ଓଡିଶା ବିକାଶର ଗ୍ୟାରେଣ୍ଟି ନେଲେ ମୋଦୀ: କଂଗ୍ରେସକୁ ଟାର୍ଗେଟ କଲେ, ବିଜେଡି ବିରୋଧରେ ପଦୁଟିଏ କହିଲେନି

158

କନକ ବ୍ୟୁରୋ: ମୋଦୀ ଗ୍ୟାରେଣ୍ଟି ସମାବେଶରେ ଓଡିଶା ସହ ସାରା ଦେଶର ବିକାଶର ଗ୍ୟାରେଣ୍ଟି ନେଲେ ପ୍ରଧାନମନ୍ତ୍ରୀ । ଟାର୍ଗେରେ ରଖିଲେ କଂଗ୍ରେସକୁ, ହେଲେ ବିଜେଡି ବିରୋଧରେ ମୁହଁ ଖୋଲିଲେନି ମୋଦୀ । ବିକାଶକୁ ସର୍ବାଗ୍ରେ ରଖି କହିଲେ ମୋଦୀ ଗ୍ୟାରେଣ୍ଟି ସେହିଠୁ ଆରମ୍ଭ ହୁଏ ଯେଉଁଠି ଅନ୍ୟମାନଙ୍କ ଗ୍ୟାରେଣ୍ଟି ଆଶା ଶେଷ ହୋଇଯାଏ । ମୋଦୀ ଗରିବଙ୍କ ପାଇଁ ଗ୍ୟାରେଣ୍ଟି ନିଅନ୍ତି ଯାହାର କେହି ନାହାନ୍ତି ତାର ମୋଦୀ ଅଛନ୍ତି ବୋଲି ଜନସମାବେଶରେ ବଡ ଗ୍ୟାରେଣ୍ଟି ନେଇଥିଲେ ମୋଦୀ । କଂଗ୍ରେସକୁ ବିକାଶ ବିରୋଧୀ ଆଦିବାସୀ ବିରୋଧୀ ଓ ଗରିବଙ୍କ ବିରୋଧୀ ବୋଲି ମୋଦୀ ଜନସମାବେଶରେ ସମାଲୋଚନା କରିବା ସହ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ସମର୍ଥିକ ଦଳ କିଭଳି ବିରୋଧ କରିବା ପାଇଁ ପୂରା ଶକ୍ତି ଲଗାଇଦେଇଥିଲେ ତାହା ସମାବେଶରେ ବୟାନ କରିଥିଲେ ।

ମୋଦୀ ଭାଜପା ସରକାର ସମୟରେ ଓଡିଆ ମାନଙ୍କୁ କିଭଳି ମହିମା ମଣ୍ଡିତ କରାଯାଇଥଛି ସେ ବିଷୟରେ କହି ବକ୍ତବ୍ୟ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦାହରଣ ଦେଇଥିଲେ । ୨ ଦିନ ତଳେ ଓଡିଆରେ ଦ୍ରୌପଦୀ ମୁର୍ମୁ ଦେଇଥିବା ଭାଷାଣ କଥା ମୋଦୀ ଉଲ୍ଲେଖ କରିଥିଲେ । ତେବେ ଏହି ରାଷ୍ଟ୍ରପତି ନିର୍ବାଚନ ସମୟରେ ଆଦିବାସୀ ସମାଜରୁ ଆସିଥିବା ଓଡିଆ ଝିଅଙ୍କୁ କିଭଳି କଂଗ୍ରେସ ତୀବ୍ର ବିରୋଧ କରିଥିଲା ସେନେଇ ତୀବ୍ର ସମାଲୋଚନା କରିଥିଲେ । ମୋଦୀ କହିଥିଲେ ଦ୍ରୌପଦୀ ମୁର୍ମୁଙ୍କୁ ବିରୋଧ ସାରା ଆଦିବାସୀ ସମାଜକୁ ବିରୋଧ ଓ ତାଙ୍କ ପ୍ରିୟ ରାଜ୍ୟ ଓଡିଶାର ବିରୋଧ । ଏହାସହ ୨୦୧୪ ପୂର୍ବରୁ କଂଗ୍ରେସ ନେତା ଯେତେବେଳେ ଓଡିଶା ଆସୁଥିଲେ କଳାହାଣ୍ଡି ଯାଇ ଆଦିବାସୀଙ୍କ ସହ ଫଟୋ ଉଠାଉଥିଲେ ଓ ଏହା ଗଣମାଧ୍ୟମରେ ପ୍ରକାଶ ହେଉଥିଲା । ଯାହା ଓଡିଶାକୁ ଏକ ଗରିବ ରାଜ୍ୟ ବୋଲି ଚିତ୍ରଣ କରୁଥିଲା ଆଉ ଓଡିଶାକୁ ଅପମାନ କରୁଥିଲା । ଯେଉଁଠି ମହାପ୍ରଭୁ ଜଗନ୍ନାଥ, ସୂର୍ଯ୍ୟ ଦେବତାଙ୍କ ଭବ୍ୟ କୋଣାର୍କ ରହିଛି ସେହି ରାଜ୍ୟକୁ ବଦନାମ କରିବାକୁ କଂଗ୍ରେସ ମହାପାପ କରିଛି ମୋଦୀ କହିଥିଲେ । ଅନ୍ୟପକ୍ଷରେ ଓଡିଶାକୁ ମହିମାମଣ୍ଡିତ କରିବାକୁ ସବୁ ପ୍ରକାର ଉଦ୍ୟମ କରିଛି ଭାଜପା ସରକାର । ଜି-୨୦ ବୈଠକ ଓଡିଶାରେ ହୋଇଛି । ଦିଲ୍ଲୀ ଜି-୨୦ ବୈଠକରେ କୋଣାର୍କ ଚକ୍ର ରଖା ଯାଇ ଓଡିଶା କଳା ସଂସ୍କୃତି ବିଷୟରେ ବଡ ବାର୍ତ୍ତା ଦିଆଯାଇଛି ।

ଏହାସହ ସମ୍ବଲପୁରରେ ରାଜ୍ୟରେ ପର୍ଯ୍ୟଟନର ଭରପୂର ସୁବିଧା ରହିଛି । ଭାଜପା ସରକାର ଆସିଲେ ଏହାକୁ ଗତି ମିଳିବ । ଏହାସହ ସାଧୁ ମେହେରଙ୍କୁ ବି ମନେପକାଇଥିଲେ ମୋଦୀ । ୨୦୧୭ରେ ସାଧୁ ମେହେରଙ୍କୁ ମିଳିଥିବା ପଦ୍ମ ପୁରସ୍କାର କଥା ମନେ ପକାଇ ବିନମ୍ର ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଶେଷରେ ମୋଦୀ ବିଜେପି ସରକାର ଓଡିଶାର ଗୌରବ ବଢାଇବାକୁ ପ୍ରତିବଦ୍ଧ ବୋଲି କହିଥିଲେ । ମୋଦୀ ଗ୍ୟାରେଣ୍ଟି ସେହିଠୁ ଆରମ୍ଭ ହୁଏ ଯେଉଁଠି ଅନ୍ୟମାନଙ୍କର ଗ୍ୟାରେଣ୍ଟିର ଆଶା ସରିଯାଏ ।