ମୋଦିଙ୍କ ମୁହଁରେ ନବୀନଙ୍କ ପ୍ରଶଂସା । ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରି ବାହାବା ସାଉଁଟିଲେ ମୁଖ୍ୟମନ୍ତ୍ରୀ । 

1,496

କନକ ବ୍ୟୁରୋ : ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତିର ଆକଳନ ପରେ ରାଜ୍ୟ ସରକାରଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ଆକାଶମାର୍ଗରୁ ସର୍ଭେ କରାଯାଇଛି । ୧୪ ହଜାର ଗାଁ ପ୍ରଭାବିତ ହୋଇଛି । ବାତ୍ୟା ପୂର୍ବରୁ ରାଜ୍ୟ ସରକାର ପୁରା ପ୍ରସ୍ତୁତି ସହ କାମ କରିଛନ୍ତି । ପ୍ରଶାସନ କଥା ମାନିଥିବାରୁ ଓଡିଶାବାସୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ଓଡିଶା ଲୋକେ, ମତ୍ସ୍ୟଜୀବୀମାନେ ପ୍ରଶାସନ କଥା ମାନିଥିଲେ । ପ୍ରଶାସନ କଥା ମାନି ନିଜ ନିଜ ଘର ଛାଡି ବାତ୍ୟା ଆଶ୍ରୟସ୍ଥଳକୁ ଯାଇଥିଲେ । ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା କିଛି ଛୋଟ କଥା ନୁହେଁ । ରାଜ୍ୟ ସରକାରଙ୍କ ଏଭଳି ଏକ ବଡ ପଦକ୍ଷେପ ପାଇଁ ବହୁତ କମ ଲୋକଙ୍କ ଜୀବନ ଗଲା । କୋଠା ଭାଙ୍ଗିଛି, କୋଠା ତିଆରି ହୋଇଯିବ । କିନ୍ତୁ ଜୀବନ ବଞ୍ଚିଯିବ ବଡ କଥା ବୋଲି ମୋଦି କହିଛନ୍ତି । ଏବେ ପାଣି, ବିଜୁଳି ଏବଂ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ନବୀନ ସରକାର ବହୁତ ଭଲ ପ୍ଲାନ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ଭୟଙ୍କର ସାମୁଦ୍ରିକ ଝଡ ଫୋନିର ତାଣ୍ଡବ ପରେ ଛାରଖାର ହୋଇଯାଇଛି ଉପକୂଳ ଓଡିଶା । ବାତ୍ୟା ଚାଲିଯାଇଛି ସତ, କିନ୍ତୁ ଯେଉଁ ଚିହ୍ନ ଛାଡିଯାଇଛି, ତାହା କେବେ ଯେ ଲିଭିବ ତାର ଆକଳନ କରିବା ମଧ୍ୟ ମୁସ୍କିଲ । ତେବେ ଓଡିଶାର ହାତମୁଠାକୁ ଆହୁରି ଶକ୍ତ କରିବା ପାଇଁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ପକ୍ଷରୁ ପୂର୍ବରୁ ସହାୟତା ରାଶି ଘୋଷଣା କରାଯାଇଛି । ତେବେ ଆଜି ଦିନିକିଆ ଗସ୍ତରେ ଆସି ବାତ୍ୟା କ୍ଷୟକ୍ଷତିର ଆକଳନ କରିବା ପରେ ଓଡିଶାକୁ ଆଉ ୧ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ମୋଦିଙ୍କ ଏହି ବଡ ଘୋଷଣା ପରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ ବାତ୍ୟା ଫୋନିରେ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପାଖାପାଖି ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ ରାଜ୍ୟ ସରକାର । ଯାହା ସାରା ବିଶ୍ୱରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବାତ୍ୟାରେ କ୍ଷୟକ୍ଷତି ହୋଇଛି ସତ, କିନ୍ତୁ ୯୯ ମହାବାତ୍ୟା ଭଳି ଏଥର ସେହି ପରିମାଣରେ ଜୀବନ ହାରିନାହାନ୍ତି ଲୋକେ । ଆଉ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।