କନକ ବ୍ୟୁରୋ : ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଜିତିବା ପରେ ଏବେ ମୋଦୀ ସରକାରଙ୍କ ଆତ୍ମବିଶ୍ୱାସ ଅଧିକ ହୋଇଛି । ପୂର୍ବରୁ ଯେତିକି ଆକ୍ରଣାତ୍ମକ ଥିଲେ ଏବେ ଆଉ ଟିକେ ବଢ଼ିଯାଇଛି । ନିକଟରେ ସଂସଦଭବନରେ ଅନାସ୍ଥା ପ୍ରସ୍ତାବ ଉପରେ ବିବୃତି ଦେଇ ବିରୋଧୀଙ୍କ ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ମୋଦି କହିଛନ୍ତି ସରକାର ନିଜର ଆତ୍ମବିଶ୍ୱାସ ଓ ସଚ୍ଚୋଟତା ବଳରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ମାତ ଦେବାରେ ସଫଳ ହୋଇଛି ।

Advertisment

ମୋଦୀ କହିଛନ୍ତି ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ସତ କିନ୍ତୁ ଭୋଟିଂକୁ ନେଇ ଭୟଭୀତ ହୋଇପଡିଥିଲେ । ତେଣୁ ବିବୃତି ମଝିରୁ ହିଁ ଗୃହ ଛାଡି ଚାଲିଯାଇଥିଲେ ।

ଏଥିସହ ମୋଦୀ କହିଛନ୍ତି ମଣିପୁର ହିଂସାକୁ ନେଇ ବିରୋଧୀ ଗୋଟେ ଡ୍ରାମା କରିଥିଲେ । ପ୍ରକୃତରେ ମଣିପୁରବାସୀଙ୍କ ପ୍ରତି ବିରୋଧୀଙ୍କ କୌଣସି ସମବେଦନା ନଥିଲା । ତେଣୁ ସଂସଦରେ ଚର୍ଚ୍ଚା ବଦଳର ହଟ୍ଟଗୋଳ କରୁଥିଲେ ।

ସେପଟେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ବର୍ଷିଛନ୍ତି । ପଶ୍ଚିମବଙ୍ଗରେ ଟିଏମସି ସରକାର ନିର୍ବାଚନୀ ହିଂସା କରିଛି । ରକ୍ତର ରାଜନୀତି କରୁଛି ଟିଏମସି ।

ମୋଦୀ କହିଛନ୍ତି ମମତା ବାର୍ନାଜୀ ସରକାର ପଶ୍ଚିମବଙ୍ଗରେ ବିଜେପି କର୍ମୀ, ନେତା ଓ ସାଧାରଣ ଜନତାଙ୍କୁ ଉପରେ ଅତ୍ୟାଚାର କରୁଛନ୍ତି । କ୍ଷମତା ପାଇଁ ଟିଏମସି ସରକାର ନିରୀହ ଜନତାଙ୍କୁ ବଳି ପକାଉଛି ।

ଯେବେଠୁ ବିରୋଧୀ ମଣିପୁର ପ୍ରସଙ୍ଗ ଉଠାଇ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ସେବେଠୁ ଇଣ୍ଡିଆ ମେଂଟକୁ କୌଣସି ନା କୌଣସି ଉପାୟରେ ଟାର୍ଗେଟ କରିଆସୁଛି ବିଜେପି । ଲୋକସଭାରେ ପ୍ରଧାନମନ୍ତ୍ରୀ ତେରଛାବାଣ ମାରି ବିରୋଧୀଙ୍କୁ ମୁହଁବନ୍ଦ କରିିଥଲେ ଆଉ ଏବେ ସଂସଦ ବାହାରେ ମଧ୍ୟ ବିଜେପି ଜାରି ରଖିଛି ଆକ୍ରଣତ୍ମକ ଆଭିମୁଖ୍ୟ ।