ଲାଙ୍ଗୁଡ଼ରେ ଲଗାଇଛନ୍ତି ନିଆଁ, ପ୍ରଶ୍ନ- ଲଙ୍କା ପୋଡ଼ିବ ନା ହନୁ ମରିବ ?

କେନ୍ଦ୍ରରୁ ଆରମ୍ଭ କରି ରାଜ୍ୟ ରାଜନୀତିକୁ ସିବିଆଇ ନାଁ ଏବେ ଡ଼ରାଇ ରଖିଛି । ଏହି ନାଁ ଶୁଣିଲେ ବିଶେଷ କରି ରାଜନେତାମାନଙ୍କ ଛାତିରେ ଛନକା ପସୁଛି ବୋଲି ଖଟିରେ ଚର୍ଚ୍ଚା ହେଉଛି

1,821

କନକ ବ୍ୟୁରୋ: ଗୋଟିଏ ସିବିଆଇ ମାମଲା ଦେଶର ରାଜନୀତିକୁ ଏମିତି ପ୍ରଭାବିତ କରିପାରେ, ଗୋଟିଏ ସଂକଟ ଏଭଳି ସୁଯୋଗ ତିଆରି କରିପାରେ, ଆଂଚଳିକ ଶକ୍ତିକୁ ନୂଆ ଭାବରେ ପ୍ରକାଶ କରିପାରେ, ବିରୋଧୀଙ୍କୁ ଏକାଠି କରିପାରେ । ଆଉ ୨୦୧୯ ନିର୍ବାଚନକୁ ଏତେ ମାତ୍ରାରେ ପ୍ରଭାବିତ କରିବାର ସଂଭାବନା ରଖିପାରେ ଏହାକୁ ସହଜରେ ଅନୁମାନ କରିବା କଷ୍ଟକର । ଏମିତିରେ ଭାରତରେ ସିବିଆଇ ଅନେକ ରେଡ୍ କରିଛି, ଅନେକ ନେତାଙ୍କୁ ଜେଲରେ ପୁରାଇଛି । ସଂସଦରୁ ଆରମ୍ଭ କରି ସୁପ୍ରିମକୋର୍ଟ ଯାଏ ହୋହଲ୍ଲା ହୋଇଛି ।

ରବିବାର ସନ୍ଧ୍ୟାରେ ମମତା ଦିଦିଙ୍କ ପୁଲିସ ଏବଂ ମୋଦିଙ୍କ ସିବିଆଇ ଭିତରେ ଯେଉଁ ଟଣାଓଟରା ଚାଲିଲା । ଏ ପ୍ରଶ୍ନ ନୁହେଁ ଯେ, ସିବିଆଇ ଠିକ୍ କରିଛି, ବା ମମତା-ମୋଦି ଠିକ୍ କରିଛନ୍ତି । ଏ ପ୍ରଶ୍ନ ହେଉଛି-ଏଭଳି ଏକ ମାମଲାରେ ରାଜନୀତିକୁ କେତେ ପ୍ରଭାବିତ କରିଛି । ସିବିଆଇ କଂଗ୍ରେସଠାରୁ ବିଜେପି ପର୍ଯ୍ୟନ୍ତ ସବୁବେଳେ ଏକ ରାଜନୈତିକ ଅସ୍ତ୍ର ପାଲଟେ । ବିରୋଧୀଙ୍କୁ ଦମନ ପାଇଁ ଇଏ ଏକ ଅସ୍ତ୍ର । ଏହି ଅସ୍ତ୍ର ପ୍ରତି ସମସ୍ତଙ୍କର ଭୟ ଥାଏ । ଏକ ଆଂଚଳିକ ଶକ୍ତି ଭାବରେ ତୃଣମୂଳ କଂଗ୍ରେସର ନେତ୍ରୀ ମମତା ବାନାର୍ଜୀ କେନ୍ଦ୍ରର ଏହି ବ୍ରହ୍ମାସ୍ତ୍ର ବିରୋଧରେ ଲଢ଼େଇ କରୁଛନ୍ତି ।

କେନ୍ଦ୍ରରୁ ଆରମ୍ଭ କରି ରାଜ୍ୟ ରାଜନୀତିକୁ ସିବିଆଇ ନାଁ ଏବେ ଡ଼ରାଇ ରଖିଛି । ଏହି ନାଁ ଶୁଣିଲେ ବିଶେଷ କରି ରାଜନେତାମାନଙ୍କ ଛାତିରେ ଛନକା ପସୁଛି ବୋଲି ଖଟିରେ ଚର୍ଚ୍ଚା ହେଉଛି । କିନ୍ତୁ ଠିକ୍ ନିର୍ବାଚନ ପୂର୍ବରୁ ସିବିଆଇ ଆକସନ୍ ମୋଡ଼କୁ ଆସିବା ଅନେକଙ୍କ ମନରେ ପ୍ରଶ୍ନ ଉଠାଇଛି । ଏବଂ ସିବିଆଇ ଫାନ୍ଦରେ କୋଲକାତା ପୁଲିସ କମିଶନରଙ୍କୁ ଛନ୍ଦିବା ପାଇଁ ମୋଦି ଓ ମମତାଙ୍କ ମଧ୍ୟରେ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହା ଜାତୀୟ ରାଜନୀତି ଠାରୁ ଆରମ୍ଭ କରି ରାଜ୍ୟ ରାଜନୀତିକୁ ସରଗରମ କରିଛି ।

ରାଜନୀତିର ଯୁଦ୍ଧରେ କିଏ ଠିକ୍ ଆଉ କିଏ ଭୁଲ, ଏଥିରେ କେବଳ ଗୁଡ଼ିଏ ଯୁକ୍ତି ବ୍ୟତିତ ଆଉ କିଛି ପାଇବା କଷ୍ଟକର । ଏହି ଠିକ୍ ଭୁଲର ହିସାବ ଭିତରେ ନିର୍ବାଚନ ଆସିଯାଉଛି । ଏବଂ ଲୋକଙ୍କ ମନାଇବା ପାଇଁ ଏକ ବଡ ଧରଣର ଧ୍ରୁବିକରଣ ଚାଲିଛି । ସିବିଆଇ ସପକ୍ଷରେ କେନ୍ଦ୍ର ସରକାର ଓ ବିଜେପି ମୁହଁ ଖୋଲୁଛନ୍ତି । ଏବଂ ମମତାକୁ ଚ୍ୟାଲେଂଜ କରୁଛନ୍ତି । ଆଉ ମୋଦି ବିରୋଧୀ ନେତାମାନେ ମମତାଙ୍କ ଚାରିପଟରେ ରୁଣ୍ଡ ହୋଇ ମୋଦିଙ୍କୁ ଚ୍ୟାଲେଂଜ କରୁଛନ୍ତି । ଏହି ହୋଇଛି ମୋଦି ବିରୋଧୀଙ୍କ ପାଇଁ ଏକ ସୁଯୋଗ ।

ଦେଶର ମୁଖ୍ୟମନ୍ତ୍ରୀମାନେ ଜେଲ ଯାଇଛନ୍ତି । ଅନେକ ତୁଙ୍ଗ ନେତା ସିବିଆଇ କବଜାରେ ପଡ଼ିଛନ୍ତି । କେନ୍ଦ୍ରର ଅମୋଘ ଅସ୍ତ୍ର ହେଉଛି ସିବିଆଇ । ଆପଣ ପଂଜୁରୀ ଭିତରର ସୁଆ କହିପାରନ୍ତି । ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ଏବଂ ନିରପେକ୍ଷ ଦତନ୍ତର ଆଖ୍ୟା ଦେଇପାରନ୍ତି । କିନ୍ତୁ ଭାରତର ଇତିହାସରେ ସିବିଆଇ ଓ ରାଜନୀତି ସବୁବେଳେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇରହିଛି । ଗତକାଲିଠାରୁ ଆଜି ଭିତରେ ୨୪ ଘଂଟିଆ ଟିଭି ଚ୍ୟାନେଲରେ ମୋଦି ଓ ଦିଦିଙ୍କ କାହାଣୀ ଦେଖି ଆସୁଛେ ।

ଭାରତର ଦୃଶ୍ୟପଟ୍ଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ସର୍ବଭାରତୀୟ ନେତ୍ରୀ ଭାବରେ ସାମ୍ନାକୁ ଆସୁଛନ୍ତି । ଏୟା ସ୍ପଷ୍ଟ ହେଉଛି ଆଗାମୀ ଦିନର ଯୁ୍ଦ୍ଧରେ ମୋଦିଙ୍କୁ ଚ୍ୟାଲେଂଜ ଦେବେ ଦିଦି । ଆସନ୍ତାକାଲି ସୁପ୍ରିମକୋର୍ଟ କହିବେ ସିବିଆଇ ଠିକ୍ କରିଛି କି ଭୁଲ କରିଛି । ପୁଲିସ କମିଶନରଙ୍କୁ ଗିରଫ ପାଇଁ ହେଉଥିବା ଉଦ୍ୟମ ଏକ ଠିକ୍ ଉଦ୍ୟମ ନା’ ରାଜନୈତିକ ପ୍ରଚେଷ୍ଟା । ଆଉ ସିବିଆଇକୁ ଅଟକାଇ ମମତା ସମ୍ବିଧାନକୁ ଉଲଂଘନ କରିଛନ୍ତି କି ? କିନ୍ତୁ ସଂକଟକୁ ସୁଯୋଗରେ ପରିଣତ କରି, ବିରୋଧୀଙ୍କୁ ଏକଜୁଟ୍ କରି, ରାଜନୀତିର ଏକ ବଡ ଖେଳ ଖେଳିଛନ୍ତି । ଏବଂ ବହୁ ଚର୍ଚ୍ଚିତ ଆଂଚଳିକ ଶକ୍ତିର ମେଂଟ ପାଇଁ ସିବିିଆଇ ଏକ ବଡ ଖୋରାକ୍ ଯୋଗାଇଛି । ଯେଉଁ ସିବିଆଇକୁ ଅସ୍ତ୍ର କରି କେନ୍ଦ୍ର ଗୋଟିଚାଳନା କରୁଥିବା ଚର୍ଚ୍ଚା ହେଉଛି ତାହାର ଜବାବ୍ ଦିଦିଙ୍କ ଧାରଣା ଆଉ ସମସର୍ଥନ ବୟାନ କରିବ କି ?