କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ  ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି । ଏହି ସମୟରେ କରୋନା ଭଳି ସଙ୍କଟଜନକ ସ୍ଥିତିରେ କିଭଳି ବିଭିନ୍ନ କ୍ଷେତ୍ରରେ ସରକାର କାର୍ଯ୍ୟ କରିଛନ୍ତି ତାହା କହିଛନ୍ତି । ଏହାସହ ରୋଜଗାର ଠାରୁ ଆରମ୍ଭ କରି ମହଙ୍ଗା ଉପରେ ନିଜର ବୟାନ ରଖିଛନ୍ତି । ଏତିକି ନୁହେଁ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Advertisment

ସଂସଦରେ ମୋଦୀ କହିଛନ୍ତି ଯଦି ଦେଶରେ କଂଗ୍ରେସ ନଥାନ୍ତା ତେବେ କଣ ହୋଇଥାନ୍ତା । ମୋଦୀ କହିଛନ୍ତି କଂଗ୍ରେସ ନଥିଲେ ଲୋକତନ୍ତ୍ର ପରିବାରବାଦରୁ ମୁକ୍ତ ହୋଇଥାନ୍ତା, କଂଗ୍ରେସ ନଥିଲେ ଭାରତ ବିଦେଶୀଙ୍କ ଦ୍ୱାରା ଦେଖାଯାଇଥିବା ବାଟରେ ନୁହେଁ ବରଂ ସ୍ୱଦେଶୀ ସଂକଳ୍ପ ନେଇ  ଆଗକୁ ବଢିଥାନ୍ତା । ଯଦି କଂଗ୍ରେସ ନଥାନ୍ତା ତେବେ ଦେଶ ଉପରେ ଇମରଜେନ୍ସିଂର କଳଙ୍କ ଲାଗିନଥାନ୍ତା, ଦଶକ ଦଶକ ଧରି ବିଭିନ୍ନ ସଂସ୍ଥା ଦୁର୍ନୀତିିର ଗନ୍ତାଘର ପାଲଟିନଥାନ୍ତା । ଯଦି କଂଗ୍ରେସ ନଥାନ୍ତା ତେବେ ଜାତିବାଦ ଓ ଆଞ୍ଚଳିକବାଦ ଏତେ ତଳକୁ ଯାଇନଥାନ୍ତା, ଯଦି କଂଗ୍ରେସ ନଥାନ୍ତା ତେବେ ଶିଖ୍ ମାନଙ୍କର ନରସଂହାର ହୋଇନଥାନ୍ତା, ବର୍ଷ ବର୍ଷ ଧରି ପଞ୍ଜାବ ଆତଙ୍କର ନିଆଁରେ ଜଳିନଥାନ୍ତା । ଯଦି କଂଗ୍ରେସ ନଥାନ୍ତା ତେବେ କାଶ୍ମୀର ପଣ୍ଡିତଙ୍କୁ କାଶ୍ମୀର ଛାଡିବାକୁ ପଡିନଥାନ୍ତା, ଦେଶର ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ପାଇଁ ଏତେ ଦିନ ଅପେକ୍ଷା କରିବାକୁ ପଡିନଥାନ୍ତା ।

ଏହାସହ ମୋଦୀ କହିଛନ୍ତି, ଆମେ ଦରବୃଦ୍ଧିକୁ ନିୟନ୍ତ୍ରଣରେ ରଖିବାକୁ ଅନେକ ପ୍ରୟାସ କରିଛୁ । ଆମେରିକା ଗତ ୪୦ ବର୍ଷ ଭିତରେ ଏବେ ସର୍ବାଧିକ ଦରବୃଦ୍ଧିର ଶିକାର ହୋଇଛି । ବ୍ରିଟେନରେ ଦରବୃଦ୍ଧିରେ ୩୦ ବର୍ଷର ରେକର୍ଡ ଭାଙ୍ଗିଛି । ୟୁପିଏ ସରକାର ସହ ତୁଳନା କଲେ ଜାଣିପାରିବେ ଯେ ଦରବୃଦ୍ଧି କଣ? କିଛି ଲୋକ ଭାବୁଛନ୍ତି ଭାରତ ୧୯୪୭ ପରେ ଜନ୍ମ ନେଇଛି । ଆଉ ଏଭଳି ଭାବନା ହିଁ ସମସ୍ୟା ସୃଷ୍ଟି କରୁଛି । ଯେଉଁମାନଙ୍କୁ ୫୦ ବର୍ଷରୁ ଅଧିକ ସମୟ ଧରି କାମ  କରିବାକୁ ସୁଯୋଗ ମିଳିଥିଲଶ ସେମାନେ କିଛି କଲେ ନାହିଁ । ୧୯୭୫ରେ ଗଣତନ୍ତ୍ର ତଣ୍ଟି ଚିପି ଥିବା ଦଳକୁ ଗଣତନ୍ତ୍ର ଉପରେ କହିବାର ଆବଶ୍ୟକତା ନାହିଁ । ଭାରତର ଗଣତନ୍ତ୍ର ପାଇଁ ସବୁଠୁ ବଡ ବିପଦ ହେଉଛି ପରିବାରବାଦ, ଏହାକୁ ମାନିବାକୁ ପଡିବ । ଦଳରେ ଯେତେବେଳେ କୌଣସି ପରିବାର ସର୍ବଶକ୍ତିମାନ ହୋଇଯାଏ ସେତେବେଳେ ଅନେକ ପ୍ରତିଭାଙ୍କର ମୃତ୍ୟୁ ହୋଇଥାଏ ।

କଂଗ୍ରେସକୁ ଟାର୍ଗେଟ କରିବା ସହ ନିଜ ସରକାରର ପ୍ରଂଶସା କରିବାକୁ ପଛାଇ ନାହାନ୍ତି ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୧୦୦ ବର୍ଷ ମଧ୍ୟରେ ବିଶ୍ୱ ଏଭଳି ମହାମାରୀ ସଙ୍କଟ ଦେଖିନଥିଲା । ପୂରା ବିଶ୍ୱ ଏହି ସଙ୍କଟରେ କବଳିତ । କିନ୍ତୁ ଏଭଳି ସଙ୍କଟ ସମୟରେ ବି ଭାରତ ମୁଣ୍ଡ ଟେକି ଛିଡା ହୋଇଛି । କରୋନା ଟିକା ପାଇଁ ପୂରା ବିଶ୍ୱ ଭାରତକୁ ବାହାବା କରୁଛି ।