ଓଡ଼ିଶାକୁ ମୋଦୀଙ୍କ ପ୍ରଶଂସା: ‘ଦେଶର ବିକାଶ ଇଂଜିନ ହେବ ଓଡ଼ିଶା’

432

କନକ ବ୍ୟୁରୋ: ମୋଦୀଙ୍କ ଅଭିଭାଷଣରେ ଓଡିଶା କଥା । ଲୋକସଭା ନିର୍ବାଚନରେ ୨୧ରୁ ୨୦ଟି ଆସନ ହାତେଇବା ପରେ କେନ୍ଦ୍ରରେ ଓଡିଶାର ଗୁରୁତ୍ୱ ବଢି ଯାଇଛି । ସେଥିପାଇଁ ସଂସଦୀୟ ଦଳର ବୈଠକରେ ଓଡିଶାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ମୋଦୀ । କହିଛନ୍ତି ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶରେ ଇଂଜିନ୍ ହେବ ଓଡିଶା ।

ଅବସର ଥିଲା ଏନଡିଏ ସଂସଦୀୟ ଦଳର ବୈଠକ । ସଂସଦ ଭବନ ସେଂଟ୍ରାଲ ହଲରେ ଓଡିଶାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଛନ୍ତି,
ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା
ଓଡିଶାର ନିର୍ବାଚନ ଫଳାଫଳ ବିକଶିତ ଭାରତର ସ୍ୱପ୍ନକୁ ନୂଆ ଗତି ଦେବ
ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶରେ ଇଂଜିନ୍ ହେବ ଓଡିଶା

ଓଡ଼ିଶାର ୨୧ ଲୋକସଭା ଆସନରୁ ବିଜେପି ୨୦ ଆସନ ପାଇବା ପରେ ଓଡ଼ିଶାର ଗୁରୁତ୍ୱ ବଢ଼ିଯାଇଛି । ଓଡ଼ିଶାର କେଉଁ ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ, କେତେଜଣ ମନ୍ତ୍ରୀ ପଦ ପାଇବେ, ଏ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କୁହାଯାଉଛି, ଆସନ୍ତାକାଲି ସୁଦ୍ଧା ଏହା ସ୍ପଷ୍ଟ ହୋଇଯିବ ।

ସଂସଦକୁ ୬ ଥର ନିର୍ବାଚିତ ହୋଇଥିବାରୁ ବାଚସ୍ପତି ପଦ ପାଇଁ ବଡ଼ ଦାବିଦାର ହୋଇଛନ୍ତି ଭର୍ତୃହରି ମହତାବ । ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ବାଚସ୍ପତି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହାସହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପାଇଁ ଅନେକ ନେତାଙ୍କ ନାଁ ସାମ୍ନାକୁ ଆସୁଛି । ୧୦ ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ରହିଥିବା ଧର୍ମେନ୍ଦ୍ର ପ୍ରଧାନ, ଅଭିଜ୍ଞ ସାଂସଦ ବୈଜୟନ୍ତ ପଣ୍ଡା, କ୍ରମାଗତ ୨ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଅପରାଜିତା ଷଡ଼ଙ୍ଗୀ ଆଦି ନେତା କେନ୍ଦ୍ରମନ୍ତ୍ରୀ ରେସରେ ରହିଛନ୍ତି ।