ତ୍ରିଶୁଳ ଷ୍ଟାଇଲରେ ଫ୍ଲଡଲାଇଟ, ବେଲପତ୍ର ଷ୍ଟାଇଲରେ ପ୍ରବେଶ ଦ୍ୱାର । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂସଦୀୟ କ୍ଷେତ୍ରରେ ହେବାକୁ ଥିବା ଷ୍ଟାଡିୟମକୁ ନେଇ ଚର୍ଚ୍ଚା ।

346

କନକ ବ୍ୟୁରୋ : ଧର୍ମନଗରୀ ତଥା ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ଛିଡା ହେବ ବିଶାଳ ଅର୍ନ୍ତଜାତୀୟ କ୍ରିକେଟ ଷ୍ଟାଡିୟମ । ଯାହାର ଡିଜାଇନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ବାରଣାସୀର ରାଜାତାଲାବ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମର ଡିଜାଇନରେ ଭଗବାନ ଶିବଙ୍କର ଝଲକ ଦେଖିବାକୁ ମିଳିବ । ଯାହାର ଶିଳାନ୍ୟାସ ୨୩ ସେପ୍ଟେମ୍ବରରେ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହି ଷ୍ଟାଡିୟମର ଡିଜାଇନରେ ଏମିତି କଣ ଭିନ୍ନତା ରହିବ ତାହା ଜାଣିବାକୁ କ୍ରିକେଟପ୍ରେମୀ ମଧ୍ୟ ଉତ୍ସୁକ ରହିଛନ୍ତି ।

ବାରଣାସୀରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମଟି ମହାଦେବଙ୍କ ଥିମ୍ ଉପରେ ରହିବ । ଷ୍ଟାଡିୟମର ଛାତ ଭଗବାନ ଶିବଙ୍କ ମୁଣ୍ଡରେ ଥିବା ଅର୍ଦ୍ଧଚନ୍ଦ୍ର ଭଳି ରହିବ । ସେହିଭଳି ତ୍ରିଶୁଳ ଆକାରର ଫ୍ଲଡ ଲାଇଟ, ବେଲପତ୍ର ଡିଜାଇନର ପ୍ରବେଶ ଦ୍ୱାର ରହିବ । ସେହିଭଳି ଷ୍ଟାଡିୟମର ବିଶ୍ରାମଗାର ଡମ୍ବରୁ ଭଳି ଡିଜାଇନର ନିର୍ମାଣ କରାଯିବ । ଏହାବାଦ୍ ଦର୍ଶକଙ୍କ ବସିବା ପାଇଁ ଷ୍ଟାଡିୟମରେ ସିଢି ଭଳି ବ୍ୟବସ୍ଥା କରାଯିବ । କିଛି ଏଭଳି ଢଙ୍ଗରେ ପୂରା ଷ୍ଟାଡିୟମର ନିର୍ମାଣ କରାଯିବ । ଆଉ ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି ।

ଆଗାମୀ ୩୦ ମାସ ମଧ୍ୟରେ ଏହି ଷ୍ଟାଡିୟମ ବାରଣାସୀ ମାଟି ଉପରେ ଛିଡାହେବ । ଯାହାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ୩୦ ଏକରରୁ ଅଧିକ ଅଞ୍ଚଳରେ ନିର୍ମିତ ହେବାକୁ ଥିବା ଏହି ଷ୍ଟାଡିୟମରେ ଖର୍ଚ୍ଚ ହେବ ୪୫୧ କୋଟି ଟଙ୍କା । ଉତ୍ତରପ୍ରଦେଶ ସରକାର ଜମି ଅଧିଗ୍ରହଣ ବାବଦକୁ ୧୨୧ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିସିସିଆଇ ଷ୍ଟାଡିୟମ ନିର୍ମାଣ ବାବଦକୁ ୩୩୦ କୋଟି ଟଙ୍କା ଖର୍ଚ୍ଚ କରିବ । ଏହି ଷ୍ଟାଡିୟମରେ ୩୦ ହଜାର ଦର୍ଶକ ବସିବାର ବ୍ୟବସ୍ଥା ରହିବ । ସେହିଭଳି ଷ୍ଟାଡିୟମରେ ୭ଟି ପିଚ୍ ରହିବ । ଏହାବାଦ୍ ଷ୍ଟାଡିୟମ ବାହାରେ ଏକ ଛୋଟ ଗ୍ରାଉଣ୍ଡ ରହିବାକୁ ଥିବା ବେଳେ ପାର୍କିଙ୍ଗ ପାଇଁ ମଧ୍ୟ ବ୍ୟବସ୍ଥା ରହିବ ।

ଶିଳନ୍ୟାସ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଦୁଇ ଭେଟରାନ କ୍ରିକେଟର ସଚିନ ତେନ୍ଦୁଲକର ଓ ସୁନୀଲ ଗାଭାସ୍କର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଷ୍ଟାଡିୟମ ନିର୍ମାଣ ପରେ ପୂର୍ବାଞ୍ଚଳର କ୍ରିକେଟପ୍ରେମୀଙ୍କୁ କ୍ରିକେଟ ମ୍ୟାଚ୍ ଦେଖିବାକୁ ବେଶ ଦୂର ଯିବାକୁ ପଡିବନି । ଏହି ଷ୍ଟାଡିୟମ ନିର୍ମାଣ ପୂର୍ବରୁ ଏବେ ନିଜର ଡିଜାଇନ ପାଇଁ ବେଶ ଚର୍ଚ୍ଚାକୁ ଆସିଛି । କାରଣ ଷ୍ଟାଡିୟମ ନିର୍ମାଣ ପରେ ଏହା ଭିତରକୁ ପ୍ରବେଶ କଲେ ଶିବମୟ ପରିବେଶ ଅନୁଭବ କରିପାରିବେ ଦର୍ଶକ । କାନପୁର ଓ ଲକ୍ଷେ୍ନø ପରେ ଉତ୍ତରପ୍ରଦେଶର ଏହା ତୃତୀୟ ଅର୍ନ୍ତଜାତୀୟ କ୍ରିକେଟ ଷ୍ଟାଡିୟମ ହେବ । ଏହି ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍ ସହ ଆଇପିଏଲ ମ୍ୟାଚ୍ ମଧ୍ୟ ଖେଳାଯିବ ।