ଦୁଇ ଦିିନିଆ କୂଟନୈତିକ ଗସ୍ତରେ ବାଂଲାଦେଶରେ ପ୍ରଧାନମନ୍ତ୍ରୀ ମୋଦୀ । ବାଂଲାଦେଶର ୫୦ତମ ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହେଲେ ସାମିଲ ।

62

କନକ ବ୍ୟୁରୋ: କରୋନା ମହାମାରୀ ବ୍ୟାପିବା ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାଂଲାଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରେଡ କାର୍ପେଟରେ ସ୍ୱାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜେ ବିମାନ ବନ୍ଦରରେ ପହଂଚି ତାଙ୍କର ସ୍ୱାଗତ କରିଛନ୍ତି । ବାଂଲାଦେଶ ସ୍ୱାଧୀନତାର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହେବା ସହ ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଶହେ ତମ ଜନ୍ମ ଜୟନ୍ତୀ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ବାଂଲାଦେଶରେ ଅଛନ୍ତି ମୋଦୀ । ଏହି ଦୁଇ କାର୍ଯ୍ୟକ୍ରମ ମୋଦୀ ମୁଖ୍ୟ ଅତିଥି ଅଛନ୍ତି । ଅପରପକ୍ଷରେ ଭାରତ ବାଂଲାଦେଶର କୂଟନୈତିକ ସମ୍ପର୍କକୁ ୫୦ ବର୍ଷ ପୂରଣ ହୋଇଛି ଏପରି ସମୟରେ ମୋଦୀଙ୍କ ଗସ୍ତର ଗୁରୁତ୍ୱ ବଢିଯାଇଛି । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବାଂଲାଦେଶର ସ୍ୱାଧୀନତା ସଂଗ୍ରାମ କଥା ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ।

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ବାଂଲାଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ତେଣୁ ଏହାର ରାଜନୈତିକ ସମୀକରଣ ମଧ୍ୟ ରହିଛି । ମୋଦୀଙ୍କ ବାଂଲାଦେଶ ଗସ୍ତରୁ ରାଜନୈତିକ ସମୀକରଣକୁ ବାଦ୍ ଦେଲେ ମଧ୍ୟ ମୋଦୀଙ୍କ ଏହା ଗସ୍ତର ବେଶ ଗୁରୁତ୍ୱ ରହିଛି । କାରଣ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ପୈତୃକ ବାସଭବନକୁ ଯିବେ । ସେପଟେ ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କୁ ମରୋଣତର ଗାନ୍ଧୀ ଶାନ୍ତି ସମ୍ମାନରେ ସମ୍ମାନିତ କରିଛନ୍ତି ।

ଢାକାରେ ପହଁଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଏଠାରେ ରାଷ୍ଟ୍ରୀୟ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ବାଂଲାଦେଶର ରାଜନୈତିକ ଦଳର ନେତା, କ୍ରୀଡାବିତ, ପ୍ରବାସୀ, ଯୁବଗୋଷ୍ଠୀ ଓ ତାରକାଙ୍କୁ ଭେଟିବା ସହ ବୋହରା ସମ୍ପ୍ରଦାୟକୁ ମଧ୍ୟ ଭେଟିଛନ୍ତି ମୋଦୀ । ବୋହରା ସମ୍ପ୍ରଦାୟ ପକ୍ଷରୁ ମୋଦୀଙ୍କୁ ଏକ ସାଲ ଉପହାର ଦିଆଯାଇଛି ।

କରୋନା କାଳ ଯୋଗୁଁ ପ୍ରାୟ ୪୯୭ଦିନ ପରେ ବିଦେଶ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ମହାମାରୀ ସମୟରେ ଭାରତ ମିତ୍ର ରାଷ୍ଟ୍ର ବାଂଲାଦେଶକୁ ପ୍ରାୟ ୯୦ଲକ୍ଷ କରୋନା ଟିକା ଯୋଗାଇ ଦେଇଛି । ଯାହା ଉଭୟ ରାଷ୍ଟ୍ରର ସମ୍ପର୍କକୁ ଆହୁରୀ ମଜବୁତ କରିଛି । ସେପଟେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଅବଦୁଲ ମୋମିନ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି । ଉଚିତ ସମୟରେ ବାଂଲାଦେଶକୁ ଭାରତ ଟିକା ଯୋଗାଇ ଥିବାରୁ ସବୁବେଳେ ଋଣୀ ରହିବେ ବୋଲି କହିଛନ୍ତି ଅକ୍ ଅବଦୁଲ ମୋମେନ ।