କନକ ବ୍ୟୁରୋ : ବଲାଙ୍ଗୀରରେ ବିଜେଡି ସରକାରକୁ ଘେରିବା ସହ ନବୀନଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । ସିଧା ସିଧା ରାଜ୍ୟ ସରକାରକୁ ତୀର ମାରିବା ସହିତ, ଏଥର ନବୀନ ପ୍ରଚାର କରିବାକୁ ଆସିଲେ ତାଙ୍କୁ କଣ୍ଟାବାଞ୍ଜିର ୧୦ଟି ଗାଁର ନାଁ ବିନା କାଗଜ ଧରି ପଚାରିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ମୋଦୀ ।

Advertisment

ବଲାଙ୍ଗୀରରେ ମୋଦୀ କହିଛନ୍ତି, ଏବେ ଆପଣଙ୍କ ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିବାକୁ ଆସିଛନ୍ତି । ତାଙ୍କୁ ବାଜା ବଜାଇ, ବିଦାୟ ଦେଇଦିଅନ୍ତୁ । ଯେବେ ନବୀନ ବାବୁ ଏଠାକୁ ନିର୍ବାଚନ ପ୍ରଚାରରେ ଆସନ୍ତି, ତାଙ୍କୁ ଭେଟିଲେ ବିନା କାଗଜ ଧରି କଣ୍ଟାବାଞ୍ଜିର ୧୦ଟି ଗାଁର ନାଁ ପଚାରିବେ । ସେ ୧୦ଟି ଗାଁ ର ନାଁ କହିପାରିବେ ନାହିଁ । ଏତେ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ, ଯେଉଁଠି ନିର୍ବାଚନ ଲଢିବାକୁ ଆସୁଛନ୍ତି, ସେ ସେହି ଅଞ୍ଚଳର ୧୦ଟି ଗାଁର ନାଁ କହିପାରୁନାହାଁନ୍ତି । ସେ ଲୋକଙ୍କ ଦୁଃଖ ଜାଣିନାହାଁନ୍ତି, ଲୋକଙ୍କ ସ୍ୱପ୍ନ ଜାଣିନାହାଁନ୍ତି, ସାମର୍ଥ୍ୟ ଜାଣିନାହାଁନ୍ତି ବୋଲି କହିବା ସହ ନବୀନଙ୍କୁ ଟାର୍ଗେଟ କରିଛନ୍ତି ମୋଦୀ ।

ସେପଟେ ଜୁନ୍ ୪ ତାରିଖ ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍ । ଜୁନ୍ ୧୦ ତାରିଖରେ ବିଜେପି ଓଡିଶାରେ ସରକାର ଗଢିବା ସହିତ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ମୋଦୀ କହିଛନ୍ତି । ବିଜେପିର ମୁଖ୍ୟମନ୍ତ୍ରୀ ସେ ବନିବେ, ଯିଏ ଓଡିଶା ମାଟିରେ ଜନ୍ମ ହେଇଛି । ଯିଏ ଏଠାକାର ସଂସ୍କୃତି ସହ ବଞ୍ଚିଛି, ଭଗବାନ ଜଗନ୍ନାଥଙ୍କ ଚରଣରେ ବଡ ହେଇଛି । ଏହା ହେଉଛି ମୋଦୀର ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଲୋକଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ଆପଣ ୨୫ ବର୍ଷ ଧରି ବିଜେଡିକୁ ଅବସର ଦେଲେ । ବିଜେଡି ନେତାଙ୍କ ଘର ହେଇଗଲା, ଗାଡି ହେଇଗଲା । ହେଲେ ଏହାପରେ ବି, ଏଠାକାର ଲୋକ ଦାଦନ ପାଇଁ ପଳାୟନ ହେବାକୁ ବାଧ୍ୟ ହେଉଛି । ଖାଲି ସେତିକି ନୁହେଁ, ବିଜେଡି ସରକାର ଚାଷୀଙ୍କ ସହ ବଡ ଧୋକା କରିଛି । ଏଠି ଧାନ ଚାଷୀଙ୍କୁ ଏମଏସପି ମିଳୁନି । ଏଠି ଧାନ ମଣ୍ଡିରେ ଘୋଟାଲା ହେଉଛି । ଚାଷୀଙ୍କ ବଡ ଅଂଶ କଟନୀ ଛଟନୀରେ ପଳାଉଛି । ୫୦୦ରୁ ୬୦୦ ଟଙ୍କା କଟିଯାଉଛି ।

ଏଥର ଓଡିଶା ବିଜେପି କହିଛି, ୩୧୦୦ ଟଙ୍କାରେ ଏମଏସପି ଧାନ ଚାଷୀଙ୍କୁ ମିଳିବ । ଯେମିତି ଧାନ ନେବୁ, ୪୮ ଘଣ୍ଟାରେ ଆପଣଙ୍କ ଖାତାରେ ସିଧା ଟଙ୍କା ଜମା ହେଇଯିବ । ଛତିଶଗଡରେ ବିଜେପି ମଧ୍ୟ ଗ୍ୟାରେଣ୍ଟି ଦେଇଥିଲା । ଆଉ ପ୍ରଥମ ୩୦ ଦିନରେ ଗ୍ୟାରେଣ୍ଟି ପୂରା କରିଦେଲୁ । ଆପଣଙ୍କ ଜୀବନରେ ପରିବର୍ତ୍ତନର ଗ୍ୟାରେଣ୍ଟି ମୋଦୀ ଦେଉଛି । ଯେବେ ପର୍ଯ୍ୟନ୍ତ ଏଠି ବିଜେଡିର ସରକାର ରହିଛି, ଲାଭାର୍ଥୀଙ୍କୁ ପୂରା ହକ୍ ମିଳିପାରିବନି ବୋଲି କହିବା ସହ ଡବଲ୍ ଇଞ୍ଜିନର ନାରା ଦେଇଥିଲେ ମୋଦୀ ।