ବିହାର ପ୍ରଚାର ଲଢ଼େଇରେ ମୋଦି ବନାମ ରାହୁଲ । ନୀତିଶଙ୍କୁ ପ୍ରଶଂସା, କଂଗ୍ରେସକୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ । ରାହୁଲଙ୍କ ଜବାବ,ସେନାଙ୍କୁ ଅପମାନିତ କରିଛନ୍ତି ମୋଦି, ଅନୁପ୍ରେବଶ ନେଇ କହିଛନ୍ତି ମିଛ ।

208

କନକ ବ୍ୟୁରୋ : ବିହାର ନିର୍ବାଚନରେ ମୋଦି ବନାମ ରାହୁଲ । ୧୫ ବର୍ଷ ତଳର ଲାଲୁ ସରକାରକୁ ଟାର୍ଗେଟ କରି ମୋଦି କହିଛନ୍ତି, ମହାମେଂଟ ଜିତିଲେ ପୁଣି ବିହାରରେ ଅପରାଧ ଓ ଦୁର୍ନୀତି ଫେରି ଆସିବ । କାଶ୍ମୀରର ୩୭୦ ଧାରା ଉଠାଇବାକୁ ଯେଉଁମାନେ ସମର୍ଥନ କରୁଛନ୍ତି, ତାଙ୍କୁ ବର୍ଜନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ମୋଦି । ସେପଟେ ରାହୁଲ ଗାନ୍ଧୀ ଉଭୟ କେନ୍ଦ୍ରର ମୋଦି ସରକାର ଓ ବିହାରର ନୀତିଶ ସରକାରକୁ ସମାଲୋଚନା କରିଛନ୍ତି ।

ଭୋଜପୁରୀ ଭାଷାରେ ଭାଷଣ ଆରମ୍ଭ କରି ବିହାର ନିର୍ବାଚନ ମଇଦାନରେ ଏଂଟ୍ରି ମାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୋଟିଏ ଦିନରେ ତିନୋଟି ଜନସଭା କରି ଲାଲୁ ଅମଳର ଅପରାଧ ଓ ଦୁର୍ନୀତିର କଥା କହି ସାବଧାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ବିହାର ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କ ସହ ୨ଟି ଜନସଭା କରି ବିହାରକୁ ବଦଳାଇବାର ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି ।

ନିର୍ବାଚନୀ ସଭାରେ ବିହାର ପ୍ରସଙ୍ଗ ସହ ଲଦାଖ, ଜମ୍ମୁକାଶ୍ମୀରରୁ ୩୭୦ ଧାରା ଉଠାଇବା ଓ କୃଷି ବିଲ୍ ଭଳି ରାଷ୍ଟ୍ରିୟ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ମୋଦିଙ୍କ ଅଭିଯୋଗ ଉପରେ ଜବାବ ରଖି ଭାରତରୁ ଚୀନ ସେନା କେବେ ଯିବେ ବୋଲି ପ୍ରଧାନମନ୍ତ୍ରୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ ।