ବିଜେଡି ସରକାରରେ ଫୁଲଷ୍ଟପ୍ ଲଗାଇବେ ଓଡ଼ିଶାବାସୀ । ମୟୂରଭଞ୍ଜରେ ବିଜେଡି ସରକାରକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ ।

443

କନକ ବ୍ୟୁରୋ : ବାରିପଦାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହ ଉଭୟ ବିଜେଡି  ଉପରେ ବର୍ଷିଛନ୍ତି । ମୋଦୀ କହିଛନ୍ତି, ଆଜି ଓଡ଼ିଶାରେ ନିର୍ବାଚନ ପ୍ରଚାରର ମୋର ଶେଷ ଦିନ । ଏବେ ପଶ୍ଚିମବଙ୍ଗରୁ ଆସିବା ପରେ ଦେଖୁଛି, ଯେଉଁଠିକୁ ଗଲେ ମଧ୍ୟ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ଏଭଳି ଉତ୍ସାହ ହିଁ ପୁଣିଥରେ ଦେଶରେ ମୋଦୀ ସରକାର ଗଢିବାର ବାର୍ତ୍ତା ଦେଉଛି ।

୫ ଦଶକ ପରେ ଲଗାତାର ତୃତୀୟ ଥର ପୂର୍ଣ୍ଣ ବହୁମତ ସରକାର ଗଢିବାକୁ ଦେଶବାସୀ ନିର୍ଣ୍ଣୟ କରିଛନ୍ତି । ଯେଉଁ ବିକାଶ ଲୋକେ ପୂର୍ବରୁ ଦେଖିନଥିଲେ ତାହା ଗତ ୧୦ ବର୍ଷ ମଧ୍ୟରେ ଦେଖିଛନ୍ତି । ୨୦୧୪ରେ ୧୧ ନମ୍ବର ଅର୍ଥନୀତି ଥିବା ଭାରତ ଏବେ ବିଶ୍ୱର ୫ମ ଅର୍ଥନୈତିକ ଦେଶ ପାଲଟିଛି । ସ୍ୱାଧୀନତା ପରେ ଦେଶରେ ସ୍ୱଚ୍ଛତା ୪୦ ପ୍ରତିଶତ ଥିଲା । କିନ୍ତୁ ଏବେ ଏହା ୧୦୦ ପ୍ରତିଶତରେ ପହଞ୍ଚିଲାଣି । ପୂର୍ବରୁ ୫୦ ପ୍ରତିଶତ ଲୋକଙ୍କୁ ଏଲପିଜି ଗ୍ୟାସ ସଂଯୋଗ ମିଳୁଥିଲା । କିନ୍ତୁ ଏବେ ପାଖାପାଖି ୧୦୦% ଲୋକଙ୍କୁ ଗ୍ୟାସ ସଂଯୋଗ ମିଳିଛି । ୨୦୧୪ ପୂର୍ବରୁ ୭୫% ଗ୍ରାମୀଣ ପରିବାରକୁ ନଳରେ ଜଳ ଆସୁନଥିଲା । କିନ୍ତୁ ଆଜି ୭୫% ଗ୍ରାମୀଣ ପରିବାର ପାଖରେ ନଳରେ ଜଳ ପହଞ୍ଚୁଛି । ମାଗଣା ଚାଉଳ ଓ ମାଗଣା ଚିକିତ୍ସା ମିଳିବ ବୋଲି କେହି ଭାବିନଥିଲେ । କିନ୍ତୁ ମୋଦୀ ସରକାର ମାଗଣା ଚାଉଳ ଓ ମାଗଣା ଚିକିତ୍ସା ସୁବିଧା ଦେଉଛନ୍ତି । ଏହା କେବଳ ଟ୍ରେଲର । ଆଗାମୀ ୫ ବର୍ଷରେ ଭାରତ ବିଶ୍ୱର ୩ୟ ଅର୍ଥନୀତିର ଦେଶ ପାଲଟିବ । ଆଗାମୀ ୫ ବର୍ଷରେ ଭାରତ ଅନେକ କ୍ଷେତ୍ରରେ ଆତ୍ମନିଭର ପାଲଟିବ । ବିଭିନ୍ନ କ୍ଷେତ୍ରର କାୟାକଳ୍ପ ବଦଳିବ । ଏହାର ସିଧାସଳଖ ଲାଭ ଓଡ଼ିଶାକୁ ମିଳିବ ।

ବିଜେଡି ସରକାରରେ ଫୁଲଷ୍ଟପ ଲଗାଇବାକୁ ଓଡ଼ିଶାବାସୀ ନିଷ୍ପତ୍ତି ନେଇଛନ୍ତି । ୧୦ ଜୁନରେ ବିଜେପିର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶପଥ ନେବେ । ଆଜି ପୂରା ଓଡ଼ିଶା କହୁଛି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ହେବେ । ଓଡ଼ିଶା ଲୋକ ଚାହୁଁଛନ୍ତି ମୋଦୀ ଗ୍ୟାରେଣ୍ଟି । ଏବେ ସୁଦ୍ଧା ମୟୂରଭଞ୍ଜର ଜୟଜୟକାର ଏଥିପାଇଁ ହେଉଥିଲା କାରଣ ଏଠାରେ ମା’ ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣୁଥିଲେ । କିନ୍ତୁ ଏବେ ମୟୂରଭଞ୍ଜର ଝିଅ ୧୪୦ କୋଟି ଭାରତୀୟଙ୍କ ନେତୃତ୍ୱ ନେଉଛନ୍ତି । ମୟୂରଭଞ୍ଜ, ଓଡ଼ିଶା ଓ ପୂରା ଦେଶ ପାଇଁ ଏହା ଗୌରବର ବିଷୟ । ଆଦିବାସୀ କଲ୍ୟାଣ ପାଇଁ ସମର୍ପିତ ହୋଇ କାମ କରୁଛି ବିଜେପି ସରକାର । ଅଟଳଜୀଙ୍କ ସରକାର ସମୟରେ ଆଦିବାସୀ ମନ୍ତ୍ରାଳୟ ହୋଇଥିଲା । ସାନ୍ତାଳୀ ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ କରିଥିଲେ ବିଜେପି ସରକାର । ମୋଦୀ ସରକାର ଆଦିବାସୀ କଲ୍ୟାଣ ବଜେଟ ୫ ଗୁଣା ବୃଦ୍ଧି କରିଛନ୍ତି । ଗତ ୧୦ ବର୍ଷରେ ଆଦିବାସୀ କ୍ଷେତ୍ରରେ ଅନେକ ଏକଲବ୍ୟ ଆବାସିକ ବିଦ୍ୟାଳୟ ନିର୍ମାଣ ହୋଇଛି । ଓଡ଼ିଶା ବିଜେପିର ସୁଭଦ୍ରା ଯୋଜନାର ବହୁତ ଚର୍ଚ୍ଚା ହେଉଛି । ଏହି ଯୋଜନାରେ ମହିଳାଙ୍କୁ ୫୦ ହଜାର ଭାଉଚର ଦିଆଯିବ । ଏହାସହ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବ ବିଜେପି ସରକାର । ବିଜୁଳି ବିଲକୁ ଶୂନ କରିଦେବ ବିଜେପି ସରକାର । ଏହାସହ ବିଜୁଳି ଉତ୍ପାଦନ କରି ଆୟ ମଧ୍ୟ କରିପାରିବେ ଲୋକେ । ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଜରିଆରେ ଏହାର ଲାଭ ପାଇପାରିବେ ଲୋକେ ।

ବିଜେପି ସରକାର ଆସିଲେ ଓଡ଼ିଶାରେ ଧାନର ଏମଏସପି ମୂଲ୍ୟ ୩୧୦୦ ଟଙ୍କା ଚାଷୀଙ୍କୁ ଦିଆଯିବ । ବିଜେଡିକୁ ୨୫ ବର୍ଷ ଭରସା କଲେ , କିନ୍ତୁ ବିଜେଡି ପ୍ରତିଥର ଓଡ଼ିଶାବାସୀଙ୍କ ଭରସାକୁ ଭାଙ୍ଗିଛି । ଆଦିବାସୀଙ୍କ ଜମି ଲୁଟ୍ କରିବାକୁ ବିଜେଡି ସରକାର ଆଇନ ଆଣିଥିଲେ । କିନ୍ତୁ ବିଜେପିର ଚାପରେ ଏହାକୁ ପ୍ରତ୍ୟାହାର କରିଥିଲେ । ପୁଣିଥରେ ବିଜେଡିକୁ ସୁଯୋଗ ମିଳିଲେ ଆଦିବାସୀଙ୍କ ଜମି ଲୁଟ୍ କରିବେ । ଲୋକେ କହୁଛନ୍ତି, ଓଡ଼ିଶାରୁ ଲୁଟ୍ ଟଙ୍କା ବିଦେଶକୁ ଯାଉଛି । ଲୁଟ୍ ଟଙ୍କା ଯେଉଁଠି ବି ଲୁଚାଇଲେ ତାହାକୁ ଆଦାୟ କରିବୁ । ଏହା ମୋଦୀଙ୍କ ଗ୍ୟାରେଣ୍ଟି । ଯିଏ ଲୋକଙ୍କ ଟଙ୍କା ଲୁଟିଛି, ତାକୁ ଫେରାଇବାକୁ ପଡିବ । ଲୁଟ୍ କରିଥିବା ଲୋକ ଜୀବନସାରା ଜେଲରେ ରହିବେ । ଜନତାଙ୍କ ଲୁଟ୍ କରୁଥିବା ଲୋକଙ୍କ ପ୍ରତି ଟିକେ ବି ଦରଦ ଦେଖାଇବୁନି । ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ନେଇ ବିଜେଡି ସରକାର ଧୋକା ଦେଉଛି । ଆଜି ପୂରା ଦେଶ ଜାଣିବାକୁ ଚାହୁଁଛି ରତ୍ନଭଣ୍ଡାର ଚାବି କୁଆଡେ ଗଲା? ଯାଞ୍ଚ ରିପୋର୍ଟରେ କାହା ନାଁ ରହିଛି । ବିଜେଡି ଯାହା ଲୁଚାଉଛି ତାହାର ଖୁଲାସା ବିଜେପି ସରକାର ଆସିଲେ ନିଶ୍ଚୟ କରାଯିବ ।

ବର୍ଷେ ହେବ ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା ଏତେ ଖରାପ କେମିତି ହେଲା । ନବୀନଙ୍କ ସହ ଅତି ଘନିଷ୍ଠ ଥିବା ଲୋକେ କହୁଛନ୍ତି, ନବୀନ ଏବେ ନିଜେ କିଛି କରିପାରୁନାହାନ୍ତି । ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ପଛରେ କିଛି ଷଡଯନ୍ତ୍ର ହୋଇଥାଇପାରେ ବୋଲି ତାଙ୍କ ଘନିଷ୍ଠ କହୁଛନ୍ତି? ପ୍ରଶ୍ନ ଉଠୁଛି, ସତରେ କଣ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ପଛରେ ଷଡଯନ୍ତ୍ର ହେଉନି ତ? ଏହା ପଛରେ ସେହି କୋଟରୀ କାମ କରୁନି ତ, ଯେଉଁମାନେ ପରଦା ପଛରେ ରହି ଓଡ଼ିଶାର ଶାସନ କରୁଛନ୍ତି । ଏହା ଉପରୁ ପରଦା ହଟିବା ଆବଶ୍ୟକ । ଏହାର ଯାଞ୍ଚ ହେବା ଆବଶ୍ୟକ । ବିଜେପି ସରକାର ଆସିଲେ, ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଅଚାନକ କାହିଁକି ଖରାପ ହେଲା ତାହାର ଯାଞ୍ଚ କରିବାକୁ କମିଟି ଗଠନ କରିବୁ ।

୨୫ ବର୍ଷରେ ଜଳସେଚନ ପାଇଁ ବିଜେଡି ସରକାର କୌଣସି କାମ କରିନାହିଁ । ଅନେକ ଜଳସେଚନ ପ୍ରକଳ୍ପ ଅଟକି ରହିଥିଲା । କିନ୍ତୁ ମୋଦୀ ସରକାରରେ ଅନେକ ପ୍ରକଳ୍ପ କାମ ପୂରା ହୋଇଛି । ବିଜେଡି ସରକାର ରେଳ ପ୍ରକଳ୍ପକୁ ଆଗକୁ ବଢିବାକୁ ଦେଉନି । କିନ୍ତୁ ବିଜେପି ସରକାର ଆସିଲେ ଏଠାରେ ରେଳ ପ୍ରକଳ୍ପ ତ୍ୱରାନିତ୍ୱ ହେବ । ଆଗାମୀ ସମୟ ଓଡ଼ିଶାର ସମୟ । ତେଣୁ ସମସ୍ତଙ୍କୁ ବିଜୟୀ କରିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।