୭ ଦିନିଆ ଆମେରିକା ଗସ୍ତରେ ମୋଦି । ଆସନ୍ତାକାଲି ହଷ୍ଟନରେ ମେଗା କାର୍ଯ୍ୟକ୍ରମ ହାଓଡିମୋଦିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ , ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବି ହେବେ ସାମିଲ

248

କନକ ବ୍ୟୁରୋ : ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ରାତିରେ ସେ ଆମେରିକା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଆସନ୍ତା ରବିବାର ଆମେରିକାର ହଷ୍ଟନରେ ହାଓଡି ମୋଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏବେ ଏହି ଚର୍ଚ୍ଚିତ ମେଗା ଇଭେଂଟ ଉପରେ ଏବେ ବର୍ଷା ବାଧକ ସାଜିବା ଆଶଙ୍କା ଦେଖା ଦେଇଛି । କାରଣ ଗତ ଦୁଇ ଦିନ ହେଲା ଟେକ୍ସାସରେ ଭୀଷଣ ବର୍ଷା ଯୋଗୁଁ ପ୍ରଶାସନ ଜାରି କରିଛି ଜରୁରୀକାଳିନ ପରିସ୍ଥିତି । ସେପଟେ ଏନଆରଜି ଷ୍ଟାଡିୟମରେ ହାଓଡି ମୋଦି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । ପ୍ରାୟ ୫୦ ହଜାର ଲୋକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନାମ ପଞ୍ଜିକରଣ କରିସାରିଛନ୍ତି ।

ତେବେ ବର୍ଷା ଜାରି ରହିଲେ ହାଓଡି ମୋଦି କାର୍ଯ୍ୟକ୍ରମରେ ବ୍ୟାପକ ଜନସମାଗମର ଆକର୍ଷଣ କମିବା ଆଶଙ୍କା ରହିଛି । ହାଓଡି ମୋଦି କାର୍ଯ୍ୟକ୍ରମର ମଂଚରେ ଏକାଠି ନଜର ଆସିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ । ଆଉ ସମାବେଶରେ ଏକ ବଡ ଘୋଷଣାର ସଙ୍କେତ ମଧ୍ୟ ଦେଇଛନ୍ତି ଆମେରିକୀୟ ରାଷ୍ଟ୍ରପତି । ଏହା ସହ ମୋଦି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ଆସନ୍ତା ୨୭ ତାରିଖରେ ମିଳିତ ଜାତିସଂଘର ୭୪ତମ ସାଧାରଣ ପରିଷଦ ବୈଠକରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।