କନକ ବ୍ୟୁରୋ : ପୁଣିଥରେ ଚର୍ଚ୍ଚାରେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । କଂଗ୍ରେସ ପକ୍ଷରୁ ସତ୍ୟପାଲ ମଲ୍ଲିକଙ୍କର ଯେଉଁ ଭିଡ଼ିଓ କ୍ଲିପ୍ ସେୟାର କରାଯାଇଛି ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଛନ୍ତି ମେଘାଳୟ ରାଜ୍ୟପାଳ । ତେବେ ସତ୍ୟପାଲଙ୍କ କ୍ଷେତ୍ରରେ ଏହା ନୂଆ ନୁହେଁ । ଏହାପୂର୍ବରୁ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ମୋଦୀ ସରକାର ଓ ବିଜେପି ନେତୃତ୍ୱଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ସତ୍ୟପାଲ । କିନ୍ତୁ ଏବେ କଂଗ୍ରେସ ଯେଉଁ ଭିଡ଼ିଓ ସେୟାର କରିଛି ତାହା ଉଭୟ ବିଜେପି ଓ ମୋଦୀଙ୍କୁ ଅଡୁଆରେ ପକାଇଛି ।
କଂଗ୍ରେସ ସେୟାର କରିଥିବା ଭିଡ଼ିଓରେ ସତ୍ୟପାଲ କହିଛନ୍ତି, ଯେତେବେଳେ ଚାଷୀଙ୍କ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲି ସେତେବେଳେ ତାଙ୍କ ସହ ୫ ମିନିଟ୍ ମଧ୍ୟରେ ଝଗଡା ହୋଇଥିଲା । ସେତେବେଳେ ସେ ଅତ୍ୟନ୍ତ ଅହଙ୍କାରରେ ବୁଡି ରହିଥିଲେ । ମୁଁ ତାଙ୍କୁ କହିଥିଲି ଯେ, ଆମର ୫୦୦ ଚାଷୀ ଭାଇ ପ୍ରାଣ ହରାଇଲେଣି । ସେତେବେଳେ ପ୍ରଧାନମନ୍ତ୍ରୀ ଏହାର ଜବାବ ଦେଇ କହିଥିଲେ, କଣ ମୋ ପାଇଁ ଚାଷୀ ପ୍ରାଣ ହରାଇଛନ୍ତି କି? ଏହାର ଜବାବରେ ମୁଁ କହିଥିଲି, ହଁ ଆପଣଙ୍କ ପାଇଁ ମରିଛନ୍ତି । ଏହାକୁ ନେଇ ଆମ ଭିତରେ ଝଗଡା ହୋଇଥିଲା । ପରେ ମୋତେ ଅମିତ ଶାହାଙ୍କୁ ଭେଟିବାକୁ କହିଥିଲେ ମୋଦୀ । ଆଉ ମୁଁ ମଧ୍ୟ ଅମିତ ଶାହାଙ୍କୁ ଭେଟିଥିଲି ।
ସତ୍ୟପାଲ ମଲ୍ଲିକ ଏଭଳି କହୁଥିବାର ଭିଡ଼ିଓ ସେୟାର କରି କଂଗ୍ରେସ କହିଛି, ଅହଙ୍କାର, କ୍ରୁର ଓ ସମ୍ବେଦନହୀନ । ଏଭଳି ବୟାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରେ ଗୁଣକୁ ବଖାଣୁଛି । କିନ୍ତୁ ଏହା ଏକ ଲୋକତନ୍ତ୍ର ପାଇଁ ଚିନ୍ତାର ବିଷୟ ।
घमंड...क्रूरता...संवेदनहीनता
भाजपा के राज्यपाल के इस बयान में पीएम मोदी के व्यक्तित्व में शामिल इन्हीं 'गुणों' का बखान है।
मगर, ये एक लोकतंत्र के लिए चिंता की बात है। pic.twitter.com/HGxzKfYsme
— Congress (@INCIndia) January 3, 2022
ଏହାପୂର୍ବରୁ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରି ଆସିଛନ୍ତି ସତ୍ୟପାଲ ମଲ୍ଲିକ । ଏପରିକି ସତ୍ୟପାଲ କହିଥିଲେ, ଯଦି ମୋ ବୟାନକୁ ନେଇ କାହାର ଅସୁବିଧା ହେଉଛି ତେବେ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ । ଦିଲ୍ଲୀରେ ବସିଥିବା କିଛି ଜଣ ମୋତେ ରାଜ୍ୟପାଳ କରିଛନ୍ତି । ଚାଷୀଙ୍କ ସମସ୍ୟା ନେଇ ମୁହଁ ଖୋଲିଲେ ସେମାନଙ୍କୁ ଅସୁବିଧା ହେବ, ଏହା ମୁଁ ଜାଣିଛି । କିନ୍ତୁ ସେମାନେ ଯଦି କହିବେ ମୋ ବୟାନକୁ ନେଇ ଅସୁବିଧା ହେଉଛି ତେବେ ମୁଁ ରାଜ୍ୟପାଳ ଛାଡିବାକୁ ଗୋଟିଏ ମିନିଟ୍ ବି ସମୟ ନେବିନି ।
ଚାଷୀଙ୍କ ଦୀର୍ଘ ଦିନର ଆନ୍ଦୋଳନ କାରଣରୁ ମୋଦୀ ସରକାର ୩ କୃଷି ଆଇନକୁ ପ୍ରତ୍ୟାହୃତ କରିଥିଲେ । ଚାଷୀଙ୍କ ଆଗରେ ମୁଣ୍ଡ ନୁଆଇଁଥିଲେ ମୋଦୀ ସରକାର । ଏହାପରେ ସତ୍ୟପାଲ କହିଥିଲେ, ଏବେ ମଧ୍ୟ ଅନେକ ପ୍ରସଙ୍ଗର ସମାଧାନ ହୋଇନାହିଁ । ଆନ୍ଦୋଳନ ସମୟରେ ଯେଉଁ ଚାଷୀଙ୍କ ବିରୋଧରେ ମାମଲା ହୋଇଛି ତାହା ହଟାଯାଉ । ଏହାଛଡା ଏମଏସପି ଗ୍ୟାରେଣ୍ଟି ଦିଅନ୍ତୁ ସରକାର ।