କନକ ବ୍ୟୁରୋ : ପୁଣି ଥରେ ଜୋରଦାର ହୋଇଛି ଓଡ଼ିଶା ବିଜେପିର ଦିଲ୍ଲୀ ରାଜନୀତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଓଡ଼ିଶା ବିଜେପିର ସାଂସଦ । ଉଭୟ ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ୯ ଜଣ ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ୭ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ।

Advertisment

ମୋଦୀଙ୍କ ସହ ସାକ୍ଷାତ ପରେ ରାଜ୍ୟ ବିଜେପି ସାଂସଦ କହିଛନ୍ତି ସଙ୍ଗଠନକୁ ସଜାଡିବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ରାଜ୍ୟବାସୀଙ୍କ ପାଖରେ ପହଂଚାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୋଦୀ । ପ୍ରାତଃ ଭୋଜନରେ ସମସ୍ତେ ଏକାଠି ହେବା ପରେ ପ୍ରାୟ ଘଂଟାଏ ଧରି ରାଜ୍ୟ ବିଜେପିର ସାଂସଦଙ୍କ ସହ ଆଲେଚନା କରିଥିଲେ ପ୍ରଧାନମନ୍ତ୍ରୀ ।

ବିଜେପି ରାଷ୍ଟ୍ରୀୟ ଜେପି ନଡ୍ଡାଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସାଂସଦ ଅପରାଜିତା ଷଡଙ୍ଗୀ ଭେଟିବାକୁ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଥିଲା । ଏବେ ପୁଣି ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବିଜେପି ରାଜନୀତିକୁ ସରଗରମ କରିଛି । ଓଡିଶା ସମେତ ଆଜି ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ଉତରାଖଣ୍ଡ ସାଂସଦଙ୍କୁ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ ।