କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନ, ମୋଦିଙ୍କ ଲୋକପ୍ରିୟତାର ବଡ ପରୀକ୍ଷା । ନାଗରିକତା ସଂଶୋଧନ ଆଇନ୍ ଆସିବା ପରେ ଦେଶରେ ଏହା ପ୍ରଥମ ନିର୍ବାଚନ । ତେଣୁ ଦିଲ୍ଲୀବାସୀ ମୋଦି ସରକାରଙ୍କ ଏହି ଆଇନକୁ କେତେ ଗ୍ରହଣ କରିଛନ୍ତି ତାହା ନିର୍ବାଚନ ଫଳାଫଳରୁ ଜଣାପଡିଯିବ । ଏଥିସହ ରାମ ମନ୍ଦିର ନିର୍ମାଣ ମଧ୍ୟ ଦିଲ୍ଲୀ ନିର୍ବାଚନରେ ବିଜେପି ପାଇଁ ଆଉ ଏକ ମୁଖ୍ୟ ପ୍ରସଙ୍ଗ । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଭଳି ମୋଦି ସରକାରଙ୍କ ଐତିହାସିକ ନିଷ୍ପତି ପରେ ବି ଏହାର ପ୍ରଭାବ ମହାରାଷ୍ଟ୍ର ଏବଂ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳିନଥିଲା । ଏବେ ଦିଲ୍ଲୀ ଫଳାଫଳକୁ ସମସ୍ତଙ୍କ ଅପେକ୍ଷା ।

Advertisment

ଦିଲ୍ଲୀ କହିବ କାହାର କେତେ ଦମ୍ ? ମୋଦିଙ୍କ ଲୋକପ୍ରିୟତାର ବଡ଼ ପରୀକ୍ଷା । ଶାସନ ଓ ପ୍ରଶାସନର ପେଣ୍ଠସ୍ଥଳୀ ରାଜଧାନୀ ଦିଲ୍ଲୀର ନିର୍ବାଚନ ଫଳାଫଳ କେବଳ ଯେ, ଦିଲ୍ଲୀ ସୀମାରେ ସୀମିତ, ତାହା କହିଲେ ହୁଏତ ଭୁଲ୍ ହୋଇଯିବ । କାରଣ ସାରା ଦେଶକୁ କୌଣସି ନା କୌଣସି ବାଟରେ ପ୍ରଭାବିତ କରେ ଦିଲ୍ଲୀର ରାଜନୈତିକ ମାହୋଲ । ଆଉ ଆଜି ଯେତେବେଳେ ଦିଲ୍ଲୀ ଗାଦି ପାଇଁ ନିର୍ବାଚନ ସରିଛି, ଠିକ୍ ସେମିତି ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତାର ବଡ଼ ପରୀକ୍ଷା ହେବାକୁ ଯାଉଛି ।

publive-imageସାରା ଦେଶକୁ ଆନ୍ଦୋଳିତ କରିଥିବା ମୋଦି ସରକାରଙ୍କ ନୂଆ ନାଗରିକତା ଆଇନ୍ ଆସିବା ପରେ ପ୍ରଥମ ଥର ପାଇଁ କୌଣସି ରାଜ୍ୟରେ ଏକ ବଡ଼ ନିର୍ବାଚନ ହୋଇଛି । ହୁଏତ, ଲୋକଙ୍କ ରାୟ ହିଁ ସ୍ପଷ୍ଟ କରିବ ନୂଆ ନାଗରିକତା ଆଇନକୁ ଦିଲ୍ଲୀବାସୀ କେତେ ଗ୍ରହଣ କରିଛନ୍ତି ।

ନାଗରିକତା ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ପ୍ରତିବାଦ । ବିଶେଷ କରି ଦିଲ୍ଲୀର ଛାତି ଉପରେ ଶାହିନ୍ ବାଗର ଆନ୍ଦୋଳନ ଏବଂ ଜାମିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ବିକ୍ଷୋଭ, ଦିଲ୍ଲୀ ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବ କି? ଆଉ ଯଦି ଫଳାଫଳ ବିଜେପି ବିରୁଦ୍ଧରେ ଯାଏ, ତାହେଲେ ହୁଏତ ଧରି ନେବାକୁ ହେବ ଯେ, ଜନତାଙ୍କ ମନରେ ପରିବର୍ତ୍ତନ ଆସିଛି ।

ଆଉ ଏହାରି ଭିତରେ ବିଜେପିର ବଡ଼ ମୁର୍ଦ୍ଦା ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ, ଏବେ ନିର୍ଣ୍ଣାୟକ ମୋଡ଼ରେ ପହଂଚିଛି । ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ବୋର୍ଡ ବି ଗଠନ ହୋଇଛି । ହେଲେ ପ୍ରଶ୍ନ ହେଉଛି ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଦିଲ୍ଲୀ ଭୋଟରଙ୍କୁ ପ୍ରଭାବିତ କରିବ କି ?

ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀଙ୍କ ଠାରୁ ନରେନ୍ଦ୍ର ମୋଦି, ଅମିତ ଶାହାଙ୍କ ପର୍ଯ୍ୟନ୍ତ ପୀଢ଼ି ପରେ ପୀଢ଼ି ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣ କଥା କହି ଭୋଟ୍ ମାଗି ଆସିଛି ବିଜେପି । ଆଉ ଯେତେବେଳେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି, ସେତେବେଳେ ସ୍ୱାଭାବିକ୍ ଭାବେ ପ୍ରଶ୍ନ ଉଠୁଛି, ଭୋଟ୍ ଆଣିବ ପାରିବ କି ଏହି ପ୍ରସଙ୍ଗ ?

ଅନ୍ୟପଟେ କେଜ୍ରିୱାଲ ସରକାରଙ୍କ ଲୋକାଭିଭୂମି ଯୋଜନା । ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷା, ସରକାରୀ ହସ୍ପିଟାଲର ନବକଳେବର, ଶସ୍ତାରେ ବିଜୁଳି ଓ ପାଣି, ଦିଲ୍ଲୀ ଭଳି ବ୍ୟୟବହୁଳ ସହରରେ ଲୋକଙ୍କୁ ଏକପ୍ରକାରର ପ୍ରଭାବିତ କରିଛି । ୨ଶହ ୟୁନିଟ୍ ଯାଏଁ ମାଗଣା ବିଜୁଳି, ମାସିକ ୨୦ ହଜାର ଲିଟର୍ ଯାଏଁ ମାଗଣା ପାଣି ସହ ସରକାରୀ ସ୍କୁଲ ଓ ହସ୍ପିଟାଲର ନୂଆରୂପ, କେଜ୍ରିୱାଲ ଓ ଆମ ଆଦମୀ ପାର୍ଟିର ଏକ ମଜଭୁତ୍ ମୂଳଦୁଆ ତିଆରି କରିଛି ବୋଲି କୁହାଯାଉଛି ।

୨୦୧୫ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଦିଲ୍ଲୀ ବିଧାନସଭାର ମୋଟ୍ ୭୦ ଆସନରୁ ୬୭ ଆସନ ଜିତି ଉଭୟ ବିଜେପି ଓ କଂଗ୍ରେସକୁ ଧରାସାଇ କରିଦେଇଥିଲା । ଆଉ ଏହି ଘଟଣା ଠିକ୍ ସେତିକି ବେଳେ ଘଟିଥିଲା, ଯେତେବେଳେ ବିଜେପି ୨୦୧୪ରେ ସାରା ଦେଶରେ ବିପୁଳ ଭୋଟ୍ ପାଇ କ୍ଷମତାକୁ ଆସିଥିଲା । ଏହାରି ଭିତରେ ପ୍ରାୟ ୨୨ବର୍ଷ ହେଲା ଦିଲ୍ଲୀରେ କ୍ଷମତାକୁ ଫେରିବାକୁ ସଂଘର୍ଷ କରୁଛି ଭାରତୀୟ ଜନତା ପାର୍ଟି ।