ତିନି ରାଜ୍ୟରେ ବିପୁଳ ବିଜୟ ପରେ ଉତ୍ସବମୁଖର ବିଜେପି । ମୋଦୀ ମୋଦୀ ନାରାରେ କମ୍ପିଲା ସଂସଦ ଭବନ । ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ

70

କନକ ବ୍ୟୁରୋ: ତିନି ରାଜ୍ୟରେ ବିଜୟ ପରେ ଭାରତୀୟ ଜନତା ପାର୍ଟି ଉତ୍ସାହିତ । ସଡକରୁ ସଂସଦ ଉତ୍ସବ ମନାଉଛନ୍ତି ବିଜେପି ନେତା । ଗତକାଲିଠାରୁ ବିଜେପି ନେତା ଓ କର୍ମୀ ସାରଦେଶରେ ଉତ୍ସବ ମନାଉଥିବାବେଳେ ଆଜି ସଂସଦରେ ଦେଖିବାକୁ ମିଳିଥିଲା ତାର ଝଲକ ।

ଶୀତକାଳିନ ଅଧିବେଶନରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ପହଞ୍ଚିବା ମାତ୍ରେ, ଭବ୍ୟ ସ୍ୱାଗତ କରିଥିଲେ ବିଜେପି ଓ ସହଯୋଗୀ ଦଳର ସାଂସଦ । ସାଂସଦମାନେ ନିଜ ନିଜ ଆସନରେ ଛିଡା ହୋଇ ତାଳି ବଜାଇ ମୋଦୀଙ୍କ ସ୍ୱାଗତ କରିଥିଲେ । ଆଉ ତୃତୀୟ ଥର ପୁଣି ମୋଦୀ ସରକାର ବୋଲି ସ୍ଲୋଗାନ ଦେଇଥିଲେ ।

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ, ତିନି ରାଜ୍ୟରେ ବମ୍ପର ବିଜୟ ପରେ ବିଜେପି ଶିବିରରେ ଜୋଶ୍ ଭରି ଯାଇଛି । ତେବେ ଶୀତକାଳିନ ଅଧିବେଶନରେ ଯୋଗ ଦେବା ପୂର୍ବରୁ ସଂସଦରେ ଅନ୍ତୋଷ ନବାହାର କରିବାକୁ ବିରୋଧୀଙ୍କୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ତେବେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଓ ଅନ୍ୟପଟେ ଏନଡିଏ ସଦସ୍ୟଙ୍କ ସ୍ଲୋଗାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ବିଜୟ ପରେ ସାରାଦେଶରେ ବିଜେପି ନେତା ଓ କର୍ମୀ ଉତ୍ସବ ମନାଉଛନ୍ତି । ବିଜୟ ପାଇଁ ମୋଦୀ ଓ ଶାହାଙ୍କୁ ବିଜୟର ଶ୍ରେୟ ଦେଉଛନ୍ତି । ଦୁଇ ନେତାଙ୍କ ଚତୁର ରଣନୀତି ଯୋଗୁ ଦଳ ବିଜୟୀ ହେଲା ବୋଲି କହୁଛନ୍ତି । ତେବେ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରି କହିଥିଲେ, ହିନ୍ଦୀ ହାର୍ଟଲାଣ୍ଡରେ ବିଜୟ ୨୦୨୪ରେ ହାଟ୍ରିକ ପାଇଁ ସଙ୍କେତ ।