ଆସିଲା ମୋଦୀଙ୍କ ଟିମର ସମ୍ପତ୍ତି ତାଲିକା : ଜ୍ୟୋତିରାଦିତ୍ୟ ସିନ୍ଧିଆ ସବୁଠାରୁ ଧନୀ ମନ୍ତ୍ରୀ, ନୂଆ ମନ୍ତ୍ରୀ ହୋଇଥିବା ପ୍ରତିମା ଭୌମିକଙ୍କ ପାଖରେ ଅଛି ମାତ୍ର ୧୦ ଲକ୍ଷ

1,830

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାରଦିନ ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି । ନୂଆ ମନ୍ତ୍ରିମଣ୍ଡଳରେ ୪୩ ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ଏମାନଙ୍କ ମଧ୍ୟରୁ ୧୫ କ୍ୟାବିନେଟ ଓ ୨୮ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି । ମୋଦୀଙ୍କ ମନ୍ତ୍ରିପରିଷଦରେ ଏବେ ମୋଟ ୭୮ ମନ୍ତ୍ରୀ ଅଛନ୍ତି । ଏହାପରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, କେଉଁ ମନ୍ତ୍ରୀଙ୍କ ପାଖରେ କେତେ ସମ୍ପତ୍ତି ଥିବ । ମୋଦୀଙ୍କ ଟିମରେ ୪ଜଣ ମନ୍ତ୍ରୀଙ୍କ ନିକଟରେ ୫୦ କୋଟିରୁ ଅଧିକ ସମ୍ପତ୍ତି ଅଛି । ଅନ୍ୟପଟେ ଆଠଜଣ ମନ୍ତ୍ରୀ ଏଭଳି ଅଛନ୍ତି ଯେଉଁମାନଙ୍କ ପାଖରେ ଏକ କୋଟି ଟଙ୍କାର ସମ୍ପତ୍ତି ନାହିଁ ।

ଜାଣନ୍ତୁ ମୋଦିଙ୍କ କ୍ୟାବିନେଟର ଧନୀ ମନ୍ତ୍ରୀ କିଏ ? 

– ମୋଦୀ କ୍ୟାବିନେଟରେ ସବୁଠାରୁ ଧନୀ ମନ୍ତ୍ରୀ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ତାଙ୍କ ପାଖରେ ରହିଛି ୩୭୯ କୋଟିର ସମ୍ପତ୍ତି । ଉତ୍ତାଧିକାରୀ ସୁତ୍ରରେ ଜ୍ୟୋତିରାଦିତ୍ୟଙ୍କୁ ଏହି ସମ୍ପତ୍ତି ମିଳିଛି । ଜ୍ୟୋତିରାଦିତ୍ୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । ୟୁପିଏ ଶାସନ ସମୟରେ ବି ସେ ସବୁଠାରୁ ଧନୀ ମନ୍ତ୍ରୀ ଥିଲେ ।

– ଦ୍ୱିତୀୟ ଧନୀ ମନ୍ତ୍ରୀ ହେଉଛନ୍ତି ପୀୟୁଷ ଗୋଏଲ । ତାଙ୍କ ପାଖରେ ୯୫ କୋଟି ଟଙ୍କାର ସମ୍ପତ୍ତି । ମୋଦି କ୍ୟାବିନେଟରେ ଦୁଇରୁ ଅଧିକ ମନ୍ତ୍ରଣାଳୟ ସମ୍ଭାଳୁଛନ୍ତି । ପୀୟୁଷଙ୍କ ପାଖରେ ବାଣିଜ୍ୟ ଓ ଶିଳ୍ପ, ଖାଦ୍ୟ ଓ ଉପଭୋକ୍ତ ଏବଂ ବୟନଶିଳ୍ପ ଭଳି ମନ୍ତ୍ରଣାଳୟ ।

– ମୋଦୀ କ୍ୟାବିନେଟର ତୃତୀୟ ଧନୀ ମନ୍ତ୍ରୀ ହେଉଛନ୍ତି ନାରାୟଣ ରାଣେ । ତାଙ୍କ ସମ୍ପତ୍ତି ହେଉଛି ୮୭ କୋଟି ୭୭ ଲକ୍ଷ ।ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନାରାୟଣ ରାଣେ । ରାଣେକୁ ମିଳିଛି କ୍ଷୁଦ୍ର ଓ ମଧ୍ୟମଶିଳ୍ପ ମନ୍ତ୍ରଣାଳୟ ।

ଜାଣନ୍ତୁ ମୋଦିଙ୍କ କ୍ୟାବିନେଟରେ ସବୁଠାରୁ ଗରିବ ମନ୍ତ୍ରୀ କିଏ ? 

– ତ୍ରିପୁରାର ବିଜେପି ମହିଳା ସାଂସଦ ପ୍ରତିମା ଭୌମିକଙ୍କ ପାଖରେ ସବୁଠାରୁ କମ ସମ୍ପତ୍ତି ରହିଛି । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ହେଉଛି ୧୦ ଲକ୍ଷ । ସେ ପ୍ରଥମ ଥର ଲାଗି ମନ୍ତ୍ରୀ ପଦ ପାଇଛନ୍ତି । ୫୨ ବର୍ଷୀୟା ପ୍ରତିଭା ଭୌମିକ ଚାଷୀରୁ ମନ୍ତ୍ରୀ ହୋଇଛନ୍ତି । ବାୟୋ-ସାଇନ୍ସରେ ସ୍ନାତକ ହାସଲ କରିଛନ୍ତି ।