‘ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ’ରେ ଓହ୍ଲାଇଲା ମୋଦୀଙ୍କ ବିମାନ । ୩୪୧ କିଲୋମିଟର ଲମ୍ବା ଏହି ‘ଏକ୍ସପ୍ରେସ ୱେ’କୁ ନେଇ କାହିଁକି ହେଉଛି ଚର୍ଚ୍ଚା ।

225

କନକ ବ୍ୟୁରୋ : ଏକ୍ସପ୍ରେସ ୱେରେ ଓହ୍ଲାଇଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ । ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଥିବା ରନୱେରେ ମୋଦୀଙ୍କ ହରକ୍ୟୁଲେସ ବିମାନ ଅବତରଣ କରିଛି । ୩୪୧ କିଲୋମିଟର ଲମ୍ବା ଏହି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେକୁ ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ୨୦୧୮ ମସିହାରେ ଏହି ଏକ୍ସପ୍ରେସ ୱେର ପୁନାଦି ପକାଇଥିଲେ ମୋଦୀ । ଆଉ ଅଢେଇ ବର୍ଷ ପରେ ଏହାର ଶିଳାନ୍ୟାସ କରିବେ ମୋଦୀ । ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଏହି ସଡକ ରାଜନୀତିର ରାସ୍ତାକୁ ବି ମଜବୁତ କରିପାରେ । ଏହି ଏକ୍ସପ୍ରେସ ୱେ ପୂର୍ବ ଉତ୍ତରପ୍ରଦେଶକୁ ପଶ୍ଚିମ ଉତ୍ତର ପ୍ରଦେଶ ସହ ଯୋଡିବ । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଗାଜିପୁରକୁ ସଂଯୋଗ କରିବ ପୂର୍ବାଞ୍ଚଳ ଏକସପ୍ରେସ ୱେ ।

ଏହି ଏକ୍ସପ୍ରେସ ୱେ ନିର୍ମାଣରେ ପାଖାପାଖି ୨୨,୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଆଉ ସବୁଠୁ ବଡ କଥା ହେଲା ଏହି ଏକ୍ସପ୍ରେସ ୱେ ୯ଟି ଜିଲ୍ଲାକୁ ଅତିକ୍ରମ କରିଛି । ୬ ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ ୱେରେ ୩.୨ କିଲୋମିଟର ଯାଏଁ ରନୱେ ରହିଛି । ଯାହାକୁ ଆଜି ଉଦଘାଟନ କରିବେ ମୋଦୀ ।

ତେବେ ଏହି ଏକ୍ସପ୍ରେସ ୱେକୁ ନେଇ ଥିବା କିଛି ତଥ୍ୟ ଉପରେ ନଜର ପକାନ୍ତୁ :
– ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଲମ୍ବ ୩୪୧ କିଲୋମିଟର।
– ୮ଘଣ୍ଟା ୩୦ ମିନିଟରେ ନୋଏଡାରୁ ଗାଜିପୁରରେ ପହଞ୍ଚିବା ହେବ ସମ୍ଭବ।
– ଲକ୍ଷ୍ନୌଠାରୁ ଗାଜିପୁର ଯିବା ପାଇଁ କୌଣସି ସ୍ଥାନରେ ରହିବାକୁ ପଡିବନି।
– ୨୨ ହଜାର ୪୯୪ କୋଟି ଟଙ୍କା ବ୍ୟୟରେ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ତିଆରି କରାଯାଇଛି।
– ଏଥିରେ ୧୮ଟି ଫ୍ଲାଏଓଭର ଓ ୭ଟି ରେଲୱେ ବ୍ରିଜ ରହିଛି।
– ୭ଟି ବଡ ବ୍ରିଜ ସହ ୧୧୮ଟି ଛୋଟ ବ୍ରିଜ ରହିଛି।
– ୧୩ଟି ଇଂଟରଚେଂଜ ଓ ୮ଟି ଟୋଲ ପ୍ଲାଜା ରହିଛି।
– ୨୭୧ଟି ଅଂଡରପାସ ଓ ୫୦୩ଟି ଛୋଟ ପୋଲ ରହିଛି।
– ଗାଡି ଚଢିବା ଓ ଉଠିବା ପାଇଁ ରହିଛି ୧୩ଟି କଟ୍।
– ଏହା ଉତ୍ତରପ୍ରଦେଶର ୯ଟି ଜିଲ୍ଲା ଦେଇ ଗତି କରିବ।
– ସୁରକ୍ଷା ବ୍ୟବସ୍ଥା ମଧ୍ୟ ଏହି ସ୍ଥାନରେ କଡାକଡି ରହିଛି।
– ଆଡଭାନ୍ସ ଟ୍ରାଫିକ ମ୍ୟାନେଜମେଂଟ ବ୍ୟବସ୍ଥା କରାଯାଇଛି।
– ପଶୁ ପକ୍ଷୀ ଯେପରି ନଆସିପାରିବେ ସେ ବ୍ୟବସ୍ଥା ରହିଛି।
– ୩ କିଲୋମିଟରର ରନୱେ ରହିଛି।
– ଜରୁରୀସ୍ଥିତିରେ ଏଠାରେ କୌଣସି ବି ବିମାନ ଓହ୍ଲାଇପାରିବ।
– ବିମାନ ଅବତରଣ ସମୟରେ ରାସ୍ତାର ଟ୍ରାଫିକକୁ ଅଟକାଇବାକୁ ପଡିବ ନାହିଁ।