ଯେବେ ପାର୍ଟିର ପୁରୁଣା ସୈନିକ ପ୍ରତାପ ଷଡଙ୍ଗୀଙ୍କୁ ଦେଖି ଅଟକିଗଲେ ମୋଦି । ମଞ୍ଚ ଉପରେ ଫାୟାରବ୍ରିଗେଡ ନେତାଙ୍କୁ କଣ କହିଲେ କି ପ୍ରଧାନମନ୍ତ୍ରୀ?

824

କନକ ବ୍ୟୁରୋ : ଯେତେବେଳେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସିଥାନ୍ତି, ସେତେବେଳେ ଚର୍ଚ୍ଚାକୁ ଆସିଥାନ୍ତି ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ । ଆଜି ମଧ୍ୟ ଖୋର୍ଦ୍ଧା ସମାବେଶ ସ୍ଥଳରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଦେଖିବା ପରେ ଅଟକି ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରସ୍ପରକୁ ଅଭିବାଦନ ଦେବା ପରେ କେମିତି ଅଛନ୍ତି ବୋଲି ପଚାରିଥିଲେ ମୋଦି। ପ୍ରତାପ କିଛି କହିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ବାହାରିଥିଲା ଦ୍ୱିତୀୟ ପ୍ରଶ୍ନ । ଆପଣ କିଛି କହିବାକୁ ଚାହୁଁଛନ୍ତି କି ବୋଲି ପଚାରିଥିଲେ ମୋଦି । ତେବେ ଏହି ପ୍ରଶ୍ନରେ ନିରବ ରହିଥିଲେ ପ୍ରତାପ ଷଡଙ୍ଗୀ । ଅନ୍ୟ ତୁଙ୍ଗ ନେତାଙ୍କ ଆଗରେ ପ୍ରଧାନମନ୍ତ୍ରୀ ଏପରି ପ୍ରଶ୍ନ ପଚାରିଥିବାରୁ ଏହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି ।

ଗତ ବର୍ଷ  ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସମୟରେ ଭୁବନେଶ୍ୱର ଆସିଥିବାବେଳେ ବିମାନବନ୍ଦରରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଦେଖି ଅଟକି ଯାଇଥିଲେ ପ୍ରଧାନମନ୍ତ୍ରୀ । କିଛି ସମୟ କଥାବାର୍ତା ଭିତରେ ମୋଦି କହିଥିଲେ ପାର୍ଟିର ସବୁଠୁ ପୁରୁଣା ସୈନିକ ହେଉଛନ୍ତି ପ୍ରତାପ ଷଡଙ୍ଗୀ । ପ୍ରଧାନମନ୍ତ୍ରୀଙ୍କ ଏପରି ମନ୍ତବ୍ୟର ମଧ୍ୟ ବେଶ୍ ଚର୍ଚ୍ଚା ହୋଇଥିଲା ।

ପ୍ରତାପ ଓ ମୋଦିଙ୍କ ମଧ୍ୟରେ ଗୋଟିଏ ସମାନତା ହେଉଛି ଉଭୟ ଆରଏସଏସ ବ୍ୟାକଗ୍ରାଉଣ୍ଡରୁ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି । ତେଣୁ ପୂର୍ବରୁ ଆରଏସଏସର ବିଭିନ୍ନ କାର୍ଯ୍ୟକ୍ରମରେ ଉଭୟ ପରସ୍ପରକୁ ଭେଟିଥିବା ବେଳେ ବେଶ ଭଲ ଭାବେ ମଧ୍ୟ ଜାଣିଛନ୍ତି । ତେବେ ଏସବୁ ଭିତରେ ସମୟକ୍ରମେ ମୋଦି ରାଜନୀତିର ଶିଖରରେ ପହଞ୍ଚିଛନ୍ତି ଆଉ ପ୍ରତାପ ମଧ୍ୟ ରାଜନୀତିରେ କିଛି ମାତ୍ରାରେ ସଫଳ ହୋଇଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ପୁରୁଣା ସର୍ମ୍ପକକୁ ଭୁଲିନାହାନ୍ତି ମୋଦି ।