କନକ ବ୍ୟୁରୋ: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୁଇଟ୍ କରି ସେ ହେମାନନ୍ଦଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହିତ ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ସମ୍ବେଦନତା ଜ୍ଞାପନ କରିଛନ୍ତି ।
ଟୁଇଟ୍ କରି ମୋଦୀ ଲେଖିଛନ୍ତି, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ନିଧନରେ ବ୍ୟଥିତ । ସେ ବହୁ ବର୍ଷ ଧରି ସାଧାରଣ ଜୀବନରେ ସକ୍ରିୟ ଥିଲେ ଓ ଲୋକଙ୍କ ଭିତରେ ରହି ଲୋକଙ୍କ କାମ କରୁଥିଲେ । ତାଙ୍କ ବିୟୋଗରେ ପରିବାର ଓ ତାଙ୍କ ସମର୍ଥକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜ୍ଞାପନ କରିଛନ୍ତି ।
Anguished by the passing away of former Odisha CM Shri Hemananda Biswal Ji. He was active in public life for many years and worked extensively among people. In this sad hour, my thoughts are with his family and supporters. Om Shanti.
— Narendra Modi (@narendramodi) February 25, 2022
ଏହା ପୂର୍ବରୁ ହେମାନନ୍ଦ ବିଶ୍ୱାଳଙ୍କ ପରଲୋକରେ ଗଭୀର ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କୁ ଜଣେ ଦକ୍ଷ ଓ ଲୋକପ୍ରିୟ ରାଜନେତା ବୋଲି କହିବା ସହିତ ସମାଜର ଅବହେଳିତ ବର୍ଗର ଲୋକଙ୍କ ଉନ୍ନତି ତଥା ରାଜ୍ୟର ସାମୁହିକ ପ୍ରଗତି ପାଇଁ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା ହେମାନନ୍ଦ ବିଶ୍ୱାଳଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ରାଜ୍ୟର ପ୍ରଗତି ଏବଂ ଲୋକଙ୍କ ଉନ୍ନତି ଦିଗରେ ସେ କରିଯାଇଥିବା କାର୍ଯ୍ୟ ପାଇଁ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) February 25, 2022
ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ୍ କରି ନିଜର ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଦକ୍ଷ, ବିରଳ ଓ ଅନୁଭବୀ ରାଜନୀତିଜ୍ଞଙ୍କୁ ହରାଇଲା । ଏଥିସହିତ ରାଜ୍ୟର ବିକାଶ ବିଶେଷ ଭାବରେ ଜନଜାତିଙ୍କ ପାଇଁ ତାଙ୍କର ବିଶେଷ ଅବଦାନ ଚିରସ୍ମରଣୀୟ ହୋଇ ରହିବ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି ।
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଦକ୍ଷ, ବିରଳ ଓ ଅନୁଭବୀ ରାଜନୀତିଜ୍ଞଙ୍କୁ ହରାଇଲା ।
— Dharmendra Pradhan (@dpradhanbjp) February 25, 2022
ତା ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ।