କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ  ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି । ଏହି ସମୟରେ କରୋନା ଭଳି ସଙ୍କଟଜନକ ସ୍ଥିତିରେ କିଭଳି ବିଭିନ୍ନ କ୍ଷେତ୍ରରେ ସରକାର କାର୍ଯ୍ୟ କରିଛନ୍ତି ତାହା କହିଛନ୍ତି । ଏହାସହ ରୋଜଗାର ଠାରୁ ଆରମ୍ଭ କରି ମହଙ୍ଗା ଉପରେ ନିଜର ବୟାନ ରଖିଛନ୍ତି । ଏତିକି ନୁହେଁ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Advertisment

ମୋଦୀ କହିଛନ୍ତି, ଯଦି କଂଗ୍ରେସ ନଜରରେ ଭାରତ  ଏକ ରାଷ୍ଟ୍ର ନୁହେଁ, ତେବେ ନିଜ ଦଳର ନାଁ ଭାରତୀୟ ଜାତୀୟ କଂଗ୍ରେସ କାହିଁକି ରଖିଛି? ଯଦି କଂଗ୍ରେସ ପାଇଁ ଭାରତ ଏକ ରାଷ୍ଟ୍ର ନୁହେଁ ତେବେ ପ୍ରଥମେ ନିଜ ଦଳର ନାଁ ବଦଳାଇ ଫେଡରେସନ ଅଫ୍ ଇଣ୍ଡିଆ ରଖିବା ଉଚିତ୍ । ଏହାଛଡା ଇତିହାସ ପୃଷ୍ଠାରୁ ଅନେକ କଥା ଉଠାଇ ମୋଦୀ କହିଛନ୍ତି, ମୁଁ ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ମୋ ଉପରେ ଦିଲ୍ଲୀ ସରକାର ପକ୍ଷରୁ ବିଭିନ୍ନ ପ୍ରକାର ଜୁଲୁମ କରାଯାଇଛି । ଇତିହାସ ଏହାର ସାକ୍ଷୀ ଅଛି । ଦିଲ୍ଲୀରେ କାହାର ସରକାର ଅଛି ସେନେଇ ଅଧିକ ଭାବୁନଥିଲି ବରଂ ଦେଶର ବିକାଶ ପାଇଁ ଗୁଜୁରାଟର ବିକାଶ ହେବା ଦରକାର ବୋଲି ଭାବୁଥିଲି ।

ସଂସଦରେ ମୋଦୀ କହିଛନ୍ତି ଯଦି ଦେଶରେ କଂଗ୍ରେସ ନଥାନ୍ତା ତେବେ କଣ ହୋଇଥାନ୍ତା । ମୋଦୀ କହିଛନ୍ତି କଂଗ୍ରେସ ନଥିଲେ ଲୋକତନ୍ତ୍ର ପରିବାରବାଦରୁ ମୁକ୍ତ ହୋଇଥାନ୍ତା, କଂଗ୍ରେସ ନଥିଲେ ଭାରତ ବିଦେଶୀଙ୍କ ଦ୍ୱାରା ଦେଖାଯାଇଥିବା ବାଟରେ ନୁହେଁ ବରଂ ସ୍ୱଦେଶୀ ସଂକଳ୍ପ ନେଇ  ଆଗକୁ ବଢିଥାନ୍ତା । ଯଦି କଂଗ୍ରେସ ନଥାନ୍ତା ତେବେ ଦେଶ ଉପରେ ଇମରଜେନ୍ସିଂର କଳଙ୍କ ଲାଗିନଥାନ୍ତା, ଦଶକ ଦଶକ ଧରି ବିଭିନ୍ନ ସଂସ୍ଥା ଦୁର୍ନୀତିିର ଗନ୍ତାଘର ପାଲଟିନଥାନ୍ତା । ଯଦି କଂଗ୍ରେସ ନଥାନ୍ତା ତେବେ ଜାତିବାଦ ଓ ଆଞ୍ଚଳିକବାଦ ଏତେ ତଳକୁ ଯାଇନଥାନ୍ତା, ଯଦି କଂଗ୍ରେସ ନଥାନ୍ତା ତେବେ ଶିଖ୍ ମାନଙ୍କର ନରସଂହାର ହୋଇନଥାନ୍ତା, ବର୍ଷ ବର୍ଷ ଧରି ପଞ୍ଜାବ ଆତଙ୍କର ନିଆଁରେ ଜଳିନଥାନ୍ତା । ଯଦି କଂଗ୍ରେସ ନଥାନ୍ତା ତେବେ କାଶ୍ମୀର ପଣ୍ଡିତଙ୍କୁ କାଶ୍ମୀର ଛାଡିବାକୁ ପଡିନଥାନ୍ତା, ଦେଶର ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ପାଇଁ ଏତେ ଦିନ ଅପେକ୍ଷା କରିବାକୁ ପଡିନଥାନ୍ତା ।

 ଏହାଛଡା ବାକ୍ ସ୍ୱାଧୀନତାକୁ ନେଇ ମୋଦୀ କହିଛନ୍ତି, ଲତା ମଙ୍ଗେସକରଙ୍କ ଛୋଟ ଭାଇ ପଣ୍ଡିତ ହୃଦୟନାଥଙ୍କୁ ଅଲ ଇଣ୍ଡିଆ ରେଡିଓରୁ ବିଦା କରାଯାଇଥିଲା । ତାଙ୍କର ବାସ୍ ଏତିକି ଦୋଷ ଥିଲା ଯେ, ବୀର ସାବରକରଙ୍କ  ଏକ ଦେଶଭକ୍ତି କବିତାକୁ ରେଡିଓରେ ପ୍ରସାରଣ କରିବା । ଆଉ ଏହି ଘଟଣାର ୮ ଦିନ ମଧ୍ୟରେ ତାଙ୍କୁ ଅଲ୍ ଇଣ୍ଡିଆ ରେଡିଓରୁ ବିଦା କରାଯାଇଥିଲା ।

ଏହାସହ ମୋଦୀ କହିଛନ୍ତି, ଆମେ ଦରବୃଦ୍ଧିକୁ ନିୟନ୍ତ୍ରଣରେ ରଖିବାକୁ ଅନେକ ପ୍ରୟାସ କରିଛୁ । ଆମେରିକା ଗତ ୪୦ ବର୍ଷ ଭିତରେ ଏବେ ସର୍ବାଧିକ ଦରବୃଦ୍ଧିର ଶିକାର ହୋଇଛି । ବ୍ରିଟେନରେ ଦରବୃଦ୍ଧିରେ ୩୦ ବର୍ଷର ରେକର୍ଡ ଭାଙ୍ଗିଛି । ୟୁପିଏ ସରକାର ସହ ତୁଳନା କଲେ ଜାଣିପାରିବେ ଯେ ଦରବୃଦ୍ଧି କଣ? କିଛି ଲୋକ ଭାବୁଛନ୍ତି ଭାରତ ୧୯୪୭ ପରେ ଜନ୍ମ ନେଇଛି । ଆଉ ଏଭଳି ଭାବନା ହିଁ ସମସ୍ୟା ସୃଷ୍ଟି କରୁଛି । ଯେଉଁମାନଙ୍କୁ ୫୦ ବର୍ଷରୁ ଅଧିକ ସମୟ ଧରି କାମ  କରିବାକୁ ସୁଯୋଗ ମିଳିଥିଲଶ ସେମାନେ କିଛି କଲେ ନାହିଁ । ୧୯୭୫ରେ ଗଣତନ୍ତ୍ର ତଣ୍ଟି ଚିପି ଥିବା ଦଳକୁ ଗଣତନ୍ତ୍ର ଉପରେ କହିବାର ଆବଶ୍ୟକତା ନାହିଁ । ଭାରତର ଗଣତନ୍ତ୍ର ପାଇଁ ସବୁଠୁ ବଡ ବିପଦ ହେଉଛି ପରିବାରବାଦ, ଏହାକୁ ମାନିବାକୁ ପଡିବ । ଦଳରେ ଯେତେବେଳେ କୌଣସି ପରିବାର ସର୍ବଶକ୍ତିମାନ ହୋଇଯାଏ ସେତେବେଳେ ଅନେକ ପ୍ରତିଭାଙ୍କର ମୃତ୍ୟୁ ହୋଇଥାଏ ।

କଂଗ୍ରେସକୁ ଟାର୍ଗେଟ କରିବା ସହ ନିଜ ସରକାରର ପ୍ରଂଶସା କରିବାକୁ ପଛାଇ ନାହାନ୍ତି ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୧୦୦ ବର୍ଷ ମଧ୍ୟରେ ବିଶ୍ୱ ଏଭଳି ମହାମାରୀ ସଙ୍କଟ ଦେଖିନଥିଲା । ପୂରା ବିଶ୍ୱ ଏହି ସଙ୍କଟରେ କବଳିତ । କିନ୍ତୁ ଏଭଳି ସଙ୍କଟ ସମୟରେ ବି ଭାରତ ମୁଣ୍ଡ ଟେକି ଛିଡା ହୋଇଛି । କରୋନା ଟିକା ପାଇଁ ପୂରା ବିଶ୍ୱ ଭାରତକୁ ବାହାବା କରୁଛି ।