥିରେ ଦାବି କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୁଳନାରେ ରାହୁଲ ଗାନ୍ଧୀଙ୍କ ଭାଷଣକୁ ଅଧିକ ଲୋକ ଦେଖିଛନ୍ତି । ଦଳ ପକ୍ଷରୁ ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୁଳନାତ୍ମକ ଟ୍ୱିଟ ତଥ୍ୟ ମଧ୍ୟ ପ୍ରକାଶ କରାଯାଇଛି । କଂଗ୍ରେସର ସୋସିଆଲ ମିଡିଆ ଟିମ ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ଶେଷ ୩୦ଟି ଟ୍ୱିଟକୁ ୪୮.୧୩ ନିୟୁତ ଭିୟୁ ମିଳିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ୩୦ଟି ଟ୍ୱିଟକୁ କେବଳ ୨୧.୫୯ ନିୟୁତ ମିଳିଛି । ଅନ୍ୟପଟେ ବିଜେପି ମଧ୍ୟ ଏହାର ଜବାବ ରଖିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଂଟକୁ ଗତ ଏକମାସ ମଧ୍ୟରେ ୭୯.୯ ଲକ୍ଷ ଦେଖିଛନ୍ତି । କିନ୍ତୁ ଏହି ସମୟରେ ରାହୁଲଙ୍କ ଟ୍ୱିଟର ଏକାଉଂଟକୁ କେବଳ ୨୩.୪୩ ଲକ୍ଷ ଲୋକ ଦେଖିଛନ୍ତି ବୋଲି ବୋଲି କୁହାଯାଇଛି ।

ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ୟ୍ୟୁଟୁବ୍ ଚ୍ୟାନେଲକୁ ଗତ ଏକ ମାସ ମଧ୍ୟରେ ପ୍ରାୟ ୨୫.୪୬ କୋଟି ଭିୟୁ ମିଳିଥିବାବେଳେ ରାହୁଲଙ୍କ ୟ୍ୟୁଟୁବ ଚ୍ୟାନେଲକୁ ୨୫.୩୮ କୋଟି ଭିୟୁ ମିଳିଛି । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟକୁ ଦେଖିଥିବା ସଂଖ୍ୟାର ସ୍କ୍ରିନସଟ୍ ସେୟାର କରାଯାଇଛି । ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ବିଜେପି ଓ କଂଗ୍ରେସ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଅଭିଯାନ ଚଳାଇଛନ୍ତି । ଏହାରି ମଧ୍ୟରେ ଦଳ ନିଜ ନିଜ ମୁଖିଆଙ୍କୁ ଅଧିକ ଲୋକପ୍ରିୟ କହି ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି ।