ଦଳୀୟ ସଭାରୁ ରାଜ୍ୟ ସରକାରଙ୍କୁ ମୋଦିଙ୍କ ଖୋଲା ଆକ୍ରମଣ । ବିକାଶ ପାଇଁ ରାଜ୍ୟ ଉଦାସୀନ, ଭ୍ରଷ୍ଟାଚାର, ନିଷ୍ପତି ନେବାରେ ବିଳମ୍ବ ରାଜ୍ୟର ପରିଚୟ ଦେଉଛି ଓଡିଶା

49

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ତାଳଚେରରେ ସାର କାରଖାନାର ଶିଳାନ୍ୟାସ କରିଥିବା ବେଳେ ଝାରସୁଗୁଡ଼ା ବିମାନବନ୍ଦରକୁ ଲୋକାର୍ପିତ କରିଥିଲେ। ଉଭୟ ସ୍ଥାନରେ ଦୁଇଟି ପୃଥକ୍‌ ପୃଥକ୍‌ ସରକାରୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହାସହିତ ବିଜେପି କର୍ମୀଙ୍କୁ ନେଇ ଆଉ ଦୁଇଟି ଜନସଭାରେ ଯୋଗଦେଇଥିଲେ ମୋଦୀ। ବିଜେପି ନିର୍ବାଚନ ପ୍ରଚାରର ବିଗୁଲ୍‌ ଫୁଙ୍କିଥିଲେ।

ଉଭୟ ତାଳଚେର ଓ ଝାରସୁଗୁଡାରେ ଅନୁଷ୍ଠିତ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଅତ୍ୟନ୍ତ ଭାବପୂର୍ଣ୍ଣ ସଂପର୍କ ଥିବା ସୂଚାଇଥିଲେ ପ୍ରଧାନମନ୍ତ୍ରୀ। ବାରମ୍ବାର ମିତ୍ର ବୋଲି ମଧ୍ୟ ଉଚ୍ଚାରଣ କରୁଥିଲେ। ହେଲେ, ଉଭୟ ସରକାରୀ କାର୍ଯ୍ୟକ୍ରମ ସ୍ଥଳଠାରୁ କେଇ ଶହ ମିଟର ଦୂରରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ ନବୀନଙ୍କ ବିରୋଧରେ ମୋଦୀଙ୍କର କଠୋର ଆଭିମୁଖ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ କେନ୍ଦ୍ର ସରକାରକୁ ଅସମ୍ଭବ ସହାୟତା ପ୍ରଦାନ କରିଥିବା ନବୀନଙ୍କ ବିରୋଧରେ ମାତ୍ର ମାସକ ବ୍ୟବଧାନରେ ମୋଦୀଙ୍କର ଏଭଳି କଡ଼ା ମନୋଭାବ ବିଜେପି ଶିବିରକୁ ଉଲ୍ଲସିତ କରିଥିବା ବେଳେ ବିଜେଡି ଶିବରରେ କମ୍ପନ ସୃଷ୍ଟି କରିଥିବା କୁହାଯାଉଛି। ପରୋକ୍ଷରେ ମୋଦୀ ଓଡ଼ିଶାରେ ନିର୍ବାଚନୀ ବାତାବରଣକୁ ଖୋରାକ ଯୋଗାଇଛନ୍ତି। ଉଭୟ ସଭାରେ ରାଜ୍ୟ ସରକାର ଓ ନବୀନଙ୍କ ବିରୋଧରେ ୧୦ ଦଫା ଅଭିଯୋଗ ଫର୍ଦ ଉପସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ।

ତାଳଚେରରେ ଅନୁଷ୍ଠିତ ସଭାରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା, ଆୟୁଷ୍ମାନ ଯୋଜନା ଓ ଟଙ୍କିକିଆ ଚାଉଳ ଯୋଜନା ସଂପର୍କରେ ଠାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ତାଙ୍କ ଆଭିମୁଖ୍ୟ ପ୍ରକଟ କରିଥିଲେ। ଆଉ ଛି଼ଡୁଥିବା ପଶ୍ଚିମ ଓଡ଼ିଶା ଭୋଟ ବ୍ୟାଙ୍କକୁ ଟାଣି ଧରିବା ଲାଗି ଝାରସୁଗୁଡାରେ ସରକାରକୁ ଦୁର୍ନୀତିଗ୍ରସ୍ତ ଓ ପଛୁଆ ବୋଲି କହିଥିଲେ ମୋଦୀ। ଭ୍ରଷ୍ଟାଚାର ଓ ବିଳମ୍ବିତ ନିଷ୍ପତ୍ତି ଓଡ଼ିଶା ସରକାରର ପରିଚୟ ହେଲାଣି। ତେଣୁ ଦିଲ୍ଲୀରେ ଥାଇ ଆମକୁ ଓଡ଼ିଶା ସରକାରଙ୍କୁ ଉଠାଇବାକୁ ପଡ଼ୁଛି। ରାଜ୍ୟର ବିକାଶ ହେଉ, ସେ ନେଇ ଓଡ଼ିଶା ସରକାରର ଚିନ୍ତା ନାହିଁ। ରାଜ୍ୟର ବିକାଶ ଅପେକ୍ଷା ଦିଲ୍ଲୀ କଥା ବେଶୀ ଚିନ୍ତା କରୁଛନ୍ତି ନବୀନ ବୋଲି ସେ କହିଥିଲେ।

ଓଡ଼ିଶାରେ ‘ପିସି’ କାରବାର ଚାଲିଛି ବେଲି ଉଲ୍ଲେଖ କରି ମୋଦୀ କହିଲେ ଯେ ଏହି ପିସି ପାଇଁ କୌଣସି ବିକାଶ ହୋଇପାରୁନାହିଁ। ବିନା ହାତଗୁଞ୍ଜାରେ କିଛି ବି କାର୍ଯ୍ୟ ହେଉନାହିଁ। ପିସି କାରବାର ରାଜ୍ୟର ଗରିବ ଲୋକଙ୍କୁ ପେଷି ଦେଲାଣି। ଚାରା ଠାରୁ ଆରମ୍ଭ କରି ରାସ୍ତାଘାଟ ଯାଏ ସବୁଠି ଘୋଟାଲା ହେଉଛି। ଓଡ଼ିଶାବାସୀ ହନ୍ତସନ୍ତ ହେଉଛନ୍ତି। ରାଜ୍ୟରେ ଭ୍ରଷ୍ଟତନ୍ତ୍ର ଚାଲିଛିି। ଏଭଳି ସ୍ଥିତିରେ ବିକାଶ କେମିତି ସମ୍ଭବ ହେବ?

ବେକାରୀ, ମାତୃଶିଶୁ ମୃତ୍ୟୁ, ଅପପୁଷ୍ଟି ସ୍ଥିତି ଗମ୍ଭୀର ରହିଛି ବୋଲି ଦର୍ଶାଇ ମୋଦୀ ଗୋଟିଏ ପଟେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସଂପର୍କରେ ସୂଚନା ଦେଇଥିବା ବେଳେ ସମାନ୍ତରାଳ ଭାବେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମରେ ଓଡ଼ିଶା ଯୋଗନଦେବା ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇନାହିଁ। ନବୀନ ବାବୁ କାହିଁକି ବୁଝିପାରୁନାହାନ୍ତି ମୁଁ ବୁଝିପାରୁନି। ଖୋଲା ସଭାରେ ନବୀନ ବାବୁଙ୍କୁ ପୁଣି ଥରେ କହୁଛି, ଯୋଜନାରେ ସାମିଲ ହୁଅନ୍ତୁ, ଗରିବଙ୍କୁ ଲାଭ ଦିଅନ୍ତୁ। ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କଥା କାହାକୁ ଅଛପା ନୁହେଁ।

ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ରାଞ୍ଚିରୁ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦେଶବ୍ୟାପୀ ଆରମ୍ଭ ହେବ। ଏହାଦ୍ୱାରା ୧୦ କୋଟି ଗରିବ ପରିବାର ଅର୍ଥାତ ପ୍ରାୟ ୫୦ କୋଟି ଲୋକ ଉପକୃତ ହେବେ। ୫ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ଜଣଙ୍କୁ ଚିକିତ୍ସା ଖର୍ଚ୍ଚ ଲାଗି ବୀମା ସୁବିଧା ମିଳିବ। ୨୭ଟି ରାଜ୍ୟ ଏଥିରେ ସାମିଲ ହୋଇଛନ୍ତି। ଭିତ୍ତିଭୂମି ସଂପର୍କରେ ମୋଦୀ କହିଥିଲେ, ଓଡ଼ିଶାରେ ଡାକ୍ତରୀ ଶିକ୍ଷା ଏବଂ ଆଧୁନିକ ଚିକିତ୍ସା ସେବାକୁ ବିକଶିତ କରିବା ଲାଗି ୫ ଟି ଜିଲ୍ଲା ହସ୍ପିଟାଲ (ବାଲେଶ୍ୱର, ବାରିପଦା, କୋରାପୁଟ, ବଲାଙ୍ଗୀର ଏବଂ ପୁରୀ) କୁ ମେଡିକାଲ କଲେଜ ହସ୍ପିଟାଲରେ ପରିଣତ କରାଯାଇଛି। ତାଳଚେର ଓ ସୁନ୍ଦରଗଡରେ ଆଉ ଦୁଇଟି ମେଡିକାଲ କଲେଜ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଚାଲିଛି । ୩୬୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାରେ କଟକ, ବୁର୍ଲା ଏବଂ ବ୍ରହ୍ମପୁର ମେଡିକାଲ କଲେଜର ଆଧୁନିକୀକରଣ ହେଉଛି। ୫୭୦ କୋଟି ଟଙ୍କା ବିନିଯୋଗରେ ରାଉରକେଲା ମେଡିକାଲ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲର ମଧ୍ୟ ଆଧୁନିକୀକରଣ କରାଯାଉଛି।

ସ୍ୱଚ୍ଛତା କ୍ଷେତ୍ରରେ ଓଡ଼ିଶାର ପଛୁଆପଣ ସଂପର୍କରେ ସଙ୍ଗିନ ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀ କହିଥିଲେ, ଏ ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ପଟ୍ଟନାୟକଙ୍କ ସହ କଥା ହୋଇଥିଲି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ପଡ଼ିଥିବା ଜଣାଇଥିଲି। ଏଠି ପୁଣି କହୁଛି, ନବୀନ ଓଡ଼ିଶାରେ ସ୍ୱଚ୍ଛତାକୁ ପ୍ରାଥମିକତା ଦିଅନ୍ତୁ। କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରୁଥିବା ନେଇ ଗର୍ଜୁଥିଲା ରାଜ୍ୟ ବିଜେପି। ଆଜି ଏ ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ମୁହଁ ଖୋଲିଛନ୍ତି। ରାଜ୍ୟ ସରକାରଙ୍କ ଟଙ୍କିକିଆ ଚାଉଳ ପଛର ରହସ୍ୟ ସୂଚାଇ ମୋଦୀ କହିଥିଲେ, କେନ୍ଦ୍ର ସରକାର ଚାଉଳ କେଜି ପିଛା ୨୫ରୁ ୩୦ ଟଙ୍କା ଦେଉଛନ୍ତି। ଅର୍ଥାତ୍‌ ରାଜ୍ୟ ସରକାର ଯେଉଁ ୧ ଟଙ୍କିଆ ଚାଉଳ ଦେଉଛନ୍ତି, ତା ପଛରେ କେନ୍ଦ୍ରର ଭାଗ ୨୫ରୁ ୩୦ ଟଙ୍କା ରହିଛି। ଏଥିପାଇଁ ପ୍ରତି ମାସରେ ଓଡ଼ିଶାକୁ କେନ୍ଦ୍ର ୪୫୦ କୋଟି ଟଙ୍କା ଦେଉଛି।

ଉପା ସରକାର ଓ ଏନ୍‌ଡିଏ ସରକାରର ତୁଳନାତ୍ମକ ଚିତ୍ର ପ୍ରଦାନ କରିବାକୁ ଭୁଲି ନ ଥିଲେ ମୋଦୀ। ବିମାନ ବନ୍ଦର, ସାର କାରାଖାନା ସଂପର୍କରେ ଉପା ସରକାରର ଉଦାସୀନତା ସୂଚାଇବା ସହିତ ତାଙ୍କ ସରକାରର ଆଗୁଆପଣ ଚିତ୍ର ରଖିଥିଲେ। ବିକାଶ ପାଇଁ ସରକାରର ପ୍ରତିବଦ୍ଧତା ସଂପର୍କରେ ଠାରି କହିଥିଲେ, ୫୦ ବର୍ଷ ପରେ ଦ୍ୱିତୀୟ ବିମାନ ବନ୍ଦର ହୋଇଛି। ଖୁବ୍‌ ଶୀଘ୍ର କୋରାପୁଟ, କଳାହାଣ୍ଡି ଓ ରାଉରକେଲାରେ ବି ବିମାନବନ୍ଦର ହେବ। ସେହିପରି ସାର କାରଖାନା ଆଜି ଆରମ୍ଭ ହୋଇଛି, ସେ ନିଜେ ୩୬ମାସ ପରେ ଆସି ଏହାର ଉଦ୍‌ଘାଟନ କରିବେ।

କେନ୍ଦ୍ରୀୟ ଅବହେଳା ନେଇ ରାଜ୍ୟ ସରକାରଙ୍କ ନାରାବାଜି ଉପରେ ଜବାବ ଦେଇଥିଲେ ପ୍ରଧାନମନ୍ତ୍ରୀ। କହିଥିଲେ, ଉପା ସରକାର ସମୟରେ ୮୨ ହଜାର କୋଟି ଟଙ୍କା ମିଳୁଥିଲା। ଏନ୍‌ଡିଏ ସରକାର ସମୟରେ ଏହା ୨ଲକ୍ଷ କୋଟି ଟଙ୍କା ଡେଇଁଛି। ହେଲେ ଦୁର୍ଭାଗ୍ୟ ହେଲା, ଅନୁଦାନ ଅର୍ଥ ଖର୍ଚ୍ଚ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ନିଜ ଭାଷଣ ଛଳରେ ଉଜ୍ଜଳା ଯୋଜନାକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର ୫୦ ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମିଲ କରାଯାଇଥିବା ଜଣାଇଥିଲେ। ଆହୁରି କହିଥିଲେ, ୨୦୨୨ ସୁଦ୍ଧା ଦେଶରେ କେହି ହେଲେ ବାସହୀନ ରହିବେ ନାହିଁ । ଓଡ଼ିଶାରେ ଗତ ଚାରି ବର୍ଷ ମଧ୍ୟରେ ୧୦ ଲକ୍ଷ ଗୃହ ନିର୍ମାଣ ପାଇଁ କେନ୍ଦ୍ରୀୟ ମଂଜୁରି ଦିଆଯାଇଛି । ଜନଧନ ଯୋଜନାରେ ଓଡ଼ିଶାରେ ୧ କୋଟି ୩୦ ଲକ୍ଷ ଖାତା ଖୋଲାଯାଇଛି।

ଏସବୁ ସହିତ ଉଭୟ କାର୍ଯ୍ୟକ୍ରମରେ ମୋଦୀ ‘ପରିବର୍ତ୍ତନ’ କଥା ଉଠାଇଥିଲେ। ବିକାଶ ପାଇଁ ଓଡ଼ିଶାରେ ଏବେ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି। ପରିବର୍ତ୍ତନ ହିଁ ଓଡ଼ିଶାକୁ ଆଗକୁ ନେଇପାରିବ। ବିଜେପି ସରକାର ଓଡ଼ିଶାରେ ଆଣିବା ପାଇଁ ଜନସାଧାରଣଙ୍କୁ ପରୋକ୍ଷରେ ଆହ୍ଵାନ ଦେଇଥିଲେ ମୋଦୀ। ଦଳୀୟ କାର୍ଯ୍ୟକ୍ରମରେ ବରିଷ୍ଠ ନେତାମାନଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ସୁରେଶ ପ୍ରଭୁ, ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଏପାଖ ସେପାଖ

ଦିଲ୍ଲୀରେ ବାଜୁଛି ରୁଦ୍ର ପାଣିଙ୍କ ନାଁ

ପୂର୍ବତନ ଏମ୍‌ପି ରୁଦ୍ର ନାରାୟଣ ପାଣି ତାଳଚେର ଏଫସିଆଇ ସଭାରେ ମଞ୍ଚ ପରିଚାଳନା କରୁଥିଲେ। ମୋଦୀ ପହଞ୍ଚିବା ପୂର୍ବରୁ ମଞ୍ଚରେ ଥିବା ନେତାମାନେ ଭାଷଣ ଦେଉଥିଲେ। ଏତିକିବେଳେ ମୋଦି ପହଞ୍ଚିଲେ। ‘ହର ହର ମୋଦୀ’ ଧ୍ୱନିିରେ ମଞ୍ଚ କମ୍ପୁଥିବା ବେଳେ ମୋଦି ରୁଦ୍ରଙ୍କୁ କରମର୍ଦ୍ଦନ କରିବା ସହ ଦିଲ୍ଲୀରେ ତାଙ୍କ ନାମ ଗୁଞ୍ଜରିତ ହେଉଥିବା ଭାଷଣରେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଏ କଥା ଶୁଣି ମଞ୍ଚରେ ବସିଥିବା ରୁଦ୍ର ଗଦ୍‌ ଗଦ୍‌ ହୋଇ ପଡ଼ିଥିଲେ।

ଟ୍ରାଫିକ୍‌ରେ ଫସିଲେ ପୂର୍ବତନ ମନ୍ତ୍ରୀ

ପ୍ରବଳ ବର୍ଷା ହେବାରୁ ଲୋକଙ୍କ ସଂଖ୍ୟାକୁ ନେଇ ପୁଲିସ୍‌ ପୂର୍ବାନୁମାନ କରିପାରିନଥିଲା। ଏଣୁ ଟ୍ରାଫିକ୍‌ ନିୟନ୍ତ୍ରଣରେ ଫେଲ୍‌ ମାରିଥିଲା। ସଭାସ୍ଥଳ ଠାରୁ ଦୁଇ କିଲୋମିଟର ଦୂରରୁ ପୁଲିସ ଗାଡିଗୁଡିକୁ ଅଟକାଇଥିଲା। ତାଳଚେରରୁ ଚାଳଗଡ଼ ଦେଇ ସାଭସ୍ଥଳକୁ ଯାଉଥିବା ଗାଡ଼ିଗୁଡ଼ିକ ଚାଳଗଡ଼ କନଭେୟର ବେଲ୍ଟଠାରୁ ଆଗକୁ ଗଡ଼ି ନପାରିିବାରୁ ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଓ ମନମୋହନ ସାମଲ ଟ୍ରାଫିକ୍‌ ଜାମ୍‌ରେ ଫସିଥିଲେ। ସଭାସ୍ଥଳକୁ ସମର୍ଥକମାନେ ନ ପହଞ୍ଚିବା ପାଇଁ ଏହା ରାଜ୍ୟ ପୁଲିସର ଷଡ଼ଯନ୍ତ୍ର ବୋଲି ମଞ୍ଚ ପରିଚାଳନା ଅବସରରେ ପୂର୍ବତନ ସାଂସଦ ରୁଦ୍ର ପାଣି କହି ପକାଇଥିଲେ।

ମୋଦୀଙ୍କ ଓଡ଼ିଆ ଭାଷଣ

‘ଜୟ ଜଗନ୍ନାଥ। ମା’ ହିଙ୍ଗୁଳାଙ୍କ ଆଶୀର୍ବାଦରୁ ଆପଣମାନେ ଭଲରେ ଥିବେ। ଗଣେଶ ପୂଜା ପାଇଁ ତାଳଚେରବାସୀଙ୍କୁ ଅଭିନନ୍ଦନ’ କହି ମୋଦୀ ଓଡ଼ିଆରେ ଭାଷଣ ଆରମ୍ଭ କରିବାରେ ସଭାସ୍ଥଳ କରତାଳିରେ ଉଛୁଳି ଉଠିଥିଲା। ଉତ୍ସାହିତ ଲୋକେ ‘ହର ହର ମୋଦୀ’ ସ୍ଲୋଗାନ ଦେଇ ପ୍ରଧାନମନ୍ତ୍ରୀଙ୍କ ଏହି ଓଡ଼ିଆ ଅଭିଭାଷଣକୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନର ମହାନ ସେନାନୀ ପବିତ୍ରମୋହନ ପ୍ରଧାନ, ବାଜି ରାଉତ, ଦାଶରଥି ପାଣି, ସୋମନାଥ ସିଂ, ସାରଙ୍ଗଧର ଦାଶ, ମହେଶ ଚନ୍ଦ୍ର ସୁବାହୁ ସିଂ, ବୈଷ୍ଣବ ପଟ୍ଟନାୟକ ପ୍ରମୁଖଙ୍କୁ ସ୍ମରଣ କରିଥିଲେ।

କ’ଣ କହିଲେ ବିଶ୍ୱଭୂଷଣ!

ସଭା ଶେଷ କରି ମୋଦୀ ଫେରୁଥିବା ବେଳେ ମଞ୍ଚରେ ୧୦ ସେକେଣ୍ଡ ପାଇଁ ବିଶ୍ୱଭୂଷଣଙ୍କ ସହ ଗୋପନ ଆଲୋଚନା କରୁଥିବା ଦେଖାଯାଇଥିଲା। ମୋଦୀ ମୁଣ୍ଡ ହଲାଇ ତାଙ୍କ କଥାକୁ ସମର୍ଥନ କରୁଥିବା ମଧ୍ୟ ପରିଲକ୍ଷିତ ହୋଇଥିଲା। ତେବେ କଣ ଏମିତି କହିଲେ ପୁରୁଖା ନେତା! ଏହାକୁ ନେଇ ଦଳର ଅନ୍ୟ ନେତାମାନେ ଚିନ୍ତାରେ ପଡ଼ିଥିଲେ। ଅନ୍ୟପଟେ ମଂଚାସୀନ ଅତିଥିଙ୍କ ଗହଣରେ ତାଳଚେରର ବିଧାୟକ ପ୍ରାର୍ଥୀ କାଳିନ୍ଦୀ ସାମଲଙ୍କୁ ଦେଖା ଯାଇ ନଥିଲା। ଏହାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା।

‘ଜୟ ମାଁ ସମଲେଇ ମୋର ମାଁ’

ଝାରସୁଗୁଡ଼ା ଅମଲିପାଲିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ଜନସଭାରେ ମଞ୍ଚାସୀନ ଅତିଥିଙ୍କୁ ହିନ୍ଦୀରେ ସମ୍ବୋଧିତ କରି ସାରିଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଚିରାଚରିତ ଢଙ୍ଗରେ ସ୍ଥାନୀୟ ଭାଷାରେ ଭାଷଣ ଆରମ୍ଭ କରିଥିଲେ। ପ୍ରଥମେ ଜୟ ଜଗନ୍ନାଥ କହିବା ପରେ ‘ଜୟ ମାଁ ସମଲେଇ ମୋର ମାଁ’ ବୋଲି କହିଥିଲେ। ସମ୍ବଲପୁରୀରେ କହିଲେ, ‘ଦାଦା, ଭାଇ,ବେହେନକୁ ମୋର ନୂଆଁଖାଇ ଜୁହାର। ମାଁ ସମଲେଇ ସମସ୍ତଙ୍କୁ ଆଶୀର୍ବାଦ କରୁନ୍‌’। ଏହାପରେ ପୁଣି ଓଡ଼ିଆରେ କହିଲେ, ଏହି ମାଟି ହେଉଛି ବୀର ସୁରେନ୍ଦ୍ର ସାଏ, ଛବିଳ ସାଏ, ଉଦନ୍ତ ସାଏ, ମାଧୋ ସିଂହ, ହାତୀ ସିଂହ, ମିଟୁ କୁଅଁର, ନରସିଂହ ଗୁରୁ, ପାର୍ବତୀ ଗିରି, ଚନ୍ଦ୍ରଶେଖର ବେହେରା, ସ୍ୱଭାବ କବି ଗଂଗାଧର ମେହେରଙ୍କର ମାଟି। ଏହି ମାଟିର ବୀର ସୁପୁତ୍ରଙ୍କୁ ମୁଁ ନମନ କରୁଛି ବୋଲି ମୋଦୀ କହିଥିଲେ।

ପିନ୍ଧାଇଲେ ସମ୍ବଲପୁରୀ ଜାକେଟ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମଲିପାଲି ମଞ୍ଚରେ ପହଞ୍ଚିବା ମାତ୍ରେ ତାଙ୍କୁ ଏକ ସମ୍ବଲପୁରୀ ଜ୍ୟାକେଟ୍‌ ପିନ୍ଧାଇଥିଲେ ବିଧାୟିକା ରାଧାରଣୀ ପଣ୍ଡା ଏବଂ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ସମ୍ବଲପୁରୀ କପଡ଼ାରେ ମୋଦୀଙ୍କ ମାପରେ ଏହି ମୋଦୀ ମାର୍କା ଜାକେଟ୍‌ ତିଆରି ହୋଇଥିଲା। ମୋଦୀଙ୍କୁ ବିଶାଳ ଫୁଲମାଳ ପିନ୍ଧାଯିବା ସହ ସମ୍ବଲପୁରୀ ଉତ୍ତରୀୟ ଏବଂ ମୋଦୀଙ୍କ ଫଟୋ ଥିବା ଚିତ୍ରକଳା ମଧ୍ୟ ଉପହାର ଦିଆ ଯାଇଥିଲା। ହେଲେ ସେସବୁ ସାମଗ୍ରୀ ଗୁଡ଼ିକ ମୋଦୀ ସୁରକ୍ଷା କର୍ମୀଙ୍କ ହାତକୁ ବଢ଼ାଇ ଦେଇଥିଲାବେଳେ ସମ୍ବଲପୁରୀ ଜାକେଟ୍‌ଟି ପିନ୍ଧି ଭାଷଣ ଦେଇଥିଲେ ଓ ତାହା ପିନ୍ଧି ପ୍ରତ୍ୟାବର୍ତ୍ତନ କରିଥିଲେ।

ହାଇକୋର୍ଟ ବେଞ୍ଚ ଦାବିରେ ପ୍ଲାକାର୍ଡ ପ୍ରଦର୍ଶନ

ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଆଇନ୍‌ଜୀବୀମାନେ ହାଇକୋର୍ଟ ବେଞ୍ଚ ଦାବିରେ ସ୍ମାରକପତ୍ର ଦେବାକୁ ଝାରସୁଗୁଡ଼ା ଯାଇଥିଲେ। ହେଲେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ନମିଳିବାରୁ ନିରାଶ ହୋଇ ଫେରି ଆସିଥିଲେ। ତେବେ ସଭାସ୍ଥଳ ନିକଟରେ ସେମାନେ ହାଇକୋର୍ଟ ବେଞ୍ଚ ଦାବିରେ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ।

କୋଶଲ ରାଏଜ ଦାବି

ଶନିବାର ମୋଦୀଙ୍କ ସଭାରେ ବହୁ ଯୁବକ ‘କୋଶଳ ରାଏଜ୍‌ ଦାବି’ ଉଠାଇଥିଲେ। ସେମାନେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବା ସହ ନିରବରେ ସମ୍ବଲପୁରୀ/କୋଶଲି, ହିନ୍ଦୀ ତଥା ଇଂରାଜୀ ଭାଷାରେ କୋଶଳ ରାଏଜ ଦାବି ସଂପର୍କିତ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ସଭାସ୍ଥଳରୁ ମୋଦୀଙ୍କ ବିଦାୟ ପରେ ସେମାନେ ଏନେଇ ସ୍ଳୋଗାନ ମଧ୍ୟ ଦେଇଥିଲେ।

ରାଜ୍ୟପାଳ, ୨ କେନ୍ଦ୍ରମନ୍ତ୍ରୀ ଓ ୨ ବିଧାୟକ ସୁଯୋଗ ପାଇଲେନି

ବିମାନବନ୍ଦରରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଉଦ୍‌ବୋଧନ ଦେଇଥିବା ବେଳେ ମଞ୍ଚାସୀନ ଥିବା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ବିଧାୟକ ନବ ଦାସ ଓ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ କହିବା ପାଇଁ ସୁଯୋଗ ମିଳି ନଥିଲା।