ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ମହାଦେବ ଭକ୍ତି : ଶୀତ ଦିନେ କେଦାରନାଥ ଧାମ ବନ୍ଦ ହେବା ପୂର୍ବରୁ ପହଂଚି କଲେ ପୂଜାର୍ଚ୍ଚନା

34

କନକ ବ୍ୟୁରୋ : ଉତ୍ତରାଖଣ୍ଡର ବିଶ୍ୱପ୍ରଶିଦ୍ଧ କେଦାରନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ କେଦାରନାଥ ଧାମ ଭକ୍ତଙ୍କ ପାଇଁ ଖୋଲିବା ଦିନ ମୋଦି ଏଠାରେ ପୂଜାର୍ଚ୍ଚନା କରିଥିଲେ । ଏବେ ପୁଣି ଶୀତଦିନ ପାଇଁ ବାବାଙ୍କ ଦ୍ୱାର ବନ୍ଦ ହେବା ପୂର୍ବରୁ କେଦାରନାଥଙ୍କ ଦର୍ଶନ କରିଛନ୍ତି ମୋଦି । ଏଥିସହ ପୁଣିଥରେ ଦେଖିବାକୁ ମିଳିଛି ମୋଦିଙ୍କ ମହାଦେବ ଭକ୍ତି । ମନ୍ଦିର ଗର୍ଭଗୃହରେ ପାଖାପାଖି ୨୦ ମିନିଟ୍ ଧରି ମହାପ୍ରଭୁ ଶିବଙ୍କ ପୂଜା କରିଥିଲେ । ମୋଦିଙ୍କ ମହାମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରଣରେ ଶିବମୟ ହୋଇଉଠିଥିଲା ପୀଠ । କେଦାରନାଥ ପୀଠକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ କରିବା ଲାଗି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଠାକାର ସାତ୍ତ୍ୱିକ ପରିବେଶକୁ ଅକ୍ଷୁର୍ଣ୍ଣ ରଖି ଅତ୍ୟାଧୁନିକିକରଣ କରାଯିବ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ଅବସରରେ ପୂର୍ବ କଂଗ୍ରେସ ସରକାରକୁ ମଧ୍ୟ ମୋଦି ଟାର୍ଗେଟ କରିଛନ୍ତି । ୨୦୧୩ରେ ଉତ୍ତରାଖଣ୍ଡରେ ପ୍ରବଳ ବନ୍ୟା ଫଳରେ କେଦାରନାଥ ଧାମର ବ୍ୟାପକ କ୍ଷତି ହୋଇଥିଲା । ଏହି ପବିତ୍ର ଧାମର ବିକାଶରେ ସହାୟତା କରିବାକୁ ତତକାଳୀନ କଂଗ୍ରେସ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ଗୁଜରାଟ ସରକାର । ଏଥିପାଇଁ ରାଜି ହୋଇଥିଲେ ହରିଶ ରାୱତ ସରକାର । ହେଲେ ପରବର୍ତି ସମୟରେ କେନ୍ଦ୍ରରେ ୟୁପିଏ ସରକାରଙ୍କ ଚାପରେ ଗୁଜରାଟଠାରୁ ସାହାଯ୍ୟ ନେବାକୁ ମନା କରିଦେଇଥିବା ମୋଦି କହିଛନ୍ତି । ବାବାଙ୍କ ଆଶୀର୍ବାଦରୁ ଉତ୍ତରାଖଣ୍ଡରେ ବିଜେପି ସରକାର ଗଢିଛି ଓ ବିଶ୍ୱପ୍ରଶିଦ୍ଧ କେଦାରନାଥ ପୀଠ ସର୍ବଙ୍ଗୀନ ବିକାଶ କରାଯିବ ବୋଲି ସେ କହିଛନ୍ତି ।