ଆଦିବାସୀ ମହିଳାଙ୍କୁ କାହିଁକି ଚପଲ ପିନ୍ଧାଇଲେ ପ୍ରଧାନମନ୍ତ୍ରୀ ମୋଦି ?

102

ଆଦିବାସୀ ମହିଳାଙ୍କୁ ମଞ୍ଚ ଉପରେ ଚପଲ ପିନ୍ଧାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ମୋଦି ଛତିଶଗଡର ବିଜାପୁରରେ ଆୟୋଜିତ ସଭାରେ ଆୟୁଷ୍ମାନ ଭାରତ ଯୋଜନାରେ ପ୍ରଥମ ସ୍ୱାସ୍ଥ୍ୟକେନ୍ଦ୍ର ଉଦଘାଟନ କରିଥିଲେ । ଆଉ ଏହାପରେ ଜଣେ ଆଦିବାସୀ ମହିଳାଙ୍କୁ ଚପଲ ପିନ୍ଧାଇଥିଲେ । ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଏଭଳି କରିବାର ନଜିର ନାହିଁ । ଏହି ସମୟରେ ମଞ୍ଚ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, ଅନନ୍ତ କୁମାର ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ଉପସ୍ଥିତ ଥିଲେ । ତେବେ ମଞ୍ଚ ଉପରେ ମହିଳାଙ୍କୁ କାହିଁକି ଚପଲ ପିନ୍ଧାଇଲେ ପ୍ରଧାନମନ୍ତ୍ରୀ ମୋଦି । ଏନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ପ୍ରକୃତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚରଣ ପାଦୁକା ଯୋଜନା ଅନୁଯାୟୀ, ଆଦିବାସୀ ମହିଳାଙ୍କୁ ଚପଲ ଭେଟି ଦେଇଛନ୍ତି । କେନ୍ଦୁପତ୍ର ତୋଳୁଥିବା ମହିଳା ମାନଙ୍କୁ ଚପଲ ଉପଲବ୍ଧ କରାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ ।ଏହାସହ ଆମ୍ବେଦକରଙ୍କ ପାଇଁ ସେ ପ୍ରଧାନମନ୍ତ୍ରୀ ହୋଇଥିବା କହିଛନ୍ତି ମୋଦି । ଏହାଛଡା କେନ୍ଦ୍ର ସରକାର ଗରିବ, ଦଳିତ, ଆଦିବାସୀଙ୍କ ସହ ସବୁବେଳେ ଛିଡା ହୋଇଛି । ତେବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କିଛି ଲୋକ ଏହାକୁ ମୋଦିଙ୍କ ମହାନତା କହିଥିବା ବେଳେ କିଛି ଲୋକ ଏହାକୁ ମୋଦିଙ୍କ ଅଭିନୟ ବୋଲି କହିଛନ୍ତି ।