କନକ ବ୍ୟୁରୋ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଯବାବ ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୋରଖପୁର ଓ ଫୁଲପୁର ଉପନିର୍ବାଚନରେ ବିଜେପିର ବିଫଳତା ଓ ୪ଜଣ ସାଂସଦଙ୍କ ଚିଠିକୁ ନେଇ ଯୋଗୀଙ୍କୁ ପ୍ରଶ୍ନ କଲେ ମୋଦି । ଉତ୍ତରପ୍ରଦେଶରେ ସବୁ ସୁରୁଖୁରୁରେ କାହିଁକି ଚାଲିନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଯୋଗୀଙ୍କୁ ଯବାବ ମାଗିଛନ୍ତି । ବିଜେପିର ୪ଦଳିତ ସାଂସଦ ଦଳିତଙ୍କ ସହ ହେଉଥିବା ଅତ୍ୟାଚାର ବିରୋଧରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ମିଳିଥିବା ସୂଚନା ଅନୁସାରେ ଆରଏସଏସର ଦୁଇ କର୍ମୀ ତିନି ଦିନିଆ ଉତରପ୍ରଦେଶ ଗସ୍ତ କରି ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହ, ଯୋଗୀଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ଆରଏସଏସ ଯୁଗ୍ମ ସହ ସମ୍ପାଦକ ଦତାତ୍ରେୟ ହୋସବାଲେ ଓ କୃଷ୍ଣ ଗୋପାଳ ଉତରପ୍ରଦେଶ ଗସ୍ତ କରିଥିଲେ । ସେଠାରେ ଦୁଇ ଉପମୁଖ୍ୟମନ୍ତ୍ରୀ, ଅନ୍ୟାନ୍ୟ ମନ୍ତ୍ରୀ, ଦଳର ପଦାଧିକାରୀ, ସଂଘର ନେତା ଓ କର୍ମକର୍ତାଙ୍କ ସମେତ ଜନସାଧାରଣଙ୍କୁ ଯୋଗୀ ସରକାରଙ୍କ ସମ୍ପର୍କରେ ଫିଡବ୍ୟାକ ମାଗିଥିଲେ । ଶନିବାର ଦିନ ଦିଲ୍ଲୀ ଗସ୍ତ ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ଯୋଗୀ । କିଛି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ମଧ୍ୟ ସାକ୍ଷାତକାରରେ ଆଲୋଚନା ହୋଇଥିଲା । ସେପଟେ ଏପ୍ରିଲ ୧୧ରେ ଲକ୍ଷ୍ନୌ ଗସ୍ତରେ କରି ପରିସ୍ଥିତିର ସମୀକ୍ଷା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ତେବେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଏହା ଯୋଗୀଙ୍କ ଔପଚାରିକ ବୈଠକ ବୋଲି କୁହାଯାଉଛି ।
ମିଳିଥିବା ସୂଚନା ଅନୁସାରେ ଏହାର ପ୍ରଭାବରେ ଆଗାମୀ ଦିନରେ ଦଳ କିମ୍ବା ୟୁପି ସରକାରରେ କିଛି ପରିବର୍ତନ ଆସିବାର ସମ୍ଭାବନା ରହିଛି । ଏସପି-ବିଏସପି ଏକତ୍ରିତ ହେବା ଯୋଗୁଁ ଦଳିତ ଓ ମୁସଲିମ ସମ୍ପ୍ରଦାୟ ବିଜେପି ବିରୋଧରେ ଏକାଠି ହୋଇପାରନ୍ତି ବୋଲି ପୂର୍ବରୁ ଆରଏସଏସ ପ୍ରଧାନମନ୍ତ୍ରୀଙ୍କୁ ଚେତାଇ ଦେଇଛି । ତେବେ ଏହି ସବୁ ଚର୍ଚ୍ଚା ପରେ ଯୋଗୀଙ୍କୁ ଡକାଇ ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ମୋଦି ନିର୍ଦ୍ଦେଶ ଦେଇଛନ୍ତି ।