ଟିମ୍ ଇଣ୍ଡିଆର ଡ୍ରେସିଂରୁମରେ ଖେଳାଳୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଉ କହିଲେ… । ଦେଖନ୍ତୁ ପୂରା ଭିଡ଼ିଓ ।
କନକ ବ୍ୟୁରୋ : ବିଶ୍ୱକପର ଫାଇନାଲରେ ଟିମ୍ ଇଣ୍ଡିଆ ପରାଜିତ ହେବା କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଛି । ଖେଳାଳୀଙ୍କ ଆଖିରେ ଲୁହ ଦେଖି ପୂରା ଭାରତ କାନ୍ଦିଛି । କାରଣ ଫାଇନାଲ ପୂର୍ବରୁ ଅପରାଜେୟ ଥିବା ଟିମ୍ ଇଣ୍ଡିଆ ଟାଇଟଲ ଟକ୍କରରେ ପରାଜିତ ହୋଇଛି । ତେବେ ଫାଇନାଲ ମ୍ୟାଚ୍ ପରେ ଡ୍ରେସିଂ ରୁମରେ ପହଞ୍ଚିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ଖେଳାଳୀଙ୍କୁ ଭେଟିବା ସହ ସେମାନଙ୍କର ମନୋବଳ ବଢାଇଥିଲେ । ଡ୍ରେସିଂରୁମରେ ପହଞ୍ଚି ଭାରତୀୟ ଖେଳାଳୀଙ୍କ ସହ ହାତ ମିଳାଇ, ପିଠି ଥାପୁଡାଇ ମୋଦି କହିଥିଲେ, ପୂରା ଦେଶ ଆପଣଙ୍କୁ ଦେଖୁଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ମୋଦି ଡ୍ରେସିଂରୁମରେ ପଶିବା ସହ ପ୍ରଥମେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସାନ୍ତ୍ୱନା ଦେବା ସହ କହିଥିଲେ, ଆପଣ ୧୦ଟି ଲେଖାଏଁ ମ୍ୟାଚ୍ ଜିତିକି ଫାଇନାଲ ଆସିଛି । ଖେଳରେ ଏମିତି ହୁଏ । ସେହିଭଳି ସାମିଙ୍କୁ ଆଲିଙ୍ଗନ କରି କହିଥିଲେ, ତମେ ପୂରା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଛ । ଖେଳରେ ଏମିତି ହୁଏ । ଏହାସହ ସମସ୍ତ ଖେଳାଳୀଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କୋଚ୍ ରାହୁଲଙ ଦ୍ରାବିଡଙ୍କୁ କେମିତି ଅଛ ବୋଲି ପଚାରିଥିଲେ ମୋଦି । ଭାରତୀୟ ଡ୍ରେସିଂ ରୁମକୁ ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଯାଇଥିଲେ ।
ସେହିଭଳି ଡ୍ରେସିଂରୁମକୁ ମୋଦି ଆସିବା ସହ ମନୋବଳ ବଢାଇଥିବା ବେଳେ ଏହାର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଭାରତୀୟ ଖେଳାଳୀ । ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡେଜା ସେହି ସମୟର ଫଟୋ ସେୟାର କରି ଲେଖିଛନ୍ତି, ବିଶ୍ୱକପ ନ ଜିତିବାର ଦୁଃଖ ରହିଛି । କିନ୍ତୁ ଦେଶବାସୀଙ୍କ ସମର୍ଥନ ଏବେ ବି ରହିଛି । ଡ୍ରେସିଂରୁମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ବୁଝାଇବା ଆମର ମନୋବଳ ବୃଦ୍ଧି କରିଛି । ଭାରତକୁ ହରାଇ ଅଷ୍ଟ୍ରେଲିଆ ୬ଷ୍ଠ ଥର ପାଇଁ ବିଶ୍ୱକପ୍ ଟାଇଟଲ ହାତେଇଛି ।