ଥମୁନି ମୋଦୀ-ମମତା ବିବାଦ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଲେ, ବଙ୍ଗଳାର ବିକାଶ ପାଇଁ ପାଦତଳେ ପଡ଼ିବାକୁ ପ୍ରସ୍ତୁତ, ହେଲେ ସହିବିନି ଅପମାନ । ମୁଖ୍ୟ ଶାସନ ସଚିବଙ୍କ ବଦଳି ବିଜ୍ଞପ୍ତି ବାତିଲ ପାଇଁ ଦାବି ।

330

କନକ ବ୍ୟୁରୋ: ବାତ୍ୟା ସମୀକ୍ଷା ବୈଠକକୁ ମମତା ବିଳମ୍ବରେ ଆସିବାକୁ ନେଇ ଦିଲ୍ଲୀରେ ଦେଖାଦେଇଥିବା ପ୍ରତିକ୍ରିୟା, ବଙ୍ଗଳା ରାଜନୀତିକୁ ପ୍ରତିକ୍ରିୟାଶୀଳ କରିଛି । ଏହି ପ୍ରସଙ୍ଗରେ ମମତା ବାନାର୍ଜୀ ମୁହଁ ଖୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିବାଦ ଭିତରକୁ ଟାଣିଛନ୍ତି । ମମତା କହିଛନ୍ତି –

  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ବିଜେପି ନେତା ଓ ରାଜ୍ୟପାଳ କଣ କରୁଥିଲେ?
  • ରାଜ୍ୟର ବିକାଶ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ପାଦ ତଳେ ପଡିବାକୁ ପ୍ରସ୍ତୁତ, ହେଲେ ଅପମାନ କେବେ ସହିବିନି
  • ଏକପାଖିଆ ଭାବେ ମିଛ ଖବର ଗଣମାଧ୍ୟମକୁ ଦିଆଯାଇଛି
  • ବିପୁଳ ବିଜୟ ହାସଲ କରିଥିବାରୁ ଏଭଳି ଅପମାନିତ କରାଯାଉଛି କି?
  • ସବୁକିଛି ଚେଷ୍ଟା କରି ବିଜେପି ପରାସ୍ତ ହେଲା । ଏଭଳି ଲଢେଇର କାରଣ କଣ?

ମୋଦିଙ୍କ ବାତ୍ୟା କ୍ଷୟକ୍ଷତି ସମୀକ୍ଷା ବୈଠକକୁ ୩୦ ମିନିଟ ବିଳମ୍ବରେ ପହଁଚିଥିଲେ ମମତା ବାନାର୍ଜୀ । କିଛି ମିନିଟ ମଧ୍ୟରେ ୨୦ ହଜାର କୋଟିର କ୍ଷତିଭରଣା ପାଇଁ ଦାବି ଉପସ୍ଥାପନ କରିବା ସହ ଅନ୍ୟ କାମ ଅଛି ବୋଲି କହି ବାହାରି ଯାଇଥିଲେ । ସୋସିଆଲ ମିଡିଆରେ ମମତା ନଥିବା ଫଟୋ ଭାଇରାଲ ହେବା ପରେ ଆରମ୍ଭ ହୋଇଥିଲା ବିବାଦ ।

ବିବାଦ କିନ୍ତୁ ଏତିକିରେ ସରିନାହିଁ । ଶୁକ୍ରବାର ପଶ୍ଚିମବଙ୍ଗରେ ବାତ୍ୟା ସମୀକ୍ଷା ବୈଠକ ସାରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ପହଁଚିବା ପରେ, ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଫେରାଇନେବାକୁ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶ ବାହାର କରି ୩୧ ମେ’ ସକାଳ ୧୦ଟା ସୁଦ୍ଧା ରିପୋର୍ଟ କରିବାକୁ କହିଛନ୍ତି । ଫଳରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ଲଢେଇ ଆଗକୁ ବଢିବା ଅନୁମାନ କରାଯାଉଛି ।

  • ହାତ ଯୋଡି ଅନୁରୋଧ କଲେ ମମତା ବାନାର୍ଜୀ
  • ମୁଖ୍ୟ ସଚିବଙ୍କୁ ନେବାକୁ ଥିବା ବିଜ୍ଞପ୍ତି ପ୍ରତ୍ୟାହାର କର

ଏଭଳି ଶସ୍ତା ରାଜନୀତି ନକରିବାକୁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । କୋଭିଡ ଏବଂ ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ କାମ କରିବାକୁ ଦିଆଯାଉ ବୋଲି କେନ୍ଦ୍ରକୁ ସ୍ପଷ୍ଟ ଭାବେ କହିବା ସହ ଏଭଳି ଏକପାଖିଆ ନିଷ୍ପତ୍ତକୁ ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ କହିଛନ୍ତି ମମତା ।

ଗତ ମେ ୨୪ରେ ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧ ପରେ ହିଁ ଅଲପନଙ୍କ ଚାକିରି ଅବଧିକୁ ବଢାଯାଇଥିଲା । ଗୋଟିଏ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଅପମାନିତ କଲେ, ଏହା ସବୁ ରାଜ୍ୟର ଆଇଏଏସ, ଆଇପିଏସ ଅଧିକାରୀଙ୍କୁ ଅପମାନିତ କଲା ଭଳି । ତେଣୁ ତୁରନ୍ତ ଏଭଳି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ମମତା କହିଥିଲେ ବି କେନ୍ଦ୍ରର ଆଭିମୁଖ୍ୟ ଉପରେ ଅନେକ କିଛି ନିର୍ଭର କରୁଛି । ପଶ୍ଚିମବଙ୍ଗରେ ନିର୍ବାଚନ ବେଳଠାରୁ ମୋଦି ଓ ଦିଦିଙ୍କ ଭିତରେ ଆରମ୍ଭ ହୋଇଥିବା କ୍ଷମତାର ଲଢେଇ ନିର୍ବାଚନ ସରିବା ପରେ ମଧ୍ୟ ଥମୁନାହିଁ ।