କାଲି ହେବ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ସନ୍ଧ୍ୟା ୬ଟାରେ ଶପଥ ନେଇପାରନ୍ତି ନୂଆ ମୁହଁ । ଫୋନ ପାଇ ଦିଲ୍ଲୀରେ ପହଁଚୁଛନ୍ତି ନେତା ।

322

କନକ ବ୍ୟୁରୋ: ଆସନ୍ତାକାଲି ହୋଇପାରେ ମୋଦି ମନ୍ତ୍ରିମଣ୍ଡଳର ସଂପ୍ରସାରଣ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, କାଲି ସନ୍ଧ୍ୟା ୬ଟାରେ ଏହି ସଂପ୍ରସାରଣ ଓ ଅଦଳବଦଳ ହୋଇପାରେ । ମୋଦି ମନ୍ତ୍ରିମଣ୍ଡଳରେ ମୋଟ ୮୧ ଜଣ ମନ୍ତ୍ରୀ ରହିବା କଥା । ତେବେ ବର୍ତମାନ ୫୩ ଜଣ ମନ୍ତ୍ରୀ ଅଛନ୍ତି । ୯ ଜଣ ମନ୍ତ୍ରୀଙ୍କ ପାଖରେ ଏକାଧିକ ମନ୍ତ୍ରଣାଳୟ ରହିଛି । ଖବର ଅନୁସାରେ, ଯୁବ ଚେହେରାଙ୍କୁ ଗୁରୁତ୍ୱ ଦେଇପାରନ୍ତି ନରେନ୍ଦ୍ର ମୋଦି । ୨୦ ଜଣ ନୂଆ ଚେହେରାକୁ ସାମିଲ କରାଯାଇପାରେ । ଆଉ କିଛି ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ ହୋଇପାରେ ।

ଆସନ୍ତାବର୍ଷ ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ ଭଳି ପ୍ରମୁଖ ରାଜ୍ୟରେ ନିର୍ବାଚନ ଥିବାରୁ ଏହି ରାଜ୍ୟକୁ ଅଧିକ ଗୁରୁତ୍ୱ ମିଳିପାରେ । ଏହାଛଡା ଓବିସି ଓ ଦଳିତଙ୍କୁ ବି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳରେ ଗୁରୁତ୍ୱ ଦିଆଯାଇପାରେ । ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ମୋଦି ଏଭଳି ସନ୍ଦେଶ ଦେବାକୁ ଚାହିଁବେ ଯେ, ସରକାର ସବୁବର୍ଗଙ୍କୁ ଗୁରୁତ୍ୱ ଦେବାକୁ ଚାହିୁଁଛନ୍ତି । କିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଜ୍ୟଗୁଡିକରେ ବହୁତ ଦିନ ଧରି ମନ୍ତ୍ରୀ ଥିବା ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ସମ୍ଭାବନା ରହିଛି । ଓଡିଶାରୁ କିଏ ନୂଆ ମନ୍ତ୍ରୀ ହେବ ଓ କିଏ ବାଦ ପଡିବ ସେ ନେଇ ବି ଚର୍ଚ୍ଚା ଜୋର ଧରିଛି ।