ମୋଦୀ ଚାଉଳ ପଠାଉଛନ୍ତି, ନବୀନ ବାବୁ ବ୍ୟାଗରେ ଷ୍ଟିକର ମାରି ନିଜେ ଚାଉଳ ଦେଉଛନ୍ତି ବୋଲି କହୁଛନ୍ତି । ଗରିବଙ୍କୁ ଚାଉଳ ପ୍ରସଙ୍ଗରେ ଏମିତି କହିଲେ ଅମିତ ଶାହା…

164

କନକ ବ୍ୟୁରୋ : ଗରିବଙ୍କୁ ଚାଉଳ ଦେବା ପ୍ରସଙ୍ଗରୁ ରାଜ୍ୟ ସରକାରଙ୍କୁ ଘେରିଲେ ଶାହା । ଆସ୍କା ଜନସଭାକୁ ନବୀନଙ୍କୁ କଲେ ସିଧା ନିଶାନା । ବୁଧବାର ଶାହା କହିଛନ୍ତି, ଦେଶର ଗରିବ ଲୋକଙ୍କ ପାଇଁ ମୋଦୀ ଚାଉଳ ପଠାଉଛନ୍ତି । ହେଲେ ମୋଦୀ ପଠାଉଥିବା ଚାଉଳକୁ କିନ୍ତୁ ଗୋଟିଏ ବ୍ୟାଗରେ ପୂରାଇ ଷ୍ଟିକର ମାରି ନିଜେ ଚାଉଳ ଦେଉଥିବା କଥା କହୁଛନ୍ତି ନବୀନ ବାବୁ । ତେବେ ଯଦି ବ୍ୟାଗ ଦେଉଛ, ସେଥିରେ ଆଉ ଅଢେଇ କେଜି ଚାଉଳ ଦିଅନ୍ତୁ । ଚାଉଳ ଦେଲେ ଗରିବ ଲୋକ ଉପକୃତ ହେଇପାରିବେ ବୋଲି କହିଛନ୍ତି ଶାହା ।

ନବୀନଙ୍କୁ ଟାର୍ଗେଟ କରି ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି କରି ମିଛରେ ଶ୍ରେୟ ନେବାକୁ ଉଦ୍ୟମ କରୁଛନ୍ତି ନବୀନ ବାବୁ । ହେଲେ ଚିନ୍ତା କରିବା ଦରକାର ନାହିଁ । କାହିଁକି ନା, ନବୀନ ବାବୁ ଆଉ ସରକାରକୁ ଆସିବେନି । ଓଡ଼ିଶାର ଲୋକ ତାଙ୍କୁ ଟାଟା ବାଏ ବାଏ କରିଦେବେ । ଏବେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

ନରେନ୍ଦ୍ର ମୋଦୀ ସରକାର ୧୨ କୋଟି ପରିବାର ପାଇଁ ଶୌଚାଳୟ ଦେଇଛନ୍ତି, ଗରିବଙ୍କ ପାଇଁ କାମ କରୁଛନ୍ତି କିନ୍ତୁ ଓଡ଼ିଶାର ଗରିବ ଲୋକଙ୍କୁ ଏହା ମିଳୁନାହିଁ । ମୋଦୀ ସରକାର ଆଣିଥିବା ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ କରୁନାହାନ୍ତି । କିନ୍ତୁ ଜୁନ୍ ୧ ତାରିଖରେ ନବୀନ ସରକାର ଯିବ, ପଦ୍ମ ଫୁଲ ଫୁଟିବ । ୧ ଜୁନରୁ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ, ଗରିବ ଲୋକ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପାଇବେ । ୭୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମାଗଣା ଚିକିତ୍ସା ମିଳିବ ବୋଲି ଶାହା କହିଛନ୍ତି ।

ଅନ୍ୟପଟେ ନବୀନ ପଟ୍ଟନାୟକ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଲାଗୁ କରୁନାହାନ୍ତି । କିନ୍ତୁ ବିଜେପି ସରକାର ଆସିଲେ ୧ ତାରିଖରୁ ୱାନ୍ ନେସନ ୱାନ୍ ରାସନ ଲାଗୁ କରିବୁ । ନବୀନ ବାବୁଙ୍କୁ ୨୪ ବର୍ଷ ସୁଯୋଗ ଦେଇଛନ୍ତି, ବିଜେପିକୁ ମାତ୍ର ୫ ବର୍ଷ ସୁଯୋଗ ଦିଅନ୍ତୁ ଦେଖିବେ ଓଡ଼ିଶାର କୌଣସି ଲୋକଙ୍କୁ ବାହାରକୁ କାମ ପାଇଁ ଯିବାକୁ ପଡିବନି । ଗଞ୍ଜାମ ହେଉଛନ୍ତି ନବୀନଙ୍କ ନିର୍ବାଚନମଣ୍ଡଳୀ । କିନ୍ତୁ ଗଞ୍ଜାମକୁ କାହିଁକି ଗୋଟିଏ ବି ଫ୍ୟାକ୍ଟ୍ରି ଆସିନି ? ଶୀତଳଭଣ୍ଡାରଟିଏ ମଧ୍ୟ ଏଠାରେ ଖୋଲିପାରିଲେନି । ବିଜେପି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରାନ୍ତୁ ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବୁ ବୋଲି କହିଛନ୍ତି ଶାହା ।

ତା ସହ ଚିଟଫଣ୍ଡରେ ଗରିବଙ୍କ ଟଙ୍କା ଖାଇଥିବା ଲୋକଙ୍କୁ ୧୮ ମାସରେ ସାବାଡ କରିବୁ । ଚାଷୀଙ୍କ ଧାନକୁ ୩୧୦୦ ଟଙ୍କାରେ କିଣିବୁ ଏବଂ ୪୮ ଘଣ୍ଟାରେ ଆକାଉଣ୍ଟକୁ ଟଙ୍କା ପଠାଇବୁ ବୋଲି କହିଛନ୍ତି ଶାହା । ଓଡ଼ିଶାର ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବା ସହିତ ଆସ୍କାରେ ଟେକ୍ସଟାଇଲ ପାର୍କ ଏବଂ ଖାଲି ପଡିଥିବା ଦେଢ ଲକ୍ଷ ସରକାରୀ ପଦବୀ ପୂରା କରିବାକୁ କହିଛନ୍ତି ଶାହା ।