ଓଡ଼ିଆ ଗୀତରେ ଝୁମିଲେ ମୋଦି ! ଜାଣନ୍ତୁ କଟକରେ କିଏ, କେଉଁଠି ଓ କେମିତି ମୋଦିଙ୍କୁ ଶୁଣାଇଲେ ଓଡ଼ିଆ ଟ୍ରାକ

65

କନକ ବ୍ୟୁରୋ : ନିଦ ଭରା ରାତି ମଧୁ ଝରା ଜହ୍ନ ,ଫିକା ଫିକା ଏହି ଜୋଛନା । ତୁମେ ନାହଁ ସାଥୀ, ଆଜି ଏହି ରାତି, ଏକାଏକା ଭଲ ଲାଗେନା । ଓଡ଼ିଶାର ଅନେକ ସଙ୍ଗୀତ ପ୍ରେମୀଙ୍କୁ ନିର୍ମଳା ମିଶ୍ରଙ୍କର ଏହି ସୁମଧୁର ଗୀତ ଆଜି ବି ଆନମନା କରେ । ଏବେ ବି ଅନେକ ଲୋକ ଏହି ଗୀତକୁ ଗୁଣୁଗୁଣୁ ହେବା ଭୁଲି ନାହାନ୍ତି । ୧୯୭୭ ମସିହାର ଓଡ଼ିଆ ଫିଲ୍ମ ‘ଅନୁତାପ’ର ଏହି ଲୋକପ୍ରିୟ ଟ୍ରାକ କେବଳ ଓଡ଼ିଆ ଲୋକଙ୍କୁ ନୁହେଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ବେଶ ପସନ୍ଦ ଆସିଛି । ଏକଥା ଆମେ କହୁନୁ ଖୋଦ ପ୍ରଧାନମନ୍ତ୍ରୀ ନିଜେ କହିଛନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କୁ ଏହି ଗୀତ ଗାଇ ଶୁଣାଇଛନ୍ତି କଟକର କେ. ରେଣୁକା ।

ବିଜେପିର ୪ ବର୍ଷ ପୂର୍ତ୍ତି ଉପଲକ୍ଷେ ରିପୋର୍ଟ କାର୍ଡ଼ ଦେବାକୁ କଟକ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ଏହି ଲୋକପ୍ରିୟ ଟ୍ରାକ ଶୁଣିବା ସହ ବେଶ ପ୍ରଂଶସା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏହି ଗୀତ ଶୁଣାଇଥିବା କେ. ରେଣୁକା କହିଛନ୍ତି, ମୋଦିଙ୍କୁ ଭେଟିବା ପାଇଁ ତାଙ୍କ ଶିକ୍ଷକ ତଥା କଟକର ଚା’ ବିକାଳି ଡ଼ି ପ୍ରକାଶ ରାଓଙ୍କ ନିକଟକୁ ପିଏମଓ ଅଫିସରୁ ଫୋନ ଆସିଥିଲା । ସମାବେଶ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଭେଟିବାକୁ ଚାହୁଁଥିବା କୁହାଯାଇଥିଲା । କେବଳ ସେ ନୁହେଁ ବରଂ ସାଙ୍ଗରେ ସ୍କୁଲ ପିଲାଙ୍କୁ ଆଣିବାକୁ କୁହାଯାଇଥିଲା । ଏହାପରେ ମୋଦିଙ୍କ ଗସ୍ତ ଦିନ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳକୁ ନିଆଯାଇଥିଲା । ହେଲିକପ୍ଟରରୁୁ ମୋଦି ଓହ୍ଲାଇବା ପରେ ପ୍ରଥମେ ତାଙ୍କୁ ଭେଟିଥିଲେ । ଏପରିକି ମୋଦି ତାଙ୍କୁ ବେଶ ଭଲଭାବେ ଜାଣିଥିବା କହିଥିଲେ । ଏହାପରେ ସାଙ୍ଗରେ ଯାଇଥିବା ଅନ୍ୟ ୧୫ ଛାତ୍ରଛାତ୍ରୀଙ୍କ ସହ ପ୍ରାୟ ୧୫ ମିନିଟ ସମୟ କାଟିଥିଲେ ମୋଦି । ଏହି ସମୟରେ ପିଲାଙ୍କୁ ଭବିଷ୍ୟତର ଲକ୍ଷ୍ୟ ବିଷୟରେ ପଚାରି ବୁଝିଥିଲେ ମୋଦି ।

ଛାତ୍ରଛାତ୍ରୀଙ୍କୁ ଭେଟୁଥିବା ବେଳେ କେ. ରେଣୁକାଙ୍କୁ ଏକ ଗୀତ ଗାଇବାକୁ କହିଥିଲେ ପ୍ରଧାନମନ୍ତ୍ରୀ । ଆଉ ମୋଦିଙ୍କ ମନକୁ ଛୁଇଁଲା ଭଳି ଲୋକପ୍ରିୟ ଓଡ଼ିଆ ଟ୍ରାକ ନିଦ ଭରା ରାତି ମଧୁ ଝରା ଜହ୍ନ ଗୀତ ଗାଇଥିଲେ କେ. ରେଣୁକା । ଆଉ ଏହି ଗୀତ ଶୁଣିବା ସହ କିଛି କିଛି ବୁଝି ପାରୁଥିବା କଥା କହିଥିଲେ ମୋଦି । ଏପରିକି ପାଖରେ ଥିବା ଶିକ୍ଷକ ପ୍ରକାଶ ରାଓଙ୍କୁ ଏହି ଗୀତର ହିନ୍ଦି ଅନୁବାଦ କରିବାକୁ ମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀ । ଏବଂ ସବୁଠୁ ବଡ଼ କଥା ହେଲା ଗୀତ ପୂରା ଶୁଣି ସାରିବା ପରେ ବେଶ ପ୍ରଂଶସା ମଧ୍ୟ କରିଥିଲେ । ଆଉ ଫୁରସତ ପାଇଲେ ଓଡ଼ିଶା ଆସିବି ବୋଲି ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ଏହାଛଡ଼ା ଯଦି କେବେ ସାହାର୍ଯ୍ୟ ଦରକାର ପଡ଼େ ତେବେ ଯୋଗାଯୋଗ କରିବାକୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ କହିଥିଲେ ମୋଦି । ଆଉ ମୋଦିଙ୍କ ସହ ବିତାଇଥିବା ସେହି ୧୮ ମିନିଟ୍ ତାଙ୍କ ଜୀବନର ସବୁଠୁ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିଗଲା ବୋଲି କହିଛନ୍ତି କଟକର ଚା ବିକାଳି ଡି ପ୍ରକାଶ ରାଓ ।

ପ୍ରକାଶଙ୍କ ପେଶା, ଚା ବିକ୍ରି କରିବା , ହେଲେ ନିଶା ସମାଜସେବା । ବର୍ଷ ବର୍ଷ ଧରି ନିଜ ଚା’ ଦୋକାନରୁ ରୋଜଗାର ହେଉଥିବା ଟଙ୍କାରେ ପିଲାଙ୍କୁ ପାଠ ପଢାଉଛନ୍ତି ସେ । କଟକର ବସ୍ତିରେ ପ୍ରକାଶ, ଆଶା ଆଶ୍ୱାସନା ନାଁରେ ସ୍କୁଲ୍ କରିଛନ୍ତି । ଯେଉଁଠି ୭୦ରୁ ଅଧିକ ଗରିବ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି । ଏଥିସହ ରକ୍ତଦାନ ଓ ମେଡିକାଲରେ ରୋଗୀଙ୍କୁ ସେବା ପାଇଁ ସବୁବେଳେ ତତ୍ପର ଥାନ୍ତି ପ୍ରକାଶ । ବସ୍ତିପିଲାଙ୍କୁ ଶିକ୍ଷାଦାନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ପ୍ରକାଶ ରାଓଙ୍କ ଜୀବନ ବେଶ ପ୍ରେରଣାଦାୟୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।