ନେତାଜୀଙ୍କୁ ନେଇ ଉଦବୋଧନ ରଖିଲେ ମୋଦୀ । କହିଲେ ସାରା ଦେଶବାସୀ ସୁଭାଷଙ୍କ ପାଖରେ ଋଣୀ । ପ୍ରତିବର୍ଷ ପାଳନ ହେବ ପରାକ୍ରମ ଦିବସ

133

କନକ ବ୍ୟୁରୋ: ନେତାଜୀଙ୍କ ପାଖରେ ଏ ସାରା ଦେଶ ଋଣୀ । ୧୩୦ କୋଟିରୁ ଅଧିକ ଲୋକଙ୍କ ଦେହରେ ଆଜି ଯେଉଁ ରକ୍ତ ବିନ୍ଦୁ ବୋହୁଛି ତା ସୁଭାଷ ବୋଷଙ୍କ ପାଖରେ ଋଣୀ । ଆଜି ପ୍ରତିିଟି ଭାରତୀୟ ନିଜ ଛାତିରେ ହାତ ରଖିଲେ ସୁବାଷ ବୋଷଙ୍କ ନାଁ ଶୁଭିବ । ଶନିବାର ପଶ୍ଚିମବଙ୍ଗରେ ନେତାଜୀ ଜୟନ୍ତୀ ଉତ୍ସବ ପାଳନ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ପଶ୍ଚିମବଙ୍ଗରେ ଆଜି ବେଶ ଆଡମ୍ବର ସହକାରେ ନେତାଜୀଙ୍କ ୧୨୫ ତମ ଜନ୍ମଜୟନ୍ତୀ ପାଳନ କରାଯାଇଛି । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହିତ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ । ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ପରେ ମୋଦୀ ନେତାଜୀଙ୍କ ସ୍ମୃତିକୁ ନେଇ ଏକ ସ୍ୱତନ୍ତ୍ର ପୁସ୍ତକ ଉନ୍ମୋଚନ କରିଥିଲେ ।

ଏହି ଅବସରରେ ମୋଦୀ ନେତାଜୀଙ୍କ ତ୍ୟାଗ ଓ ପରାକ୍ରମକୁ ମଧ୍ୟ ପ୍ରଂଶସା କରିଥିଲେ । ଆଜି ନେତାଜୀଙ୍କ ପ୍ରେରଣାରେ ଦେଶ ଆଗକୁ ବଢୁଛି। ପୀଢି ପରେ ପୀଢି ନେତାଜୀଙ୍କୁ ମନେ ରଖିଛି । ଏହି କାରଣରୁ ଏଣିକି ପ୍ରତିବର୍ଷ ନେତାଜୀଙ୍କ ଜୟନ୍ତୀଙ୍କୁ ପରାକ୍ରମ ଦିବସ ଭାବେ ପାଳନ କରାଯିବ ବୋଲି ମୋଦୀ କହିଥିଲେ ।

ଅନ୍ୟପଟେ ଆଜିର ଏହି ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଖପ୍ପା ଥିବା ଦେଖିବାକୁ ମିଳିଥିଲା । ସେଠାରେ ଉପସ୍ଥିତ ଜନତା ଜୟ ଶ୍ରୀ ରାମ ନାରା ଦେଇଥିବାବେଳେ ମମତା ଏହାକୁ ନେଇ ରାଗି ଯାଇଥିଲେ । ଏପରିକି ସେ ମଞ୍ଚ ଉପରେ ଉଦବୋଧନ ଦେବାକୁ ମନା କରିଦେଇଥିଲେ। ନେତାଜୀ ଜୟନ୍ତୀକୁ ନେଇ ଏବେ ପଶ୍ଚିମବଙ୍ଗ ରାଜନୀତି ଜୋର୍ ଧରିଛି । ବିଜେପି ଏହାକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିବାବେଳେ ମମତା କିନ୍ତୁ ଏହାକୁ ଦେଶନାୟକ ଦିବସ ଭାବେ ପାଳନ କରିବାକୁ କହିିଥିଲେ । ଯାହାକୁ ନେଇ ଏକ ବଡ ବିବାଦ ବସା ବାନ୍ଧିଛି ।