ନୂଆ ଦାୟିତ୍ୱ ନେଲେ ମୋଦୀଙ୍କ ନୂଆ ଟିମ୍  । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସମ୍ଭାଳିଲେ ଜ୍ୟୋତିରାଦିତ୍ୟ । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟର କାର୍ଯ୍ୟଭାର ନେଲେ ଅନୁରାଗ ।

200

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ରେ ନୂଆ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଅନେକ ନୂଆ ଚେହେରା । କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧ୍ୟାଙ୍କୁ ମିଳିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ସେହିପରି ଅନୁରାଗ ଠାକୁର ନେଇଛନ୍ତି ଯୁବ କଲ୍ୟାଣ ମନ୍ତ୍ରାଳୟ ଦାୟିତ୍ୱ । ଓଡିଶାର ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଛି ରେଳ ଏବଂ ସୂଚନା ପ୍ରସାରଣ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ।

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ରେ ନୂଆ ମନ୍ତ୍ରୀ ଭାବେ ଶପଥ ନେବା ପରେ ଗୁରୁବାର ନୂଆ ମନ୍ତ୍ରୀମଣ୍ଡଳର କାର୍ଯ୍ୟପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ନୂଆ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି । କରୋନା କାଳ ଭିତରେ ଦେଶର କିପରି ବିକାଶ କରାଯିବ ସେନେଇ ପ୍ରଧାନମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳ ସହ ଆଲୋଚନା କରିଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ଏବଂ ସୂଚନା ପ୍ରସାରଣ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଶ୍ୱିନୀ ବୈଷ୍ଣବ ।

ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଅନେକ ଯୁବ ନେତାଙ୍କୁ ସ୍ଥାନ ଦିଆଯାଇଛି ।  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭାବେ ଗୁରୁବାର କାର୍ଯ୍ୟ ଆରମ୍ଭ କରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧ୍ୟା । ସେହିପରି ଯୁବ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଅନୁରାଗ ଠାକୁର ।ପୂର୍ବରୁ ପେଟ୍ରୋଲିୟମ ମନ୍ତ୍ରାଳୟ ବିଭାଗରେ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ଶିକ୍ଷା ବିଭାଗ । ଆଉ ପେଟ୍ରୋଲିଅମ ମନ୍ତ୍ରାଳୟ ଦାୟିତ୍ୱ ମିଳିଛି ହରଦୀପ ସିଂହ ପୁରୀଙ୍କୁ । ଗୁରୁବାର ହରଦୀପଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କରୋନାର ଲଢେଇ ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପାଇଛି ନୂଆ ମନ୍ତ୍ରୀ । ମନସୁଖ ମାଣ୍ଡଭିୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । ନୂଆଦିଲ୍ଲୀ ନିର୍ମାଣ ଭବନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କାର୍ଯ୍ୟାଳୟରେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ହର୍ଷବର୍ଦ୍ଧନଙ୍କୁ ହଟାଇ ମନସୁଖ ମାଣ୍ଡଭିୟଙ୍କୁ ମୋଦି ନିଜ ଟିମ୍ରେ ସାମିଲ କରିଛନ୍ତି । କେନ୍ଦ୍ର କ୍ୟାବିନେଟରେ ବଡଧରଣ ଅଦଳ ବଦଳ କରିବା ସହ ମନ୍ତ୍ରିମଣ୍ଡଳରେ ନୂଆ ନେତାଙ୍କୁ ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।