ଆକାଶପଥ ବ୍ୟବହାର ପାଇଁ ଅନୁମତି ଦେଲା ପାକିସ୍ତାନ, ଆମେରିକାକୁ ନନଷ୍ଟପ ଉଡିଲା ମୋଦିଙ୍କ ବିମାନ ।

1,063

କନକ ବ୍ୟୁରୋ : କରୋନା ନିୟନ୍ତ୍ରଣକୁ ଆସିବା ପରେ ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କ ଏହି ଗସ୍ତ ଉଭୟ ବାଣିଜ୍ୟିକ ଓ କୁଟନୈତିକ କ୍ଷେତ୍ର ପାଇଁ ବେଶ ଗୁରୁତ୍ୱ ବହନ କରୁଛି । କାରଣ ଏବେ ଆଫଗାନିସ୍ତାନରେ ଯେଉଁ ସ୍ଥିତି ଦେଖାଦେଇଛି ସେହି ଦୃଷ୍ଟିରୁ ମୋଦିଙ୍କୁ ଆମେରିକା ଗସ୍ତ ଉପରେ ପୂରା ବିଶ୍ୱର ନଜର ରହିଛି । ତେବେ ଆମେରିକା ଗସ୍ତ ସମୟରେ ମୋଦିଙ୍କ ବିମାନ ଆଫଗାନିସ୍ତାନ ବଦଳରେ ପାକିସ୍ତାନ ଆକାଶପଥକୁ ବ୍ୟବହାର କରିଛନ୍ତି । ଦିଲ୍ଲୀରୁ ୱାସିଂଟନ ଡିସି ପର୍ଯ୍ୟନ୍ତ ମୋଦିଙ୍କ ଏହି ଯାତ୍ରା ନନଷ୍ଟପ ରହିଛି । ତେବେ ମୋଦିଙ୍କ ଏହି ଯାତ୍ରା ପାଇଁ ପାକିସ୍ତାନର ଆକାଶପଥ ବ୍ୟବହାର କରିବାକୁ ଅନୁମତି ମଗାଯାଇଥିଲା । ଆଉ ପାକିସ୍ତାନ ଅନୁମତି ଦେବା ପରେ ଏୟାର ଇଣ୍ଡିଆ ୱାନରେ ବସି ଆମେରିକା ଅଭିମୁଖେ ଯାତ୍ରା କରିଛନ୍ତି ମୋଦି ।

ଏଠାରେ ସୂଚନାଯୋଗ୍ୟ ଯେ ୨୦୧୯ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ ପାଇଁ ପାକିସ୍ତାନ ତିନିଥର ଆକାଶପଥ ବ୍ୟବହାର କରିବାକୁ ମନା କରିଦେଇଥିଲା। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଏବଂ ଜର୍ମାନୀ ଗସ୍ତ, ରାଷ୍ଟ୍ରପତି କୋବିନ୍ଦଙ୍କ ଆଇସଲ୍ୟାଣ୍ଡ ଗସ୍ତ ସମୟରେ ଆକାଶପଥ ବ୍ୟବହାର କରିବାକୁ ଇସଲାମାବାଦ ଅନୁମତି ଦେଇ ନଥିଲା। ୨୦୧୯ ମସିହାରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରାଳୟ ଏକ ବିବୃତ୍ତି ଜାରି କରି କହିଥିଲା ଯେ ଜମ୍ମୁ-କଶ୍ମୀରରେ ଭାରତର ଆଚରଣ ଏବଂ ଅତ୍ୟାଚାର ଯୋଗୁଁ ଆମେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନକୁ ପାକିସ୍ତାନର ଆକାଶପଥ ବ୍ୟବହାର କରିବାକୁ ଅନୁମତି ଦେଇପାରିବୁ ନାହିଁ । ତେବେ ଚଳିତ ବର୍ଷ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶ୍ରୀଲଙ୍କା ଗସ୍ତ ସମୟରେ ଭାରତର ଆକାଶପଥ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ ଜ୍ଝ ଆଉ ଭାରତ ଏହାର ଆକାଶପଥ ବ୍ୟବହାର କରିବାକୁ ଅନୁମତି ଦେଇଥିଲା।

ଆଉ ଏବେ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଏହି ଆକାଶପଥକୁ ବ୍ୟବହାର କରୁନାହିଁ ଭାରତ । ସୁରକ୍ଷା କାରଣରୁ ଏହି ଆକାଶପଥକୁ ବ୍ୟବହାର କରୁନି ଭାରତ । ଅନ୍ୟ ଆକାଶପଥ ଦେଇ ବିଭିନ୍ନ ସ୍ଥ୍ାନକୁ ଯାଉଛି ଭାରତୀୟ ବିମାନ । ଯେଉଁଥିପାଇଁ ଆଜି ମୋଦିଙ୍କ ବିମାନ ଆଫଗାନିସ୍ତାନ ବଦଳରେ ପାକିସ୍ତାନ ଦେଇ ଯାତ୍ରା କରିଛି । ପ୍ରଥମ ଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବିମାନ ନନଷ୍ଟପ ଆମେରିକା ଅଭିମୁଖେ ଯାତ୍ରା କରିଛି । ଏହି ଗସ୍ତ ସମୟରେ ଭାରତ ଓ ଆମେରିକା ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ।