ଟିକା ଆସିନାହିଁ ସତର୍କ ରୁହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ, ଯେ ପର୍ଯ୍ୟନ୍ତ କରୋନା ଟିକା ଆସିନାହିଁ ହେଳା କରନ୍ତୁ ନାହିଁ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତା ବେଳେ, ସଚେତନ ବାର୍ତା ଦେଲେ ନରେନ୍ଦ୍ର ମୋଦି

531

କନକ ବ୍ୟୁରୋ : କରୋନା ଟିକାକୁ ସାରା ଦେଶ ଅପେକ୍ଷା କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଟିକା ଆସିନାହିଁ ସତର୍କ ରୁହ । ଯେ ପର୍ଯ୍ୟନ୍ତ ଟିକା ଆସିନାହିଁ, ସେ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କରୋନା ଟିକା ନଆସିବା ପର୍ଯ୍ୟନ୍ତ ସଂକ୍ରମଣକରୁ ରୋକିବା ପାଇଁ ଲୋକମାନେ ସତର୍କ ରହିବା ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଯେ ପର୍ଯ୍ୟନ୍ତ ସଠିକ ଭାବେ କାମ କରୁଥିବା ଏକ ଔଷଧ ନ ଆସିଛି ସେ ପର୍ଯ୍ୟନ୍ତ ଦେଶର ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ପଡିବ । ଔଷଧ ନଆସିବା ପର୍ଯ୍ୟନ୍ତ ଖାମଖିଆଲ ମନଭାବ ଛାଡିବାକୁ ପଡିବ ।

ଆଜି ମଧ୍ୟପ୍ରଦେଶରେ ଗୃହ ପ୍ରକଳ୍ପର ଭର୍ଚୁଆଲ ହାଉସ ୱାର୍ମିଂ ସେରେମନିରେ ଉଦବୋଧନ ଦେଇ ଦେଶବାସୀଙ୍କ ପାଇଁ ଏହା କହିଛନ୍ତି ମୋଦି । କମସେ କମ୍ ୭ଟି ଭାରତୀୟ ଫାର୍ମା କମ୍ପାନି, ଭାରତ ବାୟୋଟେକ, ସେରମ ଇନଷ୍ଟିଚ୍ୟୁଟ, ଜାଇଡସ କାଡିଲା, ପାନାସିଆ ବାୟୋଟେକ, ଇଣ୍ଡିଆନ ଇମ୍ୟୁନୋଲଜିକାଲସ, ମିନଭାକ୍ସ ଏବଂ ବାୟୋଲଡିକାଲ-ଇ , କରୋନା ଟିକା ବାହାର କରିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ଆଇସିଏମଆର ସହିତ ମିଳିତ ଭାବେ ଭାରତ ବାୟୋଟେକ ପ୍ରସ୍ତୁତ କରୁଥିବା କୋଭାକ୍ସିନ ଭାରତର ୧୨ଟି ପ୍ରତିଷ୍ଠାନରେ ପରୀକ୍ଷଣ କରାଯାଇଛି । କୋଭାକସିନ ଆନିମଲ ଟ୍ରାଏଲ ସଫଳ ହୋଇଛି । ଏଥିସହ କ୍ଲିନିକାଲ ଟ୍ରାଏଲର ପ୍ରଥମ ପର୍ଯ୍ୟାୟରେ ମଧ୍ୟ ଏହା ଭଲ ଫଳ ଆଣିଛି । ତେଣୁ ଏହାରି ଭିତରେ ଦେଶବାସୀ ଅପେକ୍ଷା କରିଛନ୍ତି କେବେ ଆସିବ କରୋନା ଟିକା ।