ଚଣ୍ଡିଖୋଲରେ ମୋଦୀ ଗ୍ୟାରେଣ୍ଟି ସମାବେଶ । କଂଗ୍ରେସ ଉପରେ ବର୍ଷିଲେ ମୋଦୀ, କହିଲେ ଅବକି ବାର ୪୦୦ ପାର ।

283

କନକ ବ୍ୟୁରୋ : ଚଣ୍ଡିଖୋଲରେ ମୋଦୀ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିବା ସହ ମୋଦି କହିଛନ୍ତି, ଆଜି ଦେଶ ପାଇଁ ଜୀବନ ସମର୍ପିତ କରିଥିବା ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ପୂରା ଦେଶ ଆଜି ବିଜୁ ବାବୁଙ୍କୁ ମନେ ପକାଉଛି । ଏତେ ବିଶାଳ ସଂଖ୍ୟାରେ ଲୋକେ ଆସିବା ଦର୍ଶାଉଛି ଯେ ପୂର୍ବ ଭାରତର ମୁଡ କଣ ଅଛି । ସମସ୍ତେ ସଂକଳ୍ପ ନେଇ ଆସିଛନ୍ତି ଅବକି ବାର୍ ୪୦୦ ପାର । ୪୦୦ ପାର ସଂକଳ୍ପ ଭାରତକୁ ତୃତୀୟ ସର୍ବବୃହତ୍ତ ଅର୍ଥନୈତିକ ଦେଶ ଭାବେ ଉଭା କରିବ । ୪୦୦ ପାର ସଂକଳ୍ପ ଚାଷୀ, ଯୁବକ, ନାରୀଶକ୍ତି ଓ ଗରିବଙ୍କ ଜୀବନ ବଦଳାଇବାକୁ । ୪୦୦ ପାର ସଂକଳ୍ପ ଦେଶରେ ଦୃଢ ନିଷ୍ପତ୍ତି ନେଉଥିବା ସରକାର ଗଠନ ଦିଗରେ ସହଯୋଗ କରିବ । ଏଥିରେ ଓଡ଼ିଶାର ଭୂମିକା ଯଥେଷ୍ଟ ଅଧିକ ରହିବ ।

ଗତ ୧୦ ବର୍ଷରେ ବିଜେପି ସରକାର ଓଡ଼ିଶାରେ ଅନେକ ସହାୟତା ଦେଇଛି । ବିକଶିତ ଭାରତର ଗେଟୱେ ସାଜୁ ଓଡ଼ିଶା । ବିକଶିତ ଭାରତ, ଆତ୍ମନିର୍ଭର ଭାରତକୁ ବଳ ଦେଉଛି ଓଡ଼ିଶା । ଗତ ୧୦ ବର୍ଷରେ ଓଡ଼ିଶାରେ ଅଧିକରୁ ଅଧିକ ନିବେଶ ହୋଇଛି । ଅଧିକ ନିବେଶ ଅର୍ଥ ଅଧିକ ନିଯୁକ୍ତି । ଏହି ବିକାଶକାର୍ଯ୍ୟ ଓଡ଼ିଶାର ଯୁବକଙ୍କ ଭାଗ୍ୟ ବଦଳାଇବ । ଓଡ଼ିଶାରେ ଯେଉଁ ନିବେଶ ହୋଇଛି ତାହା ପୂର୍ବରୁ ମଧ୍ୟ ହୋଇପାରିଥାନ୍ତା କିନ୍ତୁ ୨୦୧୪ ପୂର୍ବରୁ ଥିବା କଂଗ୍ରେସ ସରକାର ବିକାଶରେ ନିବେଶ କରିବା ବଦଳରେ ନିଜ ପକେଟରେ ଟଙ୍କା ପୁରାଉଥିଲା । କଂଗ୍ରେସ ସରକାର ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି କରିଛି । ସ୍ୱାଧୀନତା ପରେ କଂଗ୍ରେସ ଦେଶରେ ଏମିତି ବ୍ୟବସ୍ଥା ସୃଷ୍ଟି କରିଛି ଯାହା ଗରିବ, ଯୁବକ ଓ ଆଦିବାସୀଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରିଛି । ସବୁ କ୍ଷେତ୍ରରେ କଂଗ୍ରେସ ଗ୍ୟାରେଣ୍ଟି ଖୋଜୁଥିଲା । କିନ୍ତୁ ୨୦୧୪ ପରେ ଏକ ଗରିବର ପିଲା କେନ୍ଦ୍ରରେ ସରକାର ଗଢିଲା । ଯେତେବେଳେ ଜଣେ ଗରିବର ପିଲା ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ଗରିବଙ୍କର ଗ୍ୟାରେଣ୍ଟି ସାଜି ଉଭା ହୋଇଛି ମୋଦୀ । ବିନା ଗ୍ୟାରେଣ୍ଟିରେ ଗରିବଙ୍କୁ ବିନା ସୁଧରେ ଋଣ ଦେଉଛୁ । ଆଜି ଗରିବଙ୍କ ଆତ୍ମବିଶ୍ୱାସ ବଢିଛି । ସମସ୍ତଙ୍କର ବିଶ୍ୱାସ ବଢିଛି ଯେ, ଗରିବର ସାଥୀ ହେଉଛନ୍ତି ମୋଦୀ । ଯେଉଁ ଗରିବଙ୍କୁ ମୋଦୀ ପଚାରୁନାହାନ୍ତି ତାଙ୍କୁ ମୋଦୀ ପଚାରୁଛନ୍ତି ।

ପୂର୍ବରୁ ସରକାରୀ ଯୋଜନା ଗରିବଙ୍କ ପାଖରେ ପହଞ୍ଚି ପାରୁନଥିଲା । କିନ୍ତୁ ଜନଧନ ଆକାଉଣ୍ଟ ଖୋଲିବା ପରେ ଗରିବଙ୍କ ପାଖରେ ସବୁ ସରକାରୀ ଯୋଜନାର ଲାଭ ପହଞ୍ଚି ପାରୁଛି । ପକ୍କାଘର, ଟ୍ୟାପ୍ କନେକ୍ସନ, ଗ୍ୟାସ ପୂର୍ବରୁ ଗରିବଙ୍କ ପାଇଁ ସ୍ୱପ୍ନ ଥିଲା କିନ୍ତୁ ଏବେ ତାହା ପୂରା ହେଉଛି । ଯେଉଁଠି ସବୁ ଆଶା ମଉଳିଯାଏ ସେଠାରେ ମୋଦୀ ଗ୍ୟାରେଣ୍ଟି ଆରମ୍ଭ ହୁଏ । ମୋଦୀଙ୍କ ଗ୍ୟାରେଣ୍ଟି ହେଉଛି ମୁକ୍ତ ବିଜୁଳି, ଜିରୋ ବିଲ୍ । ଏଥିପାଇଁ ବିଜେପି ସରକାର ପିଏମ ସୂର୍ଯ୍ୟଘର ଯୋଜନା ଆରମ୍ଭ କରିଛି । ପ୍ରତି ପରିବାରକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ମିଳିବ । ପ୍ରତି ପରିବାର ନିଜର ଆବଶ୍ୟକତା ପୂରା କରିବା ସହ ସରକାରଙ୍କୁ ବିଦ୍ୟୁତ ବିକ୍ରି କରିପାରିବେ । ଚାଷୀ ଭାଇ ମାନେ ମଧ୍ୟ ଫାଙ୍କା ପଡିଥିବା ଜମିରେ ସୋଲାର ପ୍ୟାନେଲ ବନାଇ ବିଦ୍ୟୁତ ଉତ୍ପାଦନ କରିପାରିବେ ।

ଇଣ୍ଡିଆ ଗଠବନ୍ଧନକୁ ଟାର୍ଗେଟ କରି ମୋଦୀ କହିଛନ୍ତି, ମୋଦୀଙ୍କର ପରିବାର ନାହିଁ । ଇଣ୍ଡିଆ ଗଠବନ୍ଧନର ନେତା କାନ ଖୋଲିକି ଶୁଣ, ସେମାନଙ୍କର ବିଚାରଧାରା ହେଉଛି ପରିବାର ପ୍ରଥମ କିନ୍ତୁ ମୋଦୀଙ୍କର ବିଚାରଧାରା ହେଉଛି ଦେଶ ପ୍ରଥମ । ସେମାନେ ପରିବାରର ଭବିଷ୍ୟତ ପାଇଁ ଚିନ୍ତା କରୁଛନ୍ତି କିନ୍ତୁ ମୋଦୀ ଭାରତବାସୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଚିନ୍ତା କରୁଛନ୍ତି । ଇଣ୍ଡିଆ ଗଠବନ୍ଧନ ଚାହୁଁଛି ମୋଦୀଙ୍କୁ ହଟାଇବାକୁ କିନ୍ତୁ ମୋଦୀଙ୍କ ଲକ୍ଷ୍ୟ ହେଉଛି ଭାରତକୁ ତୃତୀୟ ସର୍ବବୃହତ ଅର୍ଥନୈତିକ ଦେଶ ଭାବେ ଛିଡା କରିବା । ମୋଦୀଙ୍କ ଶାସନକାଳରେ ୨୫ କୋଟି ଭାରତୀୟ ଗରିବ ସୀମାରେଖାରୁ ବାହାରିଛନ୍ତି । ଏଥିପାଇଁ ମୁଁ ସବୁବେଳେ କୁହେ, ମେରା ଭାରତ, ମେରା ପରିବାର । ଏବେ ସମସ୍ତେ କହିଲେଣି, ମୁଁ ହେଉଛି ମୋଦୀ ପରିବାର ।