ଆକାଶ ମାର୍ଗରୁ ଗୁଜୁରାଟର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଦେଖିଲେ ପ୍ରଧାନମନ୍ତ୍ରୀ । ଉଦ୍ଧାର, ରିଲିଫ ଓ କ୍ଷତିଗ୍ରସ୍ତଙ୍କ ଥଇଥାନ ପାଇଁ ହଜାରେ କୋଟିର ସହାୟତା ଘୋଷଣା

107

କନକ ବ୍ୟୁରୋ: ସାମୁଦ୍ରିକ ବାତ୍ୟା ତୌତେର କ୍ଷତିଗ୍ରସ୍ତ ଗୁଜରାଟର ସ୍ଥିତିକୁ ଆକାଶମାର୍ଗରୁ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ବାତ୍ୟା ସ୍ଥିତିକୁ ଦେଖିବାପରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ଗୁଜରାଟକୁ ୧୦୦୦ କୋଟିର ବାତ୍ୟା ସହାୟତା ଯୋଗାଇ ଦେବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

ସାମୁଦ୍ରିକ ବାତ୍ୟା ତୌତେ ଗୁଜରାଟର ସୌରାଷ୍ଟ୍ର ଅଂଚଳରେ ସ୍ଥଳ ଭାଗକୁ ସ୍ପର୍ଶ କରିଥିଲା । ଏହି କାରଣରୁ ଗୁଜରାଟରେ ଅଧିକ କ୍ଷତି ଘଟାଇଛି ବାତ୍ୟା । ଏହା ଚାଲି ଯିବା ପରେ ବୁଧବାର ଆକାଶମାର୍ଗରୁ ଗୁଜରାଟର ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାମୁଦ୍ରିକ ବାତ୍ୟା କାରଣରୁ ଗୁଜରାଟରେ ଅନେକ ଜୀବନ ହାନୀ ହୋଇଛି । ଉପକୂଳ ଗୁଜରାଟରେ ସବୁଠାରୁ ଅଧିକ କ୍ଷତିଦେଖିବାକୁ ମିଳିଛି । ଗୁଜରାଟର ମହୁଭା, ଜାଫରାବାଦ, ଉନା ଏବଂ ଡୀଉ ଦୀପପୁଞ୍ଜର ଆକାଶମାର୍ଗରୁ ସ୍ଥିତି ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ଆକାଶମାର୍ଗରୁ ସ୍ଥିତି ଦେଖିବା ପରେ ଅହମ୍ମଦାବାଦରେ ବରିଷ୍ଠ ଅଧିକାରୀଙ୍କ ସହ ମୋଦୀ କରିଥିଲେ ବୈଠକ ।

– ଗୁଜରାଟରେ କ୍ଷତିଗ୍ରସ୍ତ ହୋଇଛି ୧୬ ହଜାରରୁ ଅଧିକ ଘର
– ଉପୁଡି ପଡିଛି ୪୦ ହଜାରରୁ ଅଧିକ ଗଛ
– ଉପୁଡି ପଡିଛି ୧ ହଜାରରୁ ଅଧିକ ବିଜୁଳି ଖୁଂଟ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ଗୁଜରାଟର ବାତ୍ୟା କ୍ଷୟକ୍ଷତି ନେଇ ଅବଗତ କରାଇଥିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ଗୁଜରାଟର ବାତ୍ୟା କ୍ଷୟକ୍ଷତି ଅଂଚଳକୁ ଆକାଶମାର୍ଗରୁ ପରିଦର୍ଶନ ପରେ ଗୁଜରାଟ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଗୁଜରାଟ ପାଇଁ ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସହାୟତା
– ୧୦୦୦ କୋଟିର ତତ୍କାଳ ସହାୟତା ଘୋଷଣା
– ବାତ୍ୟା ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
– ବାତ୍ୟା ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା
– ବାତ୍ୟାରେ ଆହତଙ୍କୁ ମିଳିବ ୫୦ ହଜାର ଟଙ୍କା

ଗୁଜରାଟର ବାତ୍ୟା କ୍ଷୟକ୍ଷତିର ଅନୁଧ୍ୟାନରେ ଆସିବ କେନ୍ଦ୍ରୀୟ ଟିମ୍ । ଏନେଇ ପିଏମଓ ପକ୍ଷରୁ ସୂଚନା ଜାରି ହୋଇଛି । ଗୁଜରାଟ ଗସ୍ତ ସମୟରେ ଓଏନଜିସି ବାର୍ଜରେ ନିୟୋଜିତ ସମସ୍ତ କର୍ମଚାରୀଙ୍କ ଉଦ୍ଧାର ନେଇ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ।