ବ୍ରିଗେଡ୍ ଗ୍ରାଉଣ୍ଡରୁ ବିରୋଧୀଙ୍କୁ ଜବାବ ଦେଲେ ମୋଦି । କହିଲେ, ହଁ..ମୁଁ ମୋ ସାଙ୍ଗଙ୍କ ପାଇଁ କାମ କରୁଛି । କାହିଁକି ନା ପ୍ରତିଟି ଗରିବ ମୋ ସାଙ୍ଗ ।

115

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବ୍ରିଗେଡ୍ ଗ୍ରାଉଣ୍ଡରେ ଜନସଭାକୁ ସମ୍ବୋଧିତ କରିବା ସହିତ ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବ୍ରିଗେଡ୍ ଗ୍ରାଉଣ୍ଡରୁ ହିଁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିବା ସହିତ ପଶ୍ଚିମବଙ୍ଗରେ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ମୋଦି କହିଛନ୍ତି ଯେ, ବିରୋଧୀମାନେ ଏବେ କହୁଛନ୍ତି ସେ ତାଙ୍କ ସାଙ୍ଗମାନଙ୍କ ପାଇଁ କାମ କରୁଛନ୍ତି  ଏବଂ ସେମାନଙ୍କୁ ଜବାବ ଦେଇ ମୋଦି କହିଛନ୍ତି , ହଁ ସେ ତାଙ୍କ ସାଙ୍ଗଙ୍କ ପାଇଁ କାମ କରୁଛନ୍ତି । କାହିଁକି ନାଁ ଭାରତରେ ରହୁଥିବା ପ୍ରତିଟି ଗରିବ ତାଙ୍କ ସାଙ୍ଗ ।

ଏଥିସହ ତାଙ୍କ ସରକାର ଦ୍ୱାରା କରାଯାଇଥିବା ପ୍ରତିଟି କାମ ଗରିବମାନଙ୍କର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି । ବିଶେଷ କରି ଟି-ଗାର୍ଡେନରେ କାମ କରୁଥିବା ପ୍ରତିଟି ଭାଇ-ଭଉଣୀ ତାଙ୍କ ପାଇଁ ସବୁଠୁ ଅଧିକ ଗୁରୁତ୍ୱପୂଣ୍ଣ ବୋଲି ସେ କହିଛନ୍ତି ।
ପଶ୍ଚିମବଙ୍ଗ ରାଲିରେ ମୋଦି ଶ୍ୟାମା ପ୍ରକାଶ ମୁଖାର୍ଜୀଙ୍କୁ ମଧ୍ୟ ମନେ ପକାଇଛନ୍ତି । ଏହାସହ ବେଙ୍ଗଲରୁ ବାହାରିଥିବା ପ୍ରତିଟି ବ୍ୟକ୍ତିତ୍ୱ, ଶ୍ରେଷ୍ଠ ଭାରତ ଗଠନ କରିବା ଦିଗରେ କାମ କରିଛନ୍ତି ବୋଲି ମୋଦି କହିଥିଲେ । ଏହି ଅବସରରେ ସେ ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଦଳକୁ ସ୍ୱାଗତ କରିଥିଲେ ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ଖୁବଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଅଛି । ବିଜେପି ଏଠାରେ ପ୍ରଥମ କରି ସରକାର ଗଢିବାକୁ ଜୋରଦାର କସରତ କରୁଛି । ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିଜ ଦଳ ଟିଏମସିକୁ ଜିତାଇବାକୁ ପ୍ରତିଟି ଚେଷ୍ଟା କରୁଛନ୍ତି । ତେଣୁ ଏଥର ପଶ୍ଚିମବଙ୍ଗରେ କିଏ ବାଜିମାତ୍ କରୁଛି ତାହା ଦେଖିବାକୁ ବାକି ରହିଲା ।