କନକ ବ୍ୟୁରୋ : ଅନୁଗୁଳ ଜନସଭାରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେଡି ସରକାରକୁ ଟାର୍ଗେଟ କରି ମୋଦୀ କହିଛନ୍ତି, ମୁଁ ମୋ ଜୀବନର ଅଧିକ ସମୟ ଦଳର ସଙ୍ଗଠନ ପାଇଁ କାମ କରିଛି । ଦିନ ୧୦ଟାରେ ଏତେ ଜନସମୁଦ୍ର ଦେଖି ମୁଁ ଅଭିଭୂତ । ମୁଁ ସକାଳ ୭ଟାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବା ବେଳେ ପୁରୀରେ ହଜାର ହଜାର ଲୋକଙ୍କ ଭିଡ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଥିଲି । ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରି ମୁଁ ଓଡ଼ିଶା ଓ ଦେଶର ସୁଖ ସମୃଦ୍ଧି ପାଇଁ ଆଶୀର୍ବାଦ କାମନା କରିଛି । ଆଜି ଦେଶରେ ୫ମ ପର୍ଯ୍ୟାୟ ନିର୍ବାଚନ ହେଉଛି । ଭୋଟର ବୁଥରେ ପହଞ୍ଚି ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି । ସଭାକୁ ଆସିଥିବା ଦିବ୍ୟାଙ୍ଗ ବ୍ୟକ୍ତି ହିଁ ମତଦାତାଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

Advertisment

ନିର୍ବାଚନକୁ ନେଇ ଅନେକ ଏକ୍ସପର୍ଟ ପୂରା ଭାରତ ବୁଲି ମତଦାତାଙ୍କ ଠାରୁ ମତ ନେଉଛନ୍ତି । ସବୁଠି ନିର୍ବାଚନକୁ ନେଇ ଉତ୍ସାହ ରହିଛି, ସମସ୍ତେ ତୃତୀୟ ଥର ମୋଦି ସରକାରକୁ ଚାହୁଁଛନ୍ତି । ଓଡ଼ିଶାର ଗାଁ ଗାଁ, ଘରେ ଘରେ ଗୋଟିଏ ନାରା ଶୁଭୁଛି ଓଡ଼ିଶାରେ ପ୍ରଥମଥର ହେବ ଡବଲ ଇଞ୍ଜିନ ସରକାର । ବିଜେଡିକୁ ୨୫ ବର୍ଷ ଭରସା କରିଲେ, ଏବେ ଓଡ଼ିଶାବାସୀ ଆତ୍ମମନ୍ଥନ କରୁଛନ୍ତି ଯେ ଏତେ ବର୍ଷରେ ଜନସାଧାରଣଙ୍କୁ ମିଳିଲା କଣ । ଆଜି ବି ଓଡ଼ିଶାର ଯୁବକ ଦାଦନ ଖଟିବାକୁ ଯାଉଛନ୍ତି । ଆଦିବାସୀ ଅଞ୍ଚଳ ଯେଉଁଠି ଅଧିକ ଖଣିଜ ସମ୍ପଦ ରହିଛି ସେ ସ୍ଥାନ ସବୁଠୁ ପଛୁଆ ରହିଛି । ଏହି ଅଞ୍ଚଳରୁ ହିଁ ଅଧିକ ଦାଦନ ସମସ୍ୟା ଦେଖିବାକୁ ମିଳୁଛି । ସମୃଦ୍ଧ ଓଡ଼ିଶାର ଜନତା କାହିଁକି ଗରିବୀରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି ।

ଓଡ଼ିଶାର ଗରିବୀକୁ ଦେଖିଲେ ମୋତେ ବହୁତ କଷ୍ଟ ହୋଇଥାଏ । ସମୃଦ୍ଧ ଓଡ଼ିଶାକୁ କିଏ ବରବାଦ କରିଛି? କିଏ ଓଡ଼ିଶାର ଯୁବବର୍ଗଙ୍କ ସ୍ୱପ୍ନକୁ ନଷ୍ଟ କଲା? ଏହାର କାରଣ ହେଉଛି ବିଜେଡି ସରକାର । ଏହି ସରକାର ଭଷ୍ଟ୍ରାଚାରଙ୍କ କବଳରେ ରହିଛି । କିଛି ଦୁର୍ନୀତିଖୋର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କବଜା କରି ରଖିଛନ୍ତି । ବିଜେଡିର ଛୋଟ ଛୋଟ ନେତା କୋଟି କୋଟି ଟଙ୍କାର ମାଲିକ ପାଲଟିଛନ୍ତି । ଏଠାରେ ଥିବା ଖଣିଜ ସମ୍ପଦର ଲାଭ ଜନସାଧାରଣଙ୍କୁ ମିଳୁନି ।

୨୦୧୪ରୁ ଯେବେଠୁ ସେବା କରିବାକୁ ସୁଯୋଗ ଦେଇଛନ୍ତି ସେବେଠୁ ନୂଆ ଖଣି ଉତ୍ତୋଳନ ଆଇନ ଆଣିଛନ୍ତି । ଯାହାଦ୍ୱାରା ଓଡ଼ିଶାକୁ ଅଧିକ ଅଧିକ ରୟାଲିଟି ମିଳୁଛି । ଯାହାକୁ ଖଣି ଅଞ୍ଚଳର ବିକାଶ ସହ ଏଠାକାର ଲୋକଙ୍କୁ ସୁବିଧା ଯୋଗାଇ ଦିଆଯାଇପାରିବ । ଡିଏମଏଫ ଜରିଆରେ ୨୬ ହଜାର କୋଟି ଟଙ୍କା ଦିଆଯାଇଛି । ଏହି ଟଙ୍କା ଗାଁ ଲୋକଙ୍କ ବିକାଶ ଓ ସ୍କୁଲ ପାଇଁ ଖର୍ଚ୍ଚ ହୋଇଥାନ୍ତା କିନ୍ତୁ ଏହାକୁ କିଛି ଦୁର୍ନୀତିଖୋର ବିଜେଡି ନେତା ଚଳୁ କରୁଛନ୍ତି ।

ବିଜେଡି ସରକାରରେ ଜଗନ୍ନାଥ ମନ୍ଦିର ମଧ୍ୟ ସୁରକ୍ଷିତ ନୁହେଁ । ଗତ ୬ ବର୍ଷ ହେବ ରତ୍ନଭଣ୍ଡାରର ଚାବି ମିଳୁନି । ଆମ ଘର ଚାବି ଖୋଜିଲେ ମହାପ୍ରଭୁଙ୍କୁ ସ୍ମରଣ କରିଥାଉ । କିନ୍ତୁ ୬ ବର୍ଷ ହେବ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ମିଳୁନି । ଏଥିପାଇଁ ବିଜେଡି ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ କବଜା କରିଥିବା ଲୋକ ହିଁ ଦାୟୀ । ପୂରା ଓଡ଼ିଶା ଜାଣିବାକୁ ଚାହୁଁଛି ଯେଉଁ ଯାଞ୍ଚ ହୋଇଛି ତାହାର ରିପୋର୍ଟରେ ଏମିତି କଣ ଅଛି ଯେ, ଏହାକୁ ଲୁଚାଯାଉଛି । ମୁଁ ଭରସା ଦେଉଛି, ଓଡ଼ିଶାରେ ବିଜେପି ସରକାର ହେବା ମାତ୍ରେ ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରିବ ଏବଂ ଏଇଠୁ ହିଁ ଓଡ଼ିଶାବାସୀଙ୍କ ସେବା ଆରମ୍ଭ କରିବ ବିଜେପି ।

ଓଡ଼ିଶାରେ ବିଜେପି ସରକାର ଆଣନ୍ତୁ, ଓଡ଼ିଶାର ପୁଅ କିମ୍ବା ଝିଅକୁ ହିଁ ବିଜେପି ମୁଖ୍ୟମନ୍ତ୍ରୀ କରିବ । ଜୁନ୍ ୧୦ରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାରର ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ । ଏଥିପାଇଁ ମୁଁ ନିମନ୍ତ୍ରଣ ଦେବାକୁ ଆସିଛି । ଏବେ ସମୟ ଆସିଛି ଢିଲା କାମ, ଢିଲା ନୀତି, ଧୀମା କାମକୁ ଛାଡି ବିଜେପିକୁ ବାଛନ୍ତୁ । ଗତ ୨୫ ବର୍ଷରେ ଅନେକ ଜଳସେଚନ ପ୍ରକଳ୍ପ ଅଟକି ରହିଛି । କିନ୍ତୁ ମୋଦିଙ୍କୁ ସୁଯୋଗ ଦେଲେ ଜଳସେଚନର ସୁବ୍ୟବସ୍ଥା କରିବୁ । ଓଡ଼ିଶାର ଧାନ ଚାଷୀଙ୍କ ସହ ବିଶ୍ୱାସଘାତ ହୋଇଛି । ଏମଏସପି ଦର ୨୨୦୦ ଟଙ୍କା ମଧ୍ୟ ମିଳୁନି । ବିଜେଡି ନେତା ମଣ୍ଡିରେ ଚାଷୀଙ୍କୁ ଲୁଟୁଛନ୍ତି । ବିଜେପିର କର୍ମୀ ଚାଷୀଙ୍କୁ ଭେଟନ୍ତୁ ଏବଂ କୁହନ୍ତୁ, ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି ଓଡ଼ିଶାରେ ଧାନର ଏମଏସପି ୩୧୦୦ ଟଙ୍କା ହେବ । ୪୮ ଘଣ୍ଟା ମଧ୍ୟରେ ଏହି ଟଙ୍କା ଆକାଉଣ୍ଟକୁ ଆସିବ । ମଣ୍ଡିରେ ଯେଉଁ କଟନି ଛଟନି ହେଉଛି ସେଥିରୁ ମଧ୍ୟ ଚାଷୀଙ୍କୁ ମୁକ୍ତି ଦିଆଯିବ ।

ଆଦିବାସୀଙ୍କ ବିକାଶ କ୍ଷେତ୍ରରେ ବିଜେଡି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି । ମୋଦୀ ସରକାର ଆଦିବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି । ବିଜେଡି ସରକାର ବନଜାତ ଦ୍ରବ୍ୟ ଉପରେ ସଠିକ୍ ଦାମ ମିଳିପାରୁନାହିଁ । ପେସା ଆଇନ ଲାଗୁ କରିବାରେ ବିଜେଡି ବିଫଳ ହୋଇଛି । ଓଡ଼ିଶାରେ ବିଜେଡି ସରକାର ପାଇଁ ମା’ ମାନଙ୍କ ପାଇଁ ଘର ଚଳାଇବା କଷ୍ଟ ହୋଇପଡୁଛି । ମୋଦୀ ଦିଲ୍ଲୀରୁ ମାଗଣା ଚାଉଳ ପଠାଉଛନ୍ତି କିନ୍ତୁ ଏଠାରେ ବିଜେଡି ନେତା ଉକ୍ତ ମାଗଣା ଚାଉଳରେ ଷ୍ଟିକର ମାରି ଏହାକୁ ହଡପ କରି ଦେଉଛନ୍ତି । ଓଡ଼ିଶାର ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଆଣିଛନ୍ତି । ସେହିଭଳି ବିଜୁଳି ବିଲକୁ ଶୂନ କରିବାକୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଆଣିଛନ୍ତି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପାଇଁ ବିଧାୟକ ବାଛି ଭୁବନେଶ୍ୱର ପଠାନ୍ତୁ ଏବଂ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରେକର୍ଡ ମାର୍ଜିନରେ ବିଜୟୀ କରି ଦିଲ୍ଲୀ ପଠାନ୍ତୁ । ମୋର ଜୟ ଜଗନ୍ନାଥ ବାର୍ତ୍ତାକୁ ସମସ୍ତ ଘର ଓ ପରିବାର ନିକଟରେ ପହଞ୍ଚାନ୍ତୁ ।