ସେପ୍ଟେମ୍ବର ୨୪ରେ ବାଇଡେନଙ୍କୁ ଭେଟିବେ ମୋଦି: ଆଲୋଚନାରେ ରହିପାରେ ଆଫଗାନିସ୍ତାନ ଓ ବିଶ୍ୱ ଆତଙ୍କବାଦ ପ୍ରସଙ୍ଗ

95

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦି ଭେଟିବେ ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା ଜୋ ବାଇଡେନଙ୍କୁ । ହେଲେ ଆଫଗାନିସ୍ତାନ ସ୍ଥିତି ପରେ ବାଇଡେନଙ୍କ କ୍ଷମତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି । ଆଉ ତାଲିବାନ ସଂପର୍କରେ ଆସିଛି ବିସ୍ତାରବାଦୀ ଚୀନ । ଅନ୍ୟପଟେ ଚାଇନା ସହିତ ଭାରତର ମଧ୍ୟ ବିବାଦ ରହିଛି । ଏପରି ସ୍ଥିତି ମୋଦି ଆମେରିକା ମାଟିରେ ଆତଂକବାଦ ଏବଂ ବିସ୍ତାରବାଦକୁ ରୋକିବାକୁ ଚଲାଇପାରନ୍ତି ନୂଆ ଗୋଟି । ଆଉ ଆତଂକବାଦ ବିରୋଧରେ ନେତୃତ୍ୱ ନେଇ ମୋଦି ନିଜର ଗ୍ଲୋବାଲ ଲିଡରସିପକୁ ଆଗକୁ ବଢାଇପାରନ୍ତି ।

ପୁଣି ଥରେ ଦୁନିଆ ଦେଖିବ ଏହି ଚେହେରା (ମୋଦି-ବାଇଡେନ ଫଟୋ) । ଆଉ ସାରା ବିଶ୍ୱର ନଜର ରହିବ ମୋଦି-ବାଇଡେନଙ୍କ ଉପରେ । ଆଫନିସ୍ତାନକୁ ତାଲିବାନ କବଜା କରିବା ପରେ ଏବେ ଲୁଚି ରହୁଥିବା ଆତଙ୍କବାଦ ଧୀରେ ଧୀରେ ମୁଣ୍ଡ ଟେକିଛି । ଆଉ ତାଲିବାନ ସରକାର ଜରିଆରେ ଆତଙ୍କବାଦ ସାର ବିଶ୍ୱରେ ସକ୍ରିୟ ହେବ ବୋଲି ଚିନ୍ତା କରୁଛି । ଗୋଟିଏ ପଟେ ସୁପର ପାୱାର ଆମେରିକା ତାଲିବାନ ଭୟରେ ଆଫଗାନିସ୍ତାନ ଛାଡିଛି ଅନ୍ୟପଟେ ତାଲିବାନର ନିକଟ ହୋଇଛି ଚୀନ ।

ମୋଦିଙ୍କ ଆମେରିକା ଗସ୍ତ ଚାଇନା ଏବଂ ଆତଙ୍କବାଦ ଉପରେ ଗୁରୁତ୍ୱ ରଖିବ । ଚୀନ ତାଲିବାନ ସହିତ ଭାବ ବଢାଇଛି । ଚୀନ ଏଭଳି କରି ଅନ୍ତର୍ଜାତୀୟ ପ୍ରସଙ୍ଗରେ ପାକିସ୍ତାନ ଏବଂ ଆଫଗାନିସ୍ତାନର ସମର୍ଥନକୁ ନିଜ ପକେଟରେ ରଖିବାକୁ ଚିନ୍ତା କରୁଛି । ଯାହାକି ଉଭୟ ଆମେରିକା ଏବଂ ଭାରତ ପାଇଁ ବିପଦ ।

ମୋଦି ୨୨ ସେପ୍ଟେମ୍ବର ବିଳମ୍ବିତ ରାତିରେ ଆମେରିକାରେ ପହଂଚିବେ । ୨୩ରେ ଆମେରିକାର ଉପରଷ୍ଟ୍ରପତି କମଲା ହାରିସଙ୍କୁ ଭେଟିବେ । ଏହାପରେ ୨୪ରେ ନ୍ୟୁୟର୍କରେ ଆୟୋଜିତ ହେବାକୁ ଥିବା କ୍ୱାଡ ବୈଠକରେ ଯୋଗ ଦେବେ । ୨୫ରେ ଜାତିସଂଘର ମହାସଭାରେ ସାରା ବିଶ୍ୱକୁ ମୋଦି ଦେବେ ଉଦବୋଧନ । ଏହି ଉଦବୋଧନ ଜରିଆରେ ମୋଦି ଆତଂକବାଦର ମୂଳଉତ୍ପାଟନ ଏବଂ ଆତଂକବାଦକୁ ପାଳିଥିବା ଦେଶକୁ କଡା ବାର୍ତ୍ତା ଦେଇପାରନ୍ତି । ଯାହାକି ପାକିସ୍ତାନ ଉପରେ ରହିବ ।

ନମସ୍ତେ ବାଇଡେନ୍
– ମୋଦି ୨୨ ସେପ୍ଟେମ୍ବର ବିଳମ୍ବିତ ରାତିରେ ଆମେରିକାରେ ପହଞ୍ଚିବେ
– ସେପ୍ଟେମ୍ବର ୨୩ରେ ଆମେରିକାର ଉପରଷ୍ଟ୍ରପତି କମଲା ହାରିସଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି
– ସେପ୍ଟେମ୍ବର ୨୪ରେ ନ୍ୟୁୟର୍କରେ ଆୟୋଜିତ କ୍ୱାଡ ବୈଠକରେ ଯୋଗ ଦେବେ
– ସେପ୍ଟେମ୍ବର ୨୫ରେ ଜାତିସଂଘର ମହାସଭାରେ ସାରା ବିଶ୍ୱକୁ ମୋଦି ଦେବେ ଉଦ୍ବୋଧନ

ମୋଦି ଆମେରିକା ଯିବା ପୂର୍ବରୁ ସେପ୍ଟେମ୍ବର ୧୭ରେ ହୋଇଥିବା ସାଂଘାଇ କୋର୍ପେରେସନ ବୈଠକ ବା ଏସସିଓରେ କହିଥିଲେ ବିଶ୍ୱରେ ଶାନ୍ତି, ସୁରକ୍ଷା ଏବଂ ବିଶ୍ୱାସ କମୁଛି । ଏଭଳି କହି ବୈଠକରେ ଉପସ୍ଥିତ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଡା ଜବାବ ଦେଇଥିଲେ ମୋଦି । ସେହିପରି ତାଲିବାନକୁ ନେଇ ମୋସ୍କୋ ଓ ୱାଶିଂଟନର ପ୍ରମୁଖ ଇଂଟେଲିଜେନ୍ସ ଅଧିକାରୀଙ୍କୁ ନୂଆଦିଲ୍ଲୀ ଡାକି ଭାରତରେ ବୈଠକ ମଧ୍ୟ କରାଯାଇଛି । ତେଣୁ ଭାରତ ଆତଙ୍କବାଦ ବିରୋଧରେ ସାରା ବିଶ୍ୱକୁ ଏକାଠି କରିବାକୁ ଯାଉଛି ବୋଲି କୁହାଯାଉଛି ।

ଭାରତ ଆଫଗାନିସ୍ତାନ ସହ ରହିଛି । ହେଲେ ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଅଡ୍ଡା ନହେଉ ବୋଲି ଭାରତ ଚାହେଁ । ଅନ୍ୟପଟେ ତାଲିବାନ ମଧ୍ୟ କହି ସାରିଛି ଆଫଗାନିସ୍ତାନରେ ଭାରତର ପୁଞ୍ଜି ନିବେଶ ଉପରେ ନୂଆ ସରକାର ରୋକ୍ ଲଗାଇବ ନାହିଁ । ହେଲେ ଆଫଗାନିସ୍ତାନରେ ମାନବିକତାର ହନନକୁ ଦେଖି ଭାରତ ନିଜ ଆଭିମୁଖ୍ୟ ସେତେଟା ସ୍ପଷ୍ଟ କରିନିି ମୋଦି ଆମେରିକା ଯିବା, ବାଇଡେନଙ୍କୁ ଭେଟିବା ଉପରେ ସାରା ବିଶ୍ୱର ତ ନଜର ରହିବା ସ୍ୱାଭାବିକ । ହେଲେ ବାଇଡେନଙ୍କ ସହିତ ମୋଦିଙ୍କର ଅନ ସ୍କିନ୍ ଚାଲି ଚଳଣି କେମିତି ରହୁଛି ତା ମଧ୍ୟ ଦୁଇ ଦେଶର ସଂପର୍କ ବୟାନ କରିବ ।