କମଲା ହାରିସଙ୍କୁ ଭେଟିଲେ ମୋଦୀ, ଆତଙ୍କବାଦ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ କଲେ ଆଲୋଚନା

117

କନକ ବ୍ୟୁରୋ: ତିନିଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜର ଏହି ଆମେରିକା ଯାତ୍ରାରେ ପ୍ରଧାନମନ୍ତ୍ରୀ ଆମେରିକା ଉପ-ରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିଛନ୍ତି । ଯେଉଁଠି ଆମେରିକା- ଭାରତ ସମ୍ପର୍କ ନେଇ ଆଲୋଚନା କରିଛନ୍ତି ଉଭୟ ରାଷ୍ଟ୍ରନେତା । କମଲା ହାରିସ୍ଙ୍କ ବ୍ୟତିତ ଅଷ୍ଟ୍ରେଲିଆ ଓ ଜାପାନ୍ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ସାକ୍ଷାତ୍ କରିଛନ୍ତି ମୋଦି । ସଭିଁଙ୍କୁ ସାକ୍ଷାତ୍ବେଳେ ସ୍ୱତନ୍ତ୍ର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ହ୍ୱାଇଟ ହାଉସରେ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଥର ପାଇଁ କୌଣସି ଭାରତୀୟ ବଂଶୋଦ୍ଭବ ଉପ-ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ଦ୍ୱି-ପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । କମଳା ହାରିଶ କହିଥିଲେ, ଭାରତ ହେଉଛି ଆମେରିକାର ବଡ ଅଂଶୀଦାର । ସେହିଭଳି କୋଭିଡ ଟିକା ରପ୍ତାନୀ ପାଇଁ ଭାରତର ନିଷ୍ପତିକୁ କମଳା ହାରିସ ସ୍ୱାଗତ କରିଛନ୍ତି । ଆତଙ୍କବାଦ ସମେତ ଉଭୟ ନେତା ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଭାରତର କୋଭିଡ ପରିଚାଳନାକୁ କମଳା ହାରିସ ପ୍ରଂଶସା କରିଛନ୍ତି ।

ସାକ୍ଷାତବେଳେ ପ୍ରଧାନମନ୍ତ୍ରୀ କହିଥିଲେ, କମଳା ହାରିଶ ବିଶ୍ୱସମୁଦାୟ ପାଇଁ ପ୍ରେରଣାର ଉତ୍ସ । ଏହି ଅବସରରେ ସେ ତାଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଥିଲେ । ଏହାସହ କମଲା ହାରିସ୍ଙ୍କୁ ସ୍ୱତନ୍ତ୍ର ଉପହାର ପ୍ରଦାନ କରିଥିଲେ ମୋଦି । କମଲା ହାରିସଙ୍କ ଅଜାଙ୍କ ଜଡିତ କିଛି ପୂରୁଣା ଦସ୍ତାବିଜ ତାଙ୍କୁ ଉପହାର ସ୍ୱରୁପ ଦେଇଛନ୍ତି । ଏହାସହ ବନାରସି ମୀନାକରି କାମ ହୋଇଥିବା ଏକ ଚେସ୍ ବୋର୍ଡ ଆମେରିକା ଉପ-ରାଷ୍ଟ୍ରପତିଙ୍କୁ ଭେଟି ଦେଇଛନ୍ତି ମୋଦି ।

ଆମେରିକା ଉପ-ରାଷ୍ଟ୍ରପତିଙ୍କ ବ୍ୟତିତ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଓ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ୍ କରିଛନ୍ତି ମୋଦି । ଉଭୟ ପ୍ରଧାନମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଉପହାର ଦେଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ମୋରିସନ୍ଙ୍କୁ ମୀନାକରି କାମର ଏକ ସୁନ୍ଦର ଜାହାଜ ଉପହାର ଦେଇଛନ୍ତି ମୋଦି । ସେହିପରି ପ୍ରଧାନମନ୍ତ୍ରୀ ସୁଗାଙ୍କୁ ଚନ୍ଦନ କାଠରେ ନିର୍ମିତ ବୁଦ୍ଧ ମୂର୍ତି ଉପହାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ଉପ-ରାଷ୍ଟ୍ରପତି କମଲା ହାରିଶଙ୍କ ସାକ୍ଷାତ୍କାରରେ ଆତଙ୍କବାଦ ଏକ ମୁଖ୍ୟ ପ୍ରସଙ୍ଗ ରହିଛି । ଆତଙ୍କବାଦ ପାଇଁ ପାକିସ୍ତାନଙ୍କୁ ସମାଲୋଚନା କରିଛନ୍ତି କମଲା ହାରିସ । ଆତଙ୍କବାଦ ଓ ଆତଙ୍କୀଙ୍କ ବିରୋଧରେ ପାକିସ୍ତାନ ସରକାର ଶକ୍ତ ନିଷ୍ପତି ନେବା ଦରକାର ବୋଲି ଆମେରିକା ଉପ-ରାଷ୍ଟ୍ରପତି କହିଛନ୍ତି ।