କରୋନା ସଂକ୍ରମଣର ସ୍ଥଙ୍ଗୀନ ସ୍ଥିତିରେ ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା ।

183

କନକ ବ୍ୟୁରୋ: କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ପ୍ରତିଦିନ ଅଲୋଡା ରେକର୍ଡ ସୃଷ୍ଟି ହେଉଛି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ୩ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟା ଭିତରେ ସାରାଦେଶରୁ ୩ ଲକ୍ଷ ୩୨ ହଜାର ୭୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୨ ହଜାର ୨୬୩ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ଗୋଟିଏ ଦିନରେ ୩ ଲକ୍ଷ ୧୪ ହଜାର ୮୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨ହଜାର ୧୦୪ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଦ୍ୱିତୀୟ ଲହରରେ ଚିହ୍ନଟ ହେଉଥିବା ଦୈନିକ ସଂକ୍ରମଣ ଗତବର୍ଷ ସେପ୍ଟେମ୍ବରରେ ଦେଶ ଦେଖିଥିବା କରୋନାର ସର୍ବୋଚ୍ଚ ସଂକ୍ରମଣଠାରୁ ଢେର ଅଧିକ । ଏହାରି ଭିତରେ ଦେଶରେ କରୋନା ସଂକ୍ରମଣର ସଙ୍ଗୀନ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ।

ପ୍ରଥମେ ଦେଶର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ, ପରେ ୧୦ଟି ସର୍ବାଧିକ ସଂକ୍ରମିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଏବଂ ଶେଷରେ ଦେଶର ପ୍ରମୁଖ ଅକ୍ସିଜେନ୍ ଉତ୍ପାଦକଙ୍କ ସହ ମୋଦିଙ୍କ ବୈଠକ କରିଛନ୍ତି । ବିଭିନ୍ନ ଭାଗରେ ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ଯୋଗାଇଦେବାରେ ସଂକଟ ସୃଷ୍ଟି ହୋଇଥିବା ନେଇ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ଏବେ ନଜର ପକାନ୍ତୁ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ…

  • ଅମ୍ଲଜାନ ଯୋଗାଣ ପାଇଁ ସବୁ ପ୍ରକାର ପ୍ରକାର ବନ୍ଦୋବସ୍ତ କରାଯାଉଛି
  • ଶୀଘ୍ର ଯୋଗାଣ ପାଇଁ ଅକ୍ସିଜେନ ଏକ୍ସପ୍ରେସ ଆରମ୍ଭ ହୋଇଥିବା ବେଳେ ବାୟୁସେନା ଅମ୍ଲଜାନ ଯୋଗାଣରେ ନିୟୋଜିତ ହୋଇଛି
  • ଏ ସଂକ୍ରାନ୍ତୀୟ ବିଭାଗ ଓ ମନ୍ତ୍ରଣାଳୟ ଏଦିଗରେ କାମ କରୁଛନ୍ତି
  • ଶିଳ୍ପ ସଂସ୍ଥାର ଅକ୍ସିଜେନ ଗୁଡିକୁ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଲଗାଯାଇଛି
  • ସ୍ୱାସ୍ଥ୍ୟ ଓ ଅକ୍ସିଜେନ ଯୋଗାଣ କ୍ଷେତ୍ରରେ ସବୁ ରାଜ୍ୟ ମିଳିମିଶି କାମ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
  • ଔଷଧ ଓ ଅମ୍ଲଜାନ କଳାବଜାରୀକୁ ରୋକିବାକୁ ଗୁରୁତ୍ୱ
  • କୌଣସି ରାଜ୍ୟରେ ଅକ୍ସିଜେନ ନେଇ ଯାଉଥିବା ଗାଡିକୁ ଅଟକାନଯାଉ
  • ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅମ୍ଲଜାନ ଯୋଗାଣ ପାଇଁ କମିଟି ଗଠନ କରାଯାଉ
  • ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟର ସ୍ଥିତି ନେଇ ଯୋଗାଯୋଗରେ ଅଛି ଏବଂ ସମୟ ସମୟରେ ଆବଶ୍ୟକତା ଅନୁଯାୟୀ ନିର୍ଦ୍ଦେଶ ଜାରି କରାଯାଉଛି

ବିଶେଷଜ୍ଞଙ୍କ ମତରେ ମେ’ ୧୧ରୁ ୧୫ ମଧ୍ୟରେ କରୋନାର ଦ୍ୱିତୀୟ ଲହର ଏହାର ପିକ୍ ଅର୍ଥାତ ସର୍ବୋଚ୍ଚ ସଂକ୍ରମଣରେ ପହଂଚିବ । ସେତେବେଳେକୁ ଦୈନିକ ସଂକ୍ରମଣ ସାଢେ ୩ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ରହିବ ।