କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ୨୦୨୪ ସାଧାରଣ ନିର୍ବାଚନ ଜିତି ହ୍ୟାଟ୍ରିକ୍ ସଫଳତା ଲକ୍ଷ୍ୟରେ ରହିଛି । ଆଉ ଏଥିପାଇଁ ଯୁବବର୍ଗରୁ ବୁଥ୍ସ୍ତର ଜିତିବା ପାଇଁ ଖାସ ରଣନୀତି ପ୍ରସ୍ତୁତ କରୁଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଭୋଟର୍ସ ଦିବସରେ ପ୍ରଥମଥର ମତଦାନ ଦେବାକୁ ଯାଉଥିବା ଯୁବବର୍ଗଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ଯୁବ ଭୋଟରଙ୍କ ଉଦ୍ଦେଶ୍ୟ କହିଛନ୍ତି ଯେ ଆଗାମୀ ୨୫ ବର୍ଷ ସେମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆଉ ଯୁବବର୍ଗ ହିଁ ନିଜର ଏବଂ ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରିବେ । ଓଡ଼ିଶାରେ ମଧ୍ୟ ୨୫୦ଟି ସ୍ଥାନରେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା ।

ସାଧାରଣ ନିର୍ବାଚନ ପାଖେଇ ଆସୁଛି । ଆଉ ନିର୍ବାଚନରେ ଯୁବ ଭୋଟରଙ୍କ ଭୂମିକା ବେଶ୍ ଗୁରୁତ୍ୱ ବହନ କରିବ । କାରଣ ୨୦୨୪ରେ ପାଖାପାଖି ୫୦ ଲକ୍ଷ ମତଦାତା ପ୍ରଥମଥର ଭୋଟିଂରେ ସାମିଲ ହେବେ । ଏହାକୁ ଦୃଷ୍ଟିରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ନବମତଦାତା ସମ୍ମିଳନୀରେ ଦେଶର ଯୁବବର୍ଗଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି,
- ଭାରତକୁ ବିକଶିତ କରିବାରେ ଯୁବବର୍ଗଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ
- ଦେଶର ଗତି, ଦିଗ, ଆଭିମୁଖ୍ୟ କିପରି ରହିବ, ତାହା ଯୁବବର୍ଗ ନିର୍ଦ୍ଧାରଣ କରିବେ
- ୧୯୪୭ର ୨୫ ବର୍ଷ ପୂର୍ବରୁ ଦେଶକୁ ସ୍ୱାଧୀନତା କରିବାର ଦାୟିତ୍ୱ ଯୁବବର୍ଗଙ୍କ ଉପରେ ଥିଲା
- ସେହିପରି ୨୦୪୭ ଯାଏଁ ଅର୍ଥାତ୍ ଆଗାମୀ ୨୫ ବର୍ଷରେ ଯୁବବର୍ଗ ହିଁ ବିକଶିତ ଭାରତ ନିର୍ମାଣର ନେତୃତ୍ୱ ନେବେ
- ଯୁବ ମତଦାତାଙ୍କ ଗୋଟିଏ ଭୋଟ୍ ଭାରତର ବିକାଶର ଦିଗ ସ୍ଥିର କରିବ
- ଯୁବ ମତଦାତାଙ୍କ ଗୋଟିଏ ଭୋଟ୍ ଏକ ସ୍ଥିର ସରକାର ଗଠନ କରିବ
- ସେମାନଙ୍କ ଗୋଟିଏ ଭୋଟ୍ ଭାରତରେ ଡିଜିଟାଲ କ୍ରାନ୍ତିକୁ ନୂଆ ଊର୍ଜା ଦେବ

ନବ ମତଦାତା ସମ୍ମିଳନୀରେ ଦେଶର ୫ହଜାର ୮୦୦ ସ୍ଥାନରୁ ଯୋଡ଼ି ହୋଇଥିଲେ ନୂଆ ଭୋଟର । ଏହିକ୍ରମରେ ଓଡ଼ିଶାର ୨୫୦ଟି ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଭୁବନେଶ୍ୱରେ ଖଣ୍ଡଗିରି ଜାଗମରାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ ଓ ବିଧାୟକମାନେ ସାମିଲ ହୋଇଥିଲେ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପିର ସଂକଳ୍ପ ପତ୍ର କିପରି ହେବା ଦରକାର, ସେ ସମ୍ପର୍କରେ ଯୁବ ଭୋଟର ନମୋ ଆପ୍ ଜରିଆରେ ମତାମତ ଦେବେ । ଏହି ଆପ୍ରେ ଅଧିକରୁ ଅଧିକ ଯୁବବର୍ଗ ସାମିଲ ହେବାକୁ କୁହାଯାଇଛି । ଏଥିରୁ କିଛି ଯୁବକଙ୍କୁ ଚୟନ କରିବେ ବିଜେପିର ଏକ ମଣ୍ଡଳୀ । ଆଉ ସେମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରିବେ ।

ନିର୍ବାଚନ ପାଇଁ ହାତରେ ସମୟ କମ୍ ଥିବାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତୀୟ ଜନତା ପାର୍ଟି । ବିଶେଷ କରି ଯୁବ ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ପ୍ରୟାସ ଆରମ୍ଭ କରିଛି ବିଜେପି ।