ଏବେ ଆତଙ୍କବାଦୀଙ୍କୁ ତାଙ୍କ ଘରେ ପଶି ମାରୁଛୁ । ଋଷିକେଶ ସମାବେଶରେ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ ।

118

କନକ ବ୍ୟୁରୋ : ଉତ୍ତରାଖଣ୍ଡର ଋଷିକେଶରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶରେ ଏବେ ମଜବୁତ ସରକାର ରହିଛି । ଯେଉଁଥିପାଇଁ ଭାରତ ଏବେ ଆତଙ୍କବାଦୀଙ୍କୁ ତାଙ୍କ ଘରେ ପଶି ନିପାତ କରୁଛି । କେବଳ ଏତିକି ନୁହେଁ ୭ ଦଶକ ଧରୀ ଜମ୍ମୂ-କାଶ୍ମୀରରେ ଲାଗିଥିବା ଧାରା ୩୭୦ ମଧ୍ୟ ଏହି ସରକାରରେ ହଟିଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ଦେଶରେ ସ୍ଥିର ସରକାର ଚାଲିଛି । ଲୋକ ସରକାରଙ୍କ କାମ ଦେଖୁଛନ୍ତି । ମଜବୁତ ସରକାର ପାଇଁ ଦେଶରେ ଆତଙ୍କବାଦୀ ନିପାତ ହେଉଛନ୍ତି । କଂଗ୍ରେସ ସରକାର କେବେ ମଧ୍ୟ ୱାନ୍ ରାଙ୍କ, ୱାନ ପେନସନ ଲାଗୁ କରି ପାରିନଥାନ୍ତା କିନ୍ତୁ ଆମ ସରକାର ଏହାକୁ ଲାଗୁ କରିଛି । କଂଗ୍ରେସ ସମୟରେ ଯବାନଙ୍କ ସୁରକ୍ଷା ପାଇଁ କୌଣସି ଉପକରଣ ନଥିଲା । ପ୍ରଥମେ ବୁଲେଟ ପ୍ରୁଫ୍ ଜ୍ୟାକେଟର ଅଭାବ ରହିଥିଲା । କିନ୍ତୁ ଆଜି ସେନାର ଯବାନଙ୍କୁ ସବୁ ପ୍ରକାର ଅତ୍ୟାଧୁନିକ ଉପକରଣ ଯୋଗାଇ ଦିଆଯାଇଛି । ଏବେ ସୀମାରେ ରାସ୍ତା ନିର୍ମାଣ ଚାଲୁଥିବା ବେଳେ ଅତ୍ୟାଧୁନିକ ସୁଡଙ୍ଗ ତିଆରି ହେଉଛି ।

ମୋଦୀ କହିଛନ୍ତି, ଏବେ କଂଗ୍ରେସ ପଣ କରିଛି ଯେ ହିନ୍ଦୁ ଧର୍ମରେ ଯେଉଁ ଶକ୍ତି ଅଛି ତାହାକୁ ବିନାଶ କରିବୁ । ଏପରିକି କଂଗ୍ରେସ ମା’ ଗଙ୍ଗାକୁ ନାଳ ବୋଲି ଅଭିହିତ କରୁଛି । ଉତ୍ତରାଖଣ୍ଡର ଆସ୍ଥାକୁ ନଷ୍ଟ କରିବାକୁ ପ୍ରୟାସ ହେଉଛି । କଂଗ୍ରେସ ନେତାଙ୍କ ବୟାନ ଏହି ନିଆଁରେ ଘିଅ ଢାଳିବା ସଦୃଶ ପାଲଟିଛି । କଂଗ୍ରେସ ପ୍ରଭୁ ଶ୍ରୀରାମଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ କରୁଛି । ରାମ ମନ୍ଦିରକୁ ବିରୋଧ କରୁଛି । ରାମ ମନ୍ଦିର ଯେପରି ନିର୍ମାଣ ହୋଇ ନପାରିବ ସେଥିପାଇଁ ସବୁ ପ୍ରକାର ପ୍ରୟାସ କରିଛି କଂଗ୍ରେସ । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ କଂଗ୍ରେସକୁ ନିମନ୍ତ୍ରଣ ଦିଆଯାଇଥିଲେ ମଧ୍ୟ ଏହାକୁ ଦଳ ପକ୍ଷରୁ ବହିଷ୍କାର କରାଯାଇଥିଲା ।