TMC ଗଡରେ ଦିଦିଙ୍କ ଉପରେ ବର୍ଷିଲେ ମୋଦି । କହିଲେ, ପଶ୍ଚିମବଙ୍ଗକୁ ନର୍କ କରି ଦେଇଛନ୍ତି TMC ଗୁଣ୍ଡା, ମୋତେ ଜେଲ ପଠାଇବାକୁ ଦେଉଛନ୍ତି ଧମକ ।

219

ପଶ୍ଚିମବଙ୍ଗର ମଥୁରାପୁରରେ ଆୟୋଜିତ ନିର୍ବାଚନୀ ସଭାରେ ମମତାଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶାହଙ୍କ ରାଲିରେ ହୋଇଥିବା ହିଂସା କଥା ଉଠାଇ ମୋଦି କହିଛନ୍ତି, ଚଳିତଥର ଲୋକତନ୍ତ୍ରର ଅର୍ଥ କଣ ତାହା ମମତାଙ୍କୁ ବେଶ ଭଲ ଭାବେ ବୁଝାଇଦେବେ ବଙ୍ଗଳାବାସୀ । ଯେଉଁଭଳି ମମତା ଓ ତାଙ୍କ ପୁତୁରା ପଶ୍ଚିମବଙ୍ଗକୁ ନିଜର ଜାଗିର ବୋଲି ଧରିନେଇଛନ୍ତି, ଗତ ୩ରୁ ୪ ଦିନ ମଧ୍ୟରେ ପଶ୍ଚିମବଙ୍ଗରେ ଯେଉଁ ଘଟଣା ଘଟୁଛି ତାହାକୁ ପୂରା ଦେଶ ଏବେ ଦେଖୁଛି ।

ମୋଦି କହିଛନ୍ତି. ଟିଏମସି ଗୁଣ୍ଡା ଏବେ ପଶ୍ଚିମବଙ୍ଗକୁ ନର୍କ କରି ସାରିଲେଣି । ଏମାନେ ଯେଉଁଭଳି ହିଂସା ସୃଷ୍ଟି କରୁଛନ୍ତି ତାହା ଫଳରେ ଦେଶର ଗଣତନ୍ତ୍ର ବଦନାମ ହେଉଛି । ଟିଏମସିର ଏହି ଗୁଣ୍ଡାମାନେ ରାତିରେ ମହାନ ଶିକ୍ଷାବିତ୍ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଭାଙ୍ଗିଲେ ତାହା ଦର୍ଶାଉଛି ଯେ ଭୋଟ ପାଇଁ ଦିଦି କେଉଁ ସ୍ତରକୁ ଯାଇପାରନ୍ତି । କିଏ ବଙ୍ଗଳାର ଗୌରବ ରକ୍ଷା ପାଇଁ ଲଢେଇ କରୁଛି ଆଉ କିଏ ଅନୁପ୍ରବେଶକାରୀଙ୍କ ରକ୍ଷା ପାଇଁ ଲଢେଇ କରୁଛି ତାହା ସମସ୍ତେ ଦେଖୁଛନ୍ତି । ଏଠାରେ ଅତ୍ୟାଚାର ବିରୋଧରେ ବିଜେପି ପ୍ରଥମ ଥର ପାଇଁ ସ୍ୱର ଉତ୍ତୋଳନ କରିଥିଲା ।

ପରାଜୟ ଭୟରେ ଦିଦି ଏବେ ଧମକ ଦେବା ଆରମ୍ଭ କଲେଣି । ଏପରିକି ଗତକାଲି ଦିଲ୍ଲୀ ବିଜେପି କାର୍ଯ୍ୟାଳୟ ଅକ୍ତିଆର କରିବାକୁ ଧମକ ଦେଇଥିବା ବେଳେ ଆଜି ମୋତେ ଜେଲ ପଠାଇବାକୁ ଧମକ ଦେଉଛନ୍ତି ବୋଲି କହିଛନ୍ତି ମୋଦି ।ମମତାଙ୍କର କେବଳ କ୍ଷମତା ଆବଶ୍ୟକ । ସେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ନିଜର ପ୍ରଧାନମନ୍ତ୍ରୀ ବୋଲି ମାନନ୍ତି ନାହିଁ କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରଂଶସା କରିବାରେ ଟିକିଏ ପଛଘୁଞ୍ଚା ଦିଅନ୍ତି ନାହିଁ । କଥା କଥାରେ ପଶ୍ଚିମବଙ୍ଗର ପିଲାଙ୍କୁ ଜେଲରେ ଭର୍ତ୍ତି କରୁଥିବା ବେଳେ ଅନୁପ୍ରବେଶକାରୀଙ୍କୁ ସବୁ ପ୍ରକାର ସହଯୋଗ କରୁଥିବା କହିଛନ୍ତି ମୋଦି । ତେଣୁ ଏହି ନିର୍ବାଚନରେ ମମତା ସରକାରକୁ ହଟାଇ ଗେରୁଆ ବାନା ଉଡାଇବାକୁ ପଶ୍ଚିମବଙ୍ଗବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି ।