କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଋଷ ଏବଂ ୟୁକ୍ରେନ ସହ ଯୁଦ୍ଧ ଚାଲିବା ପରେ ପ୍ରଥମ ଥର ପାଇଁ ଗତକାଲି ରାତିରେ ମୋଦୀ ପୁଟିନଙ୍କ ସହ କଥା ହୋଇଛନ୍ତି । ଦୁଇ ଦେଶର ପ୍ରମୁଖ ନେତା ପାଖାପାଖି ୨୫ ମିନିଟ୍ ଫୋନରେ କଥା ହୋଇଥିବା ସୂଚନା ରହିଛି । ଏହି ସମୟରେ ମୋଦୀ ଯୁଦ୍ଧ ରୋକିବାକୁ ପୁଟିନଙ୍କୁ କହିଥିବା ସୂଚନା ରହିଛି । ଯେଉଁ ସ୍ଥିତି ଉପୁଜିଛି ସେ ନେଇ ଉଭୟ ଆଲୋଚନା କରିଛନ୍ତି ।

Advertisment

ଆଲୋଚନା ବେଳେ ପୁଟିନ ୟୁକ୍ରେନ ସହ ସାଂପ୍ରତିକ ଯୁଦ୍ଧ ସ୍ଥିତି ବାବଦରେ ମୋଦିଙ୍କୁ ଅବଗତ କରାଇଛନ୍ତି । ସେପଟେ ଆଲୋଚନା ବେଳେ ପୁଟିନଙ୍କ ଆଗରେ ୟୁକ୍ରେନରେ ଥିବା ଭାରତୀୟଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଋଷିଆ ଏବଂ ନାଟୋକୁ ନେଇ ଯେଉଁ ବିବାଦ ରହିଛି ତାହା ଆଲୋଚନା ମଧ୍ୟରେ ସମାଧାନ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିବା ସୂଚନା ରହିଛି ।

ଗତକାଲି ନୂଆଦିଲ୍ଲୀରେ ଥିବା ୟୁକ୍ରେନ ଦୂତାବାସ ରୁଷିଆ ରାଷ୍ଟ୍ରପତିଙ୍କ ସହ ମୋଦୀ କଥା ହୁଅନ୍ତୁ ବୋଲି ନିବେଦନ କରିଥିଲେ । ଏହାପରେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଘନଘଟା ଭିତରେ ନୂଆ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । କ୍ୟାବିନେଟ କମିଟି ଅନ ସିକ୍ୟୁରିଟିର ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଏନଏସଏ ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ୟୁକ୍ରେନ-ରୁଷ ବିବାଦ ଯୋଗୁଁ ଅର୍ଥନୈତିକ ପ୍ରଭାବ ଓ ଅଶୋଧିତ ତୈଳର ଦରକୁ ନେଇ ଚର୍ଚ୍ଚା ହୋଇଛି ।