ଇସ୍ରୋ କଣ୍ଟ୍ରୋଲ ରୁମରେ ମୋଦି । ଚନ୍ଦ୍ରପୃଷ୍ଠରେ ‘ଚନ୍ଦ୍ରଯାନ-୨’ର ଅବତରଣ ଦେଖିବାକୁ ବାଙ୍ଗାଲୋରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ।

266

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବେଙ୍ଗାଲୁରୁ ପହଞ୍ଚିଛନ୍ତି । ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣ ଦେଖିବାକୁ ମୋଦି ବେଙ୍ଗାଲୁରୁସ୍ଥିତ ଇସ୍ରୋ ସେଣ୍ଟରରେ ପହଞ୍ଚିଛନ୍ତି । ଚନ୍ଦ୍ରଯାନର ଅବତରଣ ଶୁକ୍ରବାର-ଶନିବାର ମଧ୍ୟ ରାତି (ସେପ୍ଟେମ୍ବର ୭)ରେ ହେବ । ଏଥି ପାଇଁ ମୋଦିଙ୍କ ସାଙ୍ଗରେ ମନୋନୀତ ହୋଇଥିବା ୬୦ ଜଣ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

ଚନ୍ଦ୍ରଯାନ-୨ର ଅବତରଣ ସମସ୍ତେ ଦେଖିବାକୁ ମୋଦି ଦେଶବାସୀଙ୍କୁ ଆହ୍ଵାନ କରିଛନ୍ତି । ଏହା ଏକ ବିରଳ ଦୃଶ୍ୟ ଓ ସ୍ମରଣୀୟ ମୂହୁର୍ତ୍ତ ହେବ । ସୋସିଆଲ ମିଡିଆରେ ଫଟୋ ସେୟାର କରିବାକୁ ମୋଦି ପରାମର୍ଶ ଦେଇଛନ୍ତି । ଏଥି ସହିତ ସେ କହିଛନ୍ତି, ମୁଁ ମଧ୍ୟ ସୋସିଆଲ ମିଡିଆରେ ଫଟୋ ସେୟାର କରିବି ।

ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଭାରତର ଚନ୍ଦ୍ରଯାନ-୨ ର ଲାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇ ଇତିହାସ ସୃଷ୍ଟି କରିବ । ଭାରତର ୧୩୦ କୋଟି ଜନତାଙ୍କ ସମେତ ସାରା ବିଶ୍ୱର ଆଖି ଏହା ଉପରେ ରହିଛି । ଅବତରଣର କିଛି ଘଣ୍ଟା ଚନ୍ଦ୍ରଯାନ-୨ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ତେବେ ଆଶ୍ୱସ୍ତିର କଥା ହେଉଛି ଏପର୍ଯ୍ୟନ୍ତ ସବୁକିଛି ଯୋଜନା ଅନୁସାରେ ଠିକଠାକ ଚାଲିଛି । ଏହାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ କେ.ଶିବନ ।