୨୦୨୨ ଶେଷ ସୁଦ୍ଧା ୫ ଶହ କୋଟି କରୋନା ଟିକା ଉତ୍ପାଦନ କରିବ ଭାରତ । ୧୫୦ ଦେଶକୁ ଟିକା ଯୋଗାଇବାକୁ ପ୍ରତିଶ୍ରୁତି

93

କନକ ବ୍ୟୁରୋ : ୨୦୨୨ ଶେଷ ସୁଦ୍ଧା ୫ ଶହ କୋଟି କରୋନା ଟିକା ଉତ୍ପାଦନ କରିବ ଭାରତ । ଇଟାଲିର ରୋମରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ ଭିଜନ ନେଇ ବିଶ୍ୱର ୧୫୦ ଦେଶକୁ ଟିକା ଯୋଗାଇବ ଭାରତ । ଯାହା କରୋନା ମୁକାବିଲା କ୍ଷେତ୍ରରେ ଏକ ମିଳିତ ଉଦ୍ୟମ ବୋଲି କହିଛନ୍ତି ନରେନ୍ଦ୍ର ମୋଦି ।
ଜି-୨୦ ସମ୍ମିଳନୀର ଗ୍ଲୋବାଲ ଇକୋନମି ଓ ହେଲଥ ସେସନରେ ଯୋଗ ଦେବା ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନସ୍ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାସହ ଜି-୨୦ ସମ୍ମିଳନୀରେ ସାମିଲ ହେଉଥିବା ନେତାଙ୍କ ସହ ଗ୍ରୁପ ଫଟୋ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଟାଲି ପ୍ରଧାନମନ୍ତ୍ରୀଙ୍କ ସହ ଶକ୍ତି କ୍ଷେତ୍ରରେ ମିଳିତ ଭାବେ କାମ କରିବାକୁ ମୋଦି ସହମତି ହୋଇଛନ୍ତି । ସମ୍ମିଳନୀରେ କରୋନା ଟିକାକରଣ ଉପରେ ଆଲୋଚନା ହୋଇଥିଲା । ଏଥିରେ ଇଟାଲି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର ଧନୀ ଦେଶ ନିଜ ଜନସଂଖ୍ୟାର ୭୦ ପ୍ରତିଶତ ଲୋକଙ୍କୁ ଟିକା ଦେଇସାରିଛନ୍ତି । କିନ୍ତୁ ଗରିବ ରାଷ୍ଟ୍ର କେବଳ ତିନି ପ୍ରତିଶତ ଲୋକଙ୍କୁ ଟିକା ଦେଇପାରିଛନ୍ତି, ଯାହା ଦୁର୍ଭାଗ୍ୟଜନକ । ସେହିପରି ଇରାନର ଆଣବିକ ଚୁକ୍ତି ଓ ବିଶ୍ୱ ତାପମାନ ବୃଦ୍ଧି ଉପରେ ମଧ୍ୟ ଜି-୨୦ ସମ୍ମିଳନୀରେ ଚର୍ଚ୍ଚା କରାଯାଇଛି ।